ଦନ୍ତାହାତୀ ପାଇଁ ପ୍ରଥମ ଥର ରାତିରେ ଅଦାଲତ ଚଳାଇଲେ କେରଳ ହାଇକୋର୍ଟ…

add-all

ତିରୁଅନନ୍ତପୁରମ୍‌: ବନ୍ୟପ୍ରାଣୀ ଅଧିକାର ସୁରକ୍ଷିତ କରିବା ଏବଂ ଗୋଠଖଣ୍ଡିଆ ଦୁଷ୍ଟ ଦନ୍ତାହାତୀ ‘ଅରିକୋମ୍ବନ୍‌’କୁ ଧରିବା ଅଭିଯାନ ମାର୍ଚ ୨୦ ତାରିଖ ପର୍ଯ୍ୟନ୍ତ ବାତିଲ କରିବା ନିମନ୍ତେ ଆଗତ ପିଟିସନ୍‌ଗୁଡ଼ିକର ଶୁଣାଣି କରିବା ଲାଗି ପ୍ରଥମ ଥର ପାଇଁ କେରଳ ହାଇକୋର୍ଟ ରାତିରେ ଏକ ବିଶେଷ ଅଧିବେଶନ ଆୟୋଜନ କରିଥିଲେ।
କେରଳର ଇଡୁକ୍କି ଜିଲ୍ଲାର ପାହାଡ଼ୀ ଅଞ୍ଚଳ ଚିନ୍ନାକାନାଲ ଏବଂ ଶାନ୍ତନପଡ଼ାରେ ଉତ୍ପାତ କରୁଥିବା ଗୋଠଖଣ୍ଡିଆ ଦୁଷ୍ଟ ବଣୁଆ ଦନ୍ତାହାତୀ ଅରିକୋମ୍ବନକୁ ଧରିବା ଲାଗି କେରଳ ବନ ବିଭାଗ କୁଞ୍ଜୁ, କୋନ୍ନି ସ‌ୁରେନ୍ଦ୍ରନ୍‌, ସୂର୍ଯ୍ୟାନ୍‌ ଏବଂ ବିକ୍ରମ୍‌ ନାମରେ ୪ଟି କୁମ୍‌କି ହାତୀଙ୍କ ସହାୟତା ନେବାକୁ ଯୋଜନା କରିଛି।
ମାଲୟାଲୀ ଭାଷାରେ ଅରି ଅର୍ଥ ଚାଉଳ ଏବଂ କୋମ୍ବମ୍‌ ଅର୍ଥ ଦନ୍ତାହାତୀ। ଚାଉଳ ସେ ହାତୀର ପ୍ରିୟ ହୋଇଥିବାରୁ ତା’ର ଏଭଳି ନାମକରଣ କରାଯାଇଛି।
ତାକୁ କ‌ୌଣସିମତେ ନିଶ୍ଚେତକ ମାରି ଧରିବା ଲାଗି କେରଳ ସରକାର ମଧ୍ୟ ବିସ୍ତୃତ ଯୋଜନା କରିଛନ୍ତି। ସେଥିରୁ ଗୋଟାଏ ହେଉଛି, ଚାଉଳ ରଖାଯାଇଥିବା ଅସ୍ଥାୟୀ ସଉଦା ଦୋକାନ ସ୍ଥାପନା।
କିନ୍ତୁ, ଗୁରୁବାର ରାତିରେ ବିଚାରପତି ଏ. କେ. ଜୟଶଙ୍କରନ୍‌ ନାମ୍ବିୟାର୍‌ ଏବଂ ପି. ଗୋପୀନାଥଙ୍କୁ ନେଇ ଗଠିତ କେରଳ ହାଇକୋର୍ଟଙ୍କ ଡିଭିଜନ୍‌ ଖଣ୍ଡପୀଠ ସରକାରଙ୍କ ହାତୀଧରା ଉପରେ ଅନ୍ତରୀଣ ରହିତାଦେଶ ଜାରିକରିଛନ୍ତି।
କିନ୍ତୁ, ହାତୀଟି ଯେପରି ଜନବସତି ମଧ୍ୟକୁ ପ୍ରବେଶ ନ କରେ କି, କିଛି କ୍ଷୟକ୍ଷତି ନ କରେ ସେଥିପ୍ରତି ସୁନିଶ୍ଚିତ ରହିବାକୁ ଅଦାଲତ ବନବିଭାଗକୁ ସତର୍କ କରାଇ ପ୍ରୟୋଜନ ହେଲେ ଅଧିକ ବନରକ୍ଷୀ ମୁତୟନ କରିବାକୁ ଆଦେଶ ଦେଇଛନ୍ତି।
ଆଜି ଏ ବିଷୟରେ କେରଳ ସରକାର ଏକ ଉଚ୍ଚସ୍ତରୀୟ ବୈଠକ ଡକାଇଛନ୍ତି।

ad-week
Leave A Reply

Your email address will not be published.