ଏମ୍‌ଭି-୫୩ରୁ ଉଦ୍ଧାର ହେଲା ବଜ୍ରକାପ୍ତା : ବନ ବିଭାଗର ତତ୍ପରତା, ପ୍ରାକୃତିକ ପରିବେଶରେ ଛଡ଼ାଯିବ

ମାଲକାନଗିରି: ମାଲକାନଗିରି ଜିଲ୍ଲା ବାଲିମେଳା ବନାଞ୍ଚଳ ଅଧୀନ ଏମ୍‌ଭି-୫୩ ଗାଁରୁ ଏକ ବଜ୍ରକାପ୍ତା ଉଦ୍ଧାର କରାଯାଇଛି। ବୁଧବାର, ୩୦ ସେପ୍ଟେମ୍ବର ୨୦୨୬ରେ ସୋମନାଥପୁର ସେକ୍ସନ୍ ଅଧୀନ ପୁଷପାଲି ବିଟ୍‌ର ବନ କର୍ମଚାରୀମାନେ ସ୍ଥାନୀୟ ଲୋକଙ୍କ ସୂଚନା ଆଧାରରେ ଏହି ବଜ୍ରକାପ୍ତାକୁ ସୁରକ୍ଷିତ ଉଦ୍ଧାର କରିଛନ୍ତି।

ସୂଚନା ଅନୁଯାୟୀ, ଏମ୍‌ଭି-୫୩ ଗ୍ରାମର ବାସିନ୍ଦା ରବି ରାୟ ନିଜ ଘର ବାରିପଟେ କୁକୁର ଦୀର୍ଘ ସମୟ ଧରି ଭୁକୁଥିବା ଦେଖି ସେଠାକୁ ଯାଇଥିଲେ। ଏହି ସମୟରେ ସେ ଏକ ବଜ୍ରକାପ୍ତାକୁ ଦେଖି ବନ ବିଭାଗକୁ ଖବର ଦେଇଥିଲେ। ଘର ପଛପଟେ ଜଙ୍ଗଲ ଥିବାରୁ ବଜ୍ରକାପ୍ତାଟି ବାଟବଣା ହୋଇ ଗାଁ ଅଞ୍ଚଳକୁ ଆସିଥାଇପାରେ ବୋଲି ରବି ରାୟ କହିଛନ୍ତି।

ଖବର ପାଇବା ପରେ ପୁଷପାଲି ବିଟ୍‌ର ବନ କର୍ମଚାରୀମାନେ ଗାଁରେ ପହଞ୍ଚି ବଜ୍ରକାପ୍ତାଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ। ବର୍ତ୍ତମାନ ଏହାକୁ ଚିକିତ୍ସା ନିରୀକ୍ଷଣରେ ରଖାଯାଇଛି। ସମ୍ପୂର୍ଣ୍ଣ ସୁସ୍ଥ ଓ ମୁକ୍ତି ପାଇଁ ଉପଯୁକ୍ତ ବୋଲି ନିଶ୍ଚିତ ହେବା ପରେ ବନ ବିଭାଗର ନିୟମାନୁସାରେ ଏହାକୁ ପୁଣି ପ୍ରାକୃତିକ ଆବାସସ୍ଥଳୀରେ ଛାଡ଼ି ଦିଆଯିବ।

ଘଟଣା ସମ୍ପର୍କରେ ବନ ବିଭାଗ ପକ୍ଷରୁ ୟୁଡି ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି।

ବାଲିମେଳା ରେଞ୍ଜର ଲିସମିତା କହଁର କହିଛନ୍ତି ଯେ, ଉଦ୍ଧାର ହୋଇଥିବା ସ୍ଥାନ ନିକଟବର୍ତ୍ତୀ ଜଙ୍ଗଲ ଅଞ୍ଚଳରେ ମଧ୍ୟ ଖୋଜାଖୋଜି କରାଯିବ। ସେଠାରେ ଆଉ କୌଣସି ବଜ୍ରକାପ୍ତା ଥିବା ସମ୍ଭାବନା ଥିଲେ ତାହା ଜଣାପଡ଼ିପାରେ ବୋଲି ସେ କହିଛନ୍ତି।

ଉଦ୍ଧାର କାର୍ଯ୍ୟରେ ଫରେଷ୍ଟ ଗାର୍ଡ ସୁଜାତା ବୈରାଗୀ, ଫରେଷ୍ଟର ସମୀର ଜେନା, ଫରେଷ୍ଟର ସୁଧୀର କିଲକାଙ୍କ ସହ ପାରା କର୍ମଚାରୀ ମଙ୍ଗଳା ସୁଆବୀ, ମେଘନାଥ ଖିଲ୍ଲା ଓ ମଙ୍ଗରାଜ କାନ୍ତେରୀ ସହଯୋଗ କରିଥିଲେ।

ad-week
Leave A Reply

Your email address will not be published.