ଲୁଣିପାଣି ମତ୍ସ୍ୟଚାଷ ଉପରେ ଜିଲ୍ଲାସ୍ତରୀୟ ସଚେତନତା କାର୍ଯ୍ୟକ୍ରମ

ବ୍ରହ୍ମପୁର : ଲୁଣିପାଣିରେ ଆଧୁନିକ ଜ୍ଞାନକୌଶଳର ପ୍ରୟୋଗ ମାଧ୍ୟମରେ ମତ୍ସ୍ୟ ଓ ଚିଙ୍ଗୁଡ଼ି ଚାଷକୁ ଅଧିକ ଲାଭଜନକ କରିବା ଏବଂ ମତ୍ସ୍ୟଚାଷୀଙ୍କ ଆୟ ବୃଦ୍ଧି ଲକ୍ଷ୍ୟରେ ଆଜି ବ୍ରହ୍ମପୁରସ୍ଥିତ ଗଞ୍ଜାମ ମୁଖ୍ୟ ଜିଲ୍ଲା ମତ୍ସ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଲୁଣିପାଣି ମତ୍ସ୍ୟଚାଷ ସମ୍ପର୍କିତ ଜିଲ୍ଲାସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

କାର୍ଯ୍ୟକ୍ରମରେ ମତ୍ସ୍ୟ ବିଭାଗର ଉପନିର୍ଦ୍ଦେଶକ ମନୋରଞ୍ଜନ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଲୁଣିପାଣି ମତ୍ସ୍ୟଚାଷର ବିକାଶ ଓ ଏହାର ବ୍ୟାପକ ସମ୍ଭାବନା ସମ୍ପର୍କରେ ମତ୍ସ୍ୟଚାଷୀମାନଙ୍କୁ ଅବଗତ କରାଇଥିଲେ। ଗଞ୍ଜାମ-୨ କୃଷି ବିଜ୍ଞାନ କେନ୍ଦ୍ରର ମତ୍ସ୍ୟ ବିଜ୍ଞାନୀ ଡ. ସିଦ୍ଧାର୍ଥ ଶଙ୍କର ଦାସ ଏବଂ ଗଞ୍ଜାମ ମୁଖ୍ୟ ଜିଲ୍ଲା ମତ୍ସ୍ୟ ଅଧିକାରୀ ବି.ବି.ଜେ. ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ ମତ୍ସ୍ୟଚାଷୀମାନଙ୍କୁ ଆବଶ୍ୟକ ପରାମର୍ଶ ଓ ମାର୍ଗଦର୍ଶନ ପ୍ରଦାନ କରିଥିଲେ।

ଏହି ଅବସରରେ ଲୁଣିପାଣିରେ ନୂତନ ଜ୍ଞାନକୌଶଳର ପ୍ରୟୋଗ, ଜଳର ଗୁଣବତ୍ତା ନିୟନ୍ତ୍ରଣ, ଚିଙ୍ଗୁଡ଼ି ଓ ମାଛର ବିଭିନ୍ନ ରୋଗର ପ୍ରତିରୋଧ ଓ ନିୟନ୍ତ୍ରଣ, ଉତ୍ପାଦନ ବୃଦ୍ଧି ତଥା ଚାଷୀଙ୍କ ଆୟ ବୃଦ୍ଧି ଦିଗରେ ଆବଶ୍ୟକ ପରାମର୍ଶ ଦିଆଯାଇଥିଲା।

ଏଥିସହ ବିଭିନ୍ନ ସରକାରୀ ଯୋଜନା, ଆର୍ଥିକ ସହାୟତା ଓ ରିହାତି ସୁବିଧା ସମ୍ପର୍କରେ ମଧ୍ୟ ଉପସ୍ଥିତ ମତ୍ସ୍ୟଚାଷୀ ଓ ଉଦ୍ୟୋଗୀମାନଙ୍କୁ ସୂଚନା ପ୍ରଦାନ କରାଯାଇଥିଲା।

କାର୍ଯ୍ୟକ୍ରମରେ ସହକାରୀ ମତ୍ସ୍ୟ ଅଧିକାରୀ ଅଙ୍କିତା କରଙ୍କ ସମେତ ରଙ୍ଗେଇଲୁଣ୍ଡା, ଚିକିଟି, ଗଞ୍ଜାମ, ଖଲ୍ଲିକୋଟ ଓ ଛତ୍ରପୁର ବ୍ଲକର ସହକାରୀ ମତ୍ସ୍ୟ ଅଧିକାରୀମାନେ ଯୋଗଦେଇଥିଲେ। ଜିଲ୍ଲାର ବିଭିନ୍ନ ଉପକୂଳବର୍ତ୍ତୀ ଅଞ୍ଚଳରୁ ୫୦ରୁ ଊର୍ଦ୍ଧ୍ୱ ଲୁଣିପାଣି ଚିଙ୍ଗୁଡ଼ି ଚାଷୀ ଓ ଉଦ୍ୟୋଗୀ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

ad-week
Leave A Reply

Your email address will not be published.