ବିଲକିସ ବାନୋ ମାମଲା: ୧୧ ଦୁଷ୍କର୍ମକାରୀଙ୍କୁ ମୁକ୍ତ ନେଇ ପ୍ରଶ୍ନ ଉଠାଇଲେ ସୁପ୍ରିମକୋର୍ଟ…

add-all

ନୂଆଦିଲ୍ଲୀ : ଗଣ ଦୁଷ୍କର୍ମ ଓ ହତ୍ୟା ମାମଲାରେ ୧୧ ଦୋଷୀଙ୍କୁ ମୁକ୍ତ କରିବାକୁ ଚ୍ୟାଲେଞ୍ଜ କରି ୨୦୦୨ ଦଙ୍ଗା ପୀଡ଼ିତା ବିଲକିସ ବାନୋ ସୁପ୍ରିମକୋର୍ଟରେ ପୁଣି ଥରେ ଆବେଦନ କରିଥିଲେ। ଦୋଷୀମାନଙ୍କୁ ଆଗୁଆ ମୁକ୍ତ କରିବା ନିର୍ଣ୍ଣୟ ବିରୋଧରେ ପୁନର୍ବିଚାର ଲାଗି ସର୍ବୋଚ୍ଚ ନ୍ୟାୟାଳୟରେ ଏକାଧିକ ଆବେଦନ ହୋଇଛି । ଏହି ମାମଲାରେ ଆଜି ସୁପ୍ରିମକୋର୍ଟ ଶୁଣାଣି ଆରମ୍ଭ କରି ପ୍ରଶ୍ନ କରିଛନ୍ତି। କ୍ଷମା ପ୍ରାର୍ଥନା ମାନଦଣ୍ଡ ଅନୁଯାୟୀ ଦୋଷୀଙ୍କୁ ମୁକ୍ତ କରାଯାଇଛି କି ନାହିଁ ସେ ବାବଦରେ ସମସ୍ତ କାଗପତ୍ର ପରବର୍ତ୍ତୀ ଶୁଣାଣିରେ ଦାଖଲ କରିବାକୁ କେନ୍ଦ୍ରକୁ ସୁପ୍ରିମକୋର୍ଟ ନୋଟିସ୍ କରିଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଯେ, ଆମ ଆଗରେ ଅନେକ ହତ୍ୟା ମାମଲା ଅଛି, ଯେଉଁଠି ଦୋଷୀ ବର୍ଷ ବର୍ଷ ଧରି କ୍ଷମା ପାଇଁ ଆବେଦନ କରି ଜେଲ ଭୋଗୁଛନ୍ତି। ଏହି କେସ୍‌ରେ କ୍ଷମା ପ୍ରାର୍ଥନା ମାନଦଣ୍ଡକୁ ଠିକ୍ ଭାବରେ ଅନୁସରଣ କରାଯାଇଛି କି ନାହିଁ କୋର୍ଟ ପ୍ରଶ୍ନ କରିଛନ୍ତି। ଏହି ମାମଲାର ଶୁଣାଣି ପାଇଁ ସ୍ଥାପିତ ଦୁଇଜଣିଆ ଖଣ୍ଡପୀଠର ଅଂଶବିଶେଷ ଜଷ୍ଟିସ୍ କେ.ଏମ ଜୋସେଫ ଏହି ପ୍ରଶ୍ନ କରିଥିଲେ।

ବିଲକିସ୍ ବାନୋଙ୍କ ୧୧ ଜଣ ଦୁଷ୍କର୍ମକାରୀଙ୍କୁ ମୁକ୍ତି ବିରୋଧରେ ସିରିଜ୍ ଆବେଦନ କରାଯାଇଛି। ଆବେଦନକାରୀଙ୍କ ମଧ୍ୟରେ ଟିଏମସି ଏମପି ମହୁଆ ମୈତ୍ର, ସିପିଏମ ପଲିଟବୁରୋ ସଦସ୍ୟ ସୁଭାଶିନୀ ଅଲି ଏବଂ ଅନ୍ୟମାନେ ଅଛନ୍ତି। ସେହିପରି ବିଲକିସ୍ ବାନୋ ମଧ୍ୟ ଦୁଇଟି ପିଟିସନ ଦାଖଲ କରିଛନ୍ତି। ସେଥିରୁ ଗୋଟିଏରେ ସର୍ବୋଚ୍ଚ ଅଦାଲତକୁ ମେ ୨୦୨୨ଆଦେଶର ସମୀକ୍ଷା କରି ଗୁଜୁରାଟ ସରକାରଙ୍କୁ ଦୋଷୀ ସାବ୍ୟସ୍ତ କରିବାକୁ ଆବେଦନ କରାଯାଇଥିଲା। ଯାହାକୁ କୋର୍ଟ ଖାରଜ କରିଦେଇଛନ୍ତି। ସୂଚନା ଯୋଗ୍ୟ ଯେ, ୨୦୦୨ ଗୋଧ୍ରା ଟ୍ରେନ ପୋଡ଼ି ପରେ ଗୁଜରାଟରେ ଦଙ୍ଗା ହୋଇଥିଲା। ଏହି ସମୟରେ ବିଲକିସ ବାନୋଙ୍କୁ ଗଣଦୁଷ୍କର୍ମ କରିବା ଏବଂ ତାଙ୍କର ୩ ବର୍ଷର ଝିଅ ଓ ୭ ଜଣ ସମ୍ପର୍କୀୟଙ୍କ ସହ ୧୩ ଜଣଙ୍କୁ ହତ୍ୟା କରିବା ଅଭିଯୋଗରେ ୧୧ ଜଣ ବ୍ୟକ୍ତି ଦୋଷୀ ସାବ୍ୟସ୍ତ ହୋଇଥିଲେ। ୨୦୦୮ ଜାନୁଆରିରେ ସ୍ୱତନ୍ତ୍ର ସିବିଆଇ କୋର୍ଟ ଉକ୍ତ ଦୋଷୀମାନଙ୍କୁ ଆଜୀବନ କାରାଦଣ୍ଡାଦେଶ ଦେଇଥିଲେ। ପରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ମାମଲା ଅହମ୍ମଦାବାଦ ରୁ ବମ୍ବେ ହାଇକୋର୍ଟକୁ ସ୍ଥାନାନ୍ତର ହୋଇଥିଲା।

ବମ୍ବେ ହାଇକୋର୍ଟ ଉକ୍ତ ଦଣ୍ଡାଦେଶକୁ କାଏମ୍ ରଖିଥିଲେ। ୧୫ ବର୍ଷରୁ ଊର୍ଦ୍ଧ୍ୱକାଳ ଜେଲଦଣ୍ଡ ଭୋଗିବା ପରେ ଜଣେ ଦୋଷୀ ସୁପ୍ରିମ୍‌କୋର୍ଟରେ ସେମାନଙ୍କୁ ଖଲାସ କରିଦେବା ପାଇଁ ଆବେଦନ କରିଥିଲେ। କୋର୍ଟ ଗୁଜରାଟ ସରକାରଙ୍କୁ ଏ ବିଷୟରେ ବିଚାର କରି ନିଷ୍ପତ୍ତି ନେବାକୁ ଆଦେଶ ଦେଇଥିଲେ। ଗୁଜରାଟ ସରକାର ଏ ନେଇ ଏକ କମିଟି ଗଠନ କରିଥିଲେ। କମିଟି ୧୧ ଜଣଙ୍କୁ ସରକାରଙ୍କ ପୁରୁଣା ବନ୍ଦୀ ମୁକ୍ତି ନୀତି (୧୯୯୨) ଅନୁଯାୟୀ ଖଲାସ କରିବାକୁ ସୁପାରିସ କରିଥିଲା। ଏହା ପରେ, ଚଳିତ ବର୍ଷ ଅଗଷ୍ଟ ୧୫ରେ ଗୁଜରାଟ ସରକାର ସମସ୍ତ ୧୧ଦୋଷୀଙ୍କୁ ମୁକ୍ତ କରି ସେମାନଙ୍କୁ ଦଣ୍ଡରୁ ମୁକ୍ତ କରିଥିଲେ।

ad-week
Leave A Reply

Your email address will not be published.