ସୁନ୍ଦରଗଡ଼ ଜିଲ୍ଲାରେ ପରିବେଶ ଅନୁକୂଳ ଖଲିପତ୍ର ପ୍ରସ୍ତୁତି: ୨୭୦୦ରୁ ଅଧିକ ଆଦିବାସୀ ମହିଳାଙ୍କୁ ରୋଜଗାର…

add-all

ସୁନ୍ଦରଗଡ଼, :୧୫ ମାର୍ଚ୍ଚ ୨୦୨୩: ସୁନ୍ଦରଗଡ଼ ଜିଲ୍ଲାର ଆଦିବାସୀ ମହିଳାମାନଙ୍କୁ ରୋଜଗାରର ନୂଆ ରାସ୍ତା ଦେଖାଇଛି ’ଖଲିପତ୍ର’ ପ୍ରସ୍ତୁତି। ଆଧୁନିକ ମେସିନ ସାହାଯ୍ୟରେ ମହିଳାମାନେ ଶାଳ ଓ ଶିଆଳି ପତ୍ରରୁ ତିଆରି କରୁଥିବା ପରିବେଶ ଅନୁକୂଳ ଖଲିପତ୍ରର ଚାହିଦା ଏବେ ବଜାରରେ ଭଲ ରହିଛି। ଫଳରେ ସୁନ୍ଦରଗଡ଼ର ୨୭୦୦ରୁ ଅଧିକ ମହିଳା ଆଜି ଏହି ’ଖଲିପତ୍ର’ ପ୍ରସ୍ତୁତିରେ ନିୟୋଜିତ ହୋଇ ସ୍ୱାବଲମ୍ବୀ ହୋଇପାରିଛନ୍ତି।

ବନ ଧନ ବିକାଶ କାର୍ଯ୍ୟକ୍ରମ (ଭିଡିଭିକେ) ଅଧୀନରେ ଏହି ଖଲିପତ୍ର ଓ ଠୋଲା ପ୍ରସ୍ତୁତ କରାଯାଉଛି। ଏଥିପାଇଁ ସୁନ୍ଦରଗଡ଼ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ) ପକ୍ଷରୁ ବିଭିନ୍ନ ପ୍ରକାରର ପ୍ରୋତ୍ସାହନ ଯୋଗାଇ ଦିଆଯାଉଛି।

‘‘ଆଗରୁ ଆଦିବାସୀ ମହିଳାମାନେ ହାତରେ ଖଲିପତ୍ର ତିଆରି କରି ପାଖ ବଜାରରେ ବିକ୍ରି କରୁଥିଲେ। ହେଲେ ସେମାନଙ୍କୁ ପରିଶ୍ରମ ଅନୁସାରେ ଉଚିତ ପାରିଶ୍ରମିକ ମିଳୁ ନଥିଲା। ତେଣୁ ଏହାକୁ ଦୃଷ୍ଟିରେ ରଖି ବନ ଧନ ବିକାଶ କାର୍ଯ୍ୟକ୍ରମ ଅଧୀନରେ ଏସଏଚଜି ମହିଳାମାନଙ୍କୁ ସାମିଲ କରାଯାଇ ଖଲିପତ୍ର ତିଆରି ପାଇଁ ଆଧୁନିକ ଯନ୍ତ୍ରପାତି ଯୋଗାଇ ଦିଆଯାଇଛି। ଏହାର ବିକ୍ରିବଟା ପାଇଁ ବଜାର ସୁବିଧା ମଧ୍ୟ କରାଯାଉଛି। ଆଗାମୀ ଦିନରେ ଏହାର କାର୍ଯ୍ୟ ପରିସରକୁ ବ୍ୟାପକ କରାଯାଇ କ୍ଷୁଦ୍ର ଶିଳ୍ପରେ ପରିଣତ କରିବାକୁ ଲକ୍ଷ୍ୟ ରହିଛି‘, କହିଛନ୍ତି ସୁନ୍ଦରଗଡ଼ ଆଇଟିଡିଏର ପ୍ରକଳ୍ପ ପ୍ରଶାସକ ରାମକୃଷ୍ଣ ଗଣ୍ଡ।

ସୁନ୍ଦରଗଡ଼ ଆଇଟିଡିଏ ଅଧୀନରେ ମୋଟ ୧୮ଟି ଭିଡିଭିକେ ୟୁନିଟ ରହିଛି। ସେଥିମଧ୍ୟରୁ ବାଲିଶଙ୍କରା, ଟାଙ୍ଗରପାଲି, ସବଡେଗା, ଲେଫ୍ରିପଡ଼ା ଏବଂ ହେମଗିର ବ୍ଳକରେ ଥିବା ୯ଟି ଭିଡିଭିକେ ୟୁନିଟର ମହିଳାମାନେ ଏହି ଖଲିପତ୍ର ତିଆରି କରୁଛନ୍ତି। ଏଥିପାଇଁ ସେମାନଙ୍କୁ ଷ୍ଟିଚିଂ ଓ ପ୍ରେସ୍ ମେସିନ ସହିତ ଓଜନ ମେସିନ ଆଦି ଯୋଗାଇ ଦିଆଯାଇଛି। ଏହାର ପରିଚାଳନା ପାଇଁ ସୁନ୍ଦରଗଡ଼ ଆଇଟିଡିଏ ପକ୍ଷରୁ ମହିଳାମାନଙ୍କୁ ତାଲିମ ମଧ୍ୟ ଦିଆଯାଉଛି।

‘‘ଆମ ଭିଡିଭିକେ ୟୁନିଟରେ ୩୦୦ ଜଣ ସଦସ୍ୟା ଅଛନ୍ତି। ଆମେ ମିଳିମିଶି ଜଙ୍ଗଲରୁ ପତ୍ର ସଂଗ୍ରହ କରିବା ସହିତ ମେସିନରେ ଖଲିପତ୍ର ତିଆରି କରିବା ଯାଏଁ ସବୁ କାମ କରୁଛୁ। ଏହି କାମ ପାଇଁ ଆମକୁ ମେସିନ ମିଳିଛି। ଫଳରେ ସୁବିଧାରେ ଆମେ ଖଲିପତ୍ର ତିଆରି କରି ବଜାରରେ ବିକ୍ରି କରିପାରୁଛୁ’’, କହନ୍ତି ସବଡେଗା ଭିଡିଭିକେ ୟୁନିଟର ସମ୍ପାଦିକା ସବିତା ମାଝି।

‘‘ଆମେ ତିଆରି କରୁଥିବା ଖଲିପତ୍ରର ଭଲ ଚାହିଦା ରହିଛି। ଆମେ ଏହାକୁ ପାଖ ବଜାରରେ ବିକ୍ରି କରିବା ସହିତ ବିଭିନ୍ନ ମେଳା ଓ ମହୋତ୍ସବକୁ ମଧ୍ୟ ଯାଉଛୁ। ଲୋକମାନେ ଏହାକୁ ଆଗ୍ରହର ସହ କିଣୁଛନ୍ତି। ଆଗ ଅପେକ୍ଷା ଆମକୁ ଅଧିକ ଲାଭ ମିଳୁଛି’’, କହିଛନ୍ତି ଭିଡିଭିକେ ୟୁନିଟର ଆଉ ଜଣେ ସଦସ୍ୟା ପିଙ୍କି ମେହେର।

ଆଗରୁ ଆଦିବାସୀ ମହିଳାମାନେ ହାତରେ ଖଲିପତ୍ର ତିଆରି କରୁଥିଲେ। କିନ୍ତୁ ଏବେ ମେସିନ ବ୍ୟବହାର କରିବା ଫଳରେ ଖଲିପତ୍ର ପ୍ରସ୍ତୁତି ସୁବିଧାଜନକ ହୋଇପାରିଛି। କମ୍ ସମୟରେ ଅଧିକ ଖଲିପତ୍ର ଉତ୍ପାଦନ ହୋଇପାରୁଛି। ଗୋଟିଏ ଭିଡିଭିକେ ୟୁନିଟରୁ ଏବେ ଦିନକୁ ପ୍ରାୟ ୧୨୦୦ରୁ ୧୫୦୦ ଖଲିପତ୍ର ବାହାରି ପାରୁଛି।

ଭିଡିଭିକେ ୟୁନିଟର ମହିଳାମାନେ ପାଖ ଜଙ୍ଗଲରୁ ଶାଳ ଓ ଶିଆଳି ପତ୍ର ସଂଗ୍ରହ କରି ଏହାକୁ ଖରାରେ ଶୁଖାଇ ଷ୍ଟିଚିଂ ପାଇଁ ପ୍ରସ୍ତୁତ କରିଥାନ୍ତି। ପ୍ରଥମେ ଖଡ଼ିକାରେ ଷ୍ଟିଚିଂ କରିବା ପରେ ଏହାକୁ ମେସିନରେ ସିଲେଇ କରାଯାଇଥାଏ। ଷ୍ଟିଚିଂ ହୋଇଥିବା ପତ୍ରକୁ ପ୍ରେସ୍ ମେସିନରେ ପ୍ରେସ୍ କରାଯାଇ ଖଲିପତ୍ର ତିଆରି କରାଯାଇଥାଏ।

ଆଦିବାସୀ ଭାଇ ଭଉଣୀମାନଙ୍କୁ ସେମାନଙ୍କ ପାରମ୍ପରିକ ଜ୍ଞାନ ଓ ଦକ୍ଷତା ଆଧାରରେ ଜୀବିକାର ବ୍ୟାପକ ସୁଯୋଗ ଦେବା ପାଇଁ ’ବନ ଧନ ବିକାଶ କର୍ଯ୍ୟକ୍ରମ’ (ଭିଡିଭିକେ) ଲାଗୁ କରାଯାଇଛି। ବିଶେଷକରି ଆଦିବାସୀ ମହିଳାମାନଙ୍କ ଜୀବିକାକୁ ଅଧିକ ସୁଦୃଢ଼ କରିବା ପାଇଁ ସେମାନଙ୍କୁ ବିଭିନ୍ନ ନୂଆ ନୂଆ କାମରେ ନିୟୋଜିତ କରାଯାଉଛି।
ବିଶ୍ୱରଂଜନ ହୋତା
ସୁନ୍ଦରଗଡ଼

ad-week
Leave A Reply

Your email address will not be published.