ନୂଆ ଭାରତରେ ମଦ୍ରାସାର ଆବଶ୍ୟକତା ନାହିଁ କହିଲେ ଆସାମ ମୁଖ୍ୟମନ୍ତ୍ରୀ

add-all

ଗୌହାଟୀ : ଆସାମରେ କ୍ଷମତାସୀନ ବିଜେପି ସରକାର ରାଜ୍ୟରେ ବାକି ରହିଥିବା ମଦ୍ରାସା ଗୁଡ଼ିକୁ ମଧ୍ୟ ବନ୍ଦ କରିବାକୁ ଲକ୍ଷ୍ୟ ରଖିଛି। ପୂର୍ବରୁ ରାଜ୍ୟ ସରକାରଙ୍କ ସହାୟତାରେ ଚାଲିଥିବା ମଦ୍ରାସାଗୁଡ଼ିକୁ ସାଧାରଣ ସ୍କୁଲରେ ପରିଣତ କରାଯାଇଥିଲା। ଏବେ ମୁସଲିମ ସଂପ୍ରଦାୟର ପିଲାମାନେ ନିଜର ପ୍ରାଥମିକ ଶିକ୍ଷା ଗ୍ରହଣ କରୁଥିବା ବାକି ମଦ୍ରାସା ଗୁଡ଼ିକୁ ବି ବନ୍ଦ କରିବାକୁ ଯୋଜନା କରିଛନ୍ତି ଆସାମ ସରକାର। ନୂଆ ଭାରତରେ ଏପରି କୌଣସି ଧାର୍ମିକ ଶିକ୍ଷାର ଆବଶ୍ୟକତା ନାହିଁ ବୋଲି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା କହିବା ପରେ ଏପରି ଚର୍ଚ୍ଚା ଆରମ୍ଭ ହୋଇଛି।
କର୍ଣ୍ଣାଟକାରେ ବିଜେପି ପାଇଁ ପ୍ରଚାର କରୁଥିବା ବିଶ୍ୱଶର୍ମା କହିଛନ୍ତି, “ଆସାମ ସ୍କୁଲ, କଲେଜ ଓ ବିଶ୍ୱବିଦ୍ୟାଳୟ ଚାହେଁ। ଏହାଦ୍ୱାରା ଏଠାରୁ ଡାକ୍ତର, ଇଞ୍ଜିନିୟର ଓ ଅନ୍ୟ ଶିକ୍ଷିତ ପିଲା ବାହାରିବେ। ସେମାନେ ରାଜ୍ୟ ଓ ଦେଶର ସେବା କରିବାକୁ ସକ୍ଷମ ହେବେ। ତେଣୁ ନୂଆ ଭାରତ ଓ ଆସାମ ଏପରି ବ୍ୟବସ୍ଥା ଚାହେଁ। ନୂଆ ଭାରତରେ ମଦ୍ରାସା ଭଳି ଧାର୍ମିକ ଶିକ୍ଷାନୁଷ୍ଠାନର କୌଣସି ଆବଶ୍ୟକତା ନାହିଁ।”
ଆସାମରେ ବିଜେପି ସରକାର ଗତବର୍ଷ ସରକାରୀ ଅନୁଦାନରେ ଚାଲୁଥିବା ପ୍ରାୟ ୬୦୦ଟି ମଦ୍ରାସାକୁ ବନ୍ଦ କରି ଦେଇଥିଲେ। ହେଲେ ଘରୋଇ ସଂଗଠନ ଦ୍ୱାରା ପରିଚାଳିତ ମଦ୍ରାସାଗୁଡ଼ିକ ବିରୋଧରେ କୌଣସି ପ୍ରକାରର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିଲେ। ସରକାରଙ୍କ ନିଷ୍ପତ୍ତିକୁ ଗୌହାଟୀ ହାଇକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିବା ବେଳେ ଏହା ଅଗ୍ରାହ୍ୟ ହୋଇଯାଇଥିଲା।
ଏବେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା କହିଛନ୍ତି, “ମୁଁ ଆସାମରୁ ଆସିଛି। ସେଠାରେ ପ୍ରତିଦିନ ବାଂଲାଦେଶରୁ ଅନୁପ୍ରବେଶର ବିପଦ ରହିଛି। ଆମ ସଂସ୍କୃତି ଓ ପରମ୍ପରା ଉପରେ ବିପଦ ରହୁଛୁ। ଆମକୁ ପ୍ରଥମେ ଆମ ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ଆଣିବାକୁ ପଡ଼ିବ। ଇତିହାସକୁ ପୁଣି ଲେଖିବା ପାଇଁ ସମୟ ଆସିଛି। କାରଣ ଆମ ଇତହାସକୁ ଧ୍ୱଂସ କରିଦିଆଯାଉଛି।”
କଂଗ୍ରେସକୁ ଟାର୍ଗେଟ କରି ସେ ଅଭିଯୋଗ କରିଛନ୍ତି ଯେ ଦେଶର ଏହି ସର୍ବପୁରୁତାନ ରାଜନୀତିକ ଦଳ ନୂଆ ମୋଗଲକୁ ପ୍ରତିନିଧିତ୍ୱ କରୁଛି। ସେ କହିଛନ୍ତି, “ପୂର୍ବରୁ ମୋଗଲ ଅନୁପ୍ରବେଶକାରୀ ଭାରତକୁ ଦୁର୍ବଳ କରିବାକୁ ଚେଷ୍ଟା କରିଥିଲେ। ଏବେ କଂଗ୍ରେସ ସମାନ କାମ କରୁଛି। କାହିଁକି ଆପଣ ବାବ୍ରୀ ମସଜିଦ ସପକ୍ଷରେ କହୁଛନ୍ତି? ରାମ ମନ୍ଦିର ସପକ୍ଷରେ କାହିଁକି ମତ ରଖୁନାହାନ୍ତି?”
ବିଶ୍ୱଶର୍ମା ଦାବି କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୋଟିଏ ନୂଆ ଭାରତର ନେତୃତ୍ୱ ନେଉଛନ୍ତି। ସେ ବିଲୁପ୍ତ ହୋଇଯାଉଥିବା ଦେଶର ସଂସ୍କୃତି, ପରମ୍ପରା ଓ ଧର୍ମପୀଠକୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରୁଛନ୍ତି। ଲୋକମାନେ ଏଠାରେ କହୁଛନ୍ତି ଯେ ମୁଁ ମୁସଲିମ ଭାବେ ଗର୍ବିତ କିମ୍ବା ମୁଁ ଖ୍ରୀଷ୍ଟିୟାନ ଭାବେ ଗର୍ବିତ। ଆମେ ଚାହୁଁଛୁ ଯେ ଲୋକମାନେ ମୁଁ ହିନ୍ଦୁ ବୋଲି ଗର୍ବିତ ବୋଲି କୁହନ୍ତୁ। କିଛି ଲୋକ ଆମେ ଭିତରେ ବିଭେଦତା ସୃଷ୍ଟି କରିଛନ୍ତି ଓ କରୁଛନ୍ତି। କିନ୍ତୁ ଆମକୁ ମନେ ରଖିବାକୁ ପଡ଼ିବ ଯେ ଆମେ ହିନ୍ଦୁ ଓ ଭାରତୀୟ। ସନାତନ ଏକମାତ୍ର ମାଧ୍ୟମ ଯାହା ଦେଶକୁ ଅଧିକ ସଶକ୍ତ କରିପାରିବ ବୋଲି ସେ କହିଛନ୍ତି।

ad-week
Leave A Reply

Your email address will not be published.