ଅଣ ଓଡ଼ିଆଙ୍କ ହାତରେ ଓଡ଼ିଶାର ଭାଗ୍ୟ…

add-all

ହରିହର ତ୍ରିପାଠୀ

୧୯୧୭ ମସିହାରେ ବ୍ରିଟିଶ ପାର୍ଲାମେଣ୍ଟ ମିଷ୍ଟର ମଣ୍ଟେଗୁଙ୍କୁ ଭାରତର ଶାସନ ସଂସ୍କାର ବିଷୟରେ ଖସଡା ପ୍ରସ୍ତୁତ କରିବାପାଇଁ ପଠାଇଲା । ସେତେବେଳେ ଭାରତର ବଡଲାଟ ଥିବା ମିଷ୍ଟର ଚେମ୍ସଫୋର୍ଡଙ୍କ ସହ ମିଶି ମଣ୍ଟେଗୁ ଗୋଟିଏ ରିପୋର୍ଟ ପ୍ରସ୍ତୁତ କଲେ । ସେଥିରେ ସେମାନେ ଦୃଢଭାବରେ ଯୁକ୍ତି କରିଥିଲେ ଯେ ଭାରତର ପ୍ରଦେଶଗୁଡିକ ଭାଷାଭିତ୍ତିରେ ଗଠିତ ହେବା ଉଚିତ । ୧୯୧୯ ମସିହାରେ ଏହା ବ୍ରିଟିଶ ପାର୍ଲାମେଣ୍ଟରେ ପାସ୍ ହୋଇଗଲା । ଓଡ଼ିଆ ଭାଷା ଓ ଜାତିର ମହତ୍ତ୍ୱ ପ୍ରତିପାଦନ କରିବା ଲାଗି କୂଳବୃଦ୍ଧ ମଧୁସୂଦନଙ୍କ ନେତୃତ୍ୱରେ ଗୌରୀଶଙ୍କର ରାୟ, ପ୍ୟାରୀମୋହନ ଆଚାର୍ଯ୍ୟ, ବିଶ୍ୱନାଥ କର, ରାମଶଙ୍କର ରାୟ, ଗୋବିନ୍ଦ ରଥ, ଗୋବିନ୍ଦଚନ୍ଦ୍ର ପଟ୍ଟନାୟକ, ବିଚିତ୍ରାନନ୍ଦ ଦାସ, ଅଭିନ୍ନ ନାୟକ, କପିଳେଶ୍ୱର ବିଦ୍ୟାଭୂଷଣ, ବିଚ୍ଛନ୍ଦଚରଣ ପଟ୍ଟନାୟକ, ଭାଗିରଥି ଷାଠିଆ, ଦାମୋଦର ପଟ୍ଟନାୟକ, ଫକୀରମୋହନ ସେନାପତି, ରାଧାନାଥ ରାୟ, ଗଙ୍ଗାଧର ମେହେର, ମଧୁସୂଦନ ରାଓ, ନୀଳମଣି ବିଦ୍ୟାରତ୍ନ, ଗୋପବନ୍ଧୁ ଦାଶ, ଗୋଦାବରୀଶ ମିଶ୍ର, ନୀଳକଣ୍ଠ ଦାଶ ପ୍ରମୁଖ ଉଦ୍ୟମ କରିଥିଲେ ଓ ଓଡ଼ିଆ ଭାଷା ବିଦ୍ୱେଷୀମାନଙ୍କ ମୁହଁ ବନ୍ଦ କରିଦେଇଥିଲେ । ୧୯୩୨ ମସିହା ଡିସେମ୍ବର ୨୪ ତାରିଖ ଦିନ ଲଣ୍ଡନଠାରେ ଅନୁଷ୍ଠିତ ଗୋଲ୍ଟେବୁଲ ବୈଠକରେ ଭାରତର ସେକ୍ରେଟାରୀ ଅଫ୍ ଷ୍ଟେଟସ୍ ସାର୍ ସାମୁଏଲ ହୋର୍ ଘୋଷଣା କଲେ ଯେ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ଭାବରେ ଭାରତର ଭବିଷ୍ୟତ ରାଷ୍ଟ୍ରସଙ୍ଘରେ ସାମିଲ ହେବ । ଏହାପରେ ଇଂରେଜ ସରକାର ୧୯୩୩ ମସିହା ମାର୍ଚ୍ଚ ୧୭ ତାରିଖ ଦିନ ଏକ ଶ୍ୱେତପତ୍ରପ୍ରକାଶ କରି ଦୁଇଟି ନୂତନ ପ୍ରଦେଶ ଭାବେ ଓଡ଼ିଶା ଓ ସିନ୍ଧୁ ପ୍ରଦେଶକୁ ସୃଷ୍ଟି କଲେ । ଶେଷରେ ୧୯୩୬ ମସିହା ବ୍ରିଟିଶ ପାର୍ଲାମେଣ୍ଟରେ ଗଭର୍ଣ୍ଣମେଣ୍ଟ ଅଫ୍ ଇଣ୍ଡିଆ ଅର୍ଡର (କନ୍ଷ୍ଟିଚ୍ୟୁସନ୍ ଅଫ୍ ଓଡ଼ିଶା ୧୯୩୬ ) ଗୃହୀତ ହେଲା । ସେହି ଆଦେଶ ଅନୁସାରେ ସେହିବର୍ଷ ଏପ୍ରିଲ ପହିଲା ଦିନ ଭାଷାଭିତ୍ତିକ ଓଡ଼ିଶାପ୍ରଦେଶ ଗଠିତ ହେଲା ।
୧୯୩୬ ମସିହା ଏପ୍ରିଲ ମାସ ୧ ତାରିଖରେ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ଘୋଷଣା ହେବାବେଳର ସ୍ୱପ୍ନ, ଆଶା ଓ ସମ୍ଭାବନା ସବୁ ଆଜି କେତେ ସାକାର ହୋଇଛି ସେ କଥା ଚିନ୍ତାକଲେ ହତାଶ ହେବାକୁ ପଡୁଛି । ଯେଉଁ ମହାନ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ରଖି ବିଖଣ୍ଡିତ ଓଡ଼ିଶା ଏକତ୍ରିତ ହୋଇ ଏକ ସ୍ୱତନ୍ତ୍ର ପ୍ରଦେଶର ରୂପ ପାଇଥିଲା ସେ ଲକ୍ଷ୍ୟ ପୂରଣ କରିବା ଦିଗରେ ପରବର୍ତ୍ତୀ ପିଢି ସଫଳ ହୋଇଛନ୍ତି କି ? ୮୪ ବର୍ଷ ଭିତରୁ କେବଳ ଗୋଟିଏ ସରକାର ୨୨ ବର୍ଷ ରହିଥିବା ବେଳେ ପୂର୍ବର କଂଗ୍ରେସ ସରକାରର ୫୦ ବର୍ଷରୁ ଜଣେ ମୁଖ୍ୟମନ୍ତ୍ରୀ ମଧ୍ୟ ଏକାଦିକ୍ରମେ ୧୧ ବର୍ଷ ଶାସନ କରିଥିଲେ । ଅର୍ଥାତ୍ ଦୁଇଜଣ ମୁଖ୍ୟମନ୍ତ୍ରୀଙ୍କ ହାତରେ ଓଡ଼ିଶା ଶାସନ ୩୩ ବର୍ଷ ରହିଛି । ଓଡ଼ିଶାବାସୀ ଏହି ଦୁଇଜଣ ମୁଖ୍ୟମନ୍ତ୍ରୀଙ୍କୁ ସ୍ଥିର ଓ ଅଖଣ୍ଡ କ୍ଷମତା ଧରାଇଛନ୍ତି । ମାତ୍ର ହୋଇଛି କ’ଣ ? କେତେ ପ୍ରଗତି କରିଛି ଓଡ଼ିଶା ?? ବିପୁଳ ପ୍ରାକୃତିକ ସଂପଦ, ଖଣି, ଖାଦାନରେ ଭରା ଓଡ଼ିଶାର ଲୋକେ ଆଜି ବି ଦେଶରେ ପଛୁଆ ରାଜ୍ୟର ବାସିନ୍ଦାଭାବେ ଗଣା ହେଉଛନ୍ତି । ଉକ୍ରଳ ଦିବସ ବା ଓଡ଼ିଶା ଦିବସ ଆସିଲେ ଆମର ଓଡ଼ିଆ ଭାଷା କଥାଟି ମନକୁ ଆସେ, ଭାଷାର ସମୃଦ୍ଧି କଥା ଆମର ଭାଷଣରେ ସ୍ଥାନ ପାଏ । ଏହା ହେବା ଉଚିତ । ଭାଷାଭିତ୍ତିକ ରାଜ୍ୟ ଗଠିତ ହୋଇଥିବାରୁ ଆମର ଭାଷାର ସୁରକ୍ଷା ଆମେ ନକଲେ ଏହି ଭାଷା ଯେ ବିଲୁପ୍ତ ହୋଇଯିବ ଏଥିରେ ସନ୍ଦେହ ନାହିଁ । ମାତ୍ର ଭାଷା ସହିତ ଓଡ଼ିଆଙ୍କର ସାମଗ୍ରିକ ବିକାଶ କଥା ଭୁଲିଗଲେ ଚଳିବ ନାହିଁ ।
ମାତ୍ର ଆମର ଦୁର୍ଭାଗ୍ୟ ଆମର ରାଜ୍ୟ ଏମିତି ଏକ ନେତୃତ୍ୱ ହାତରେ ରହିଛି, ଯିଏ ବିକାଶ କହିଲେ ବୁଝନ୍ତି ରାଜ୍ୟବାସୀଙ୍କୁ ଭିକ୍ଷାଶୀରେ ପରିଣତ କରିବା । ଖାଇବା ଲାଗି ଓଡ଼ିଆ ଥାଳି ପତେଇ ଛିଡା ହେବ ଲାଇନରେ ଚାଉଳ ଗଣ୍ଡେ ଆଣିବାକୁ ଓଡ଼ିଆ ବ୍ୟାଗ ଓହଳାଇ ଛିଡା ହେବ ଧାଡିରେ, କାଳିଆ, ପିଠା, ଭଳି ଯୋଜନାଗୁଡିକର ଗୁଣଗାନ କରାଯିବାକୁ ଥିବା ସଭାମାନଙ୍କରେ ଓଡ଼ିଆ ଘରର ଗୃହଲକ୍ଷ୍ମୀ ରାସ୍ତାରେ ପତର ପକାଇ ଛତର ଖାଇବା ଭଳି ସ୍ଥିତି ଉପୁଜାଇଛି ଏ ସରକାର । ଏହା ବାଦ୍ ଆମେ କହିବା ଆମର ସ୍ୱାଭିମାନ ବଢ଼ିଛି ବୋଲି ? ଲୋକଙ୍କୁ ଟଙ୍କା ବାଣ୍ଟିବା ଦ୍ୱାରା ସେମାନଙ୍କର ବିକାଶ ହୁଏନା । ରାଜ୍ୟବାସୀଙ୍କ ସମ୍ପତ୍ତିର ସିଂହଭାଗ ଲୁଟ୍ କରି ସାମାନ୍ୟ ଅଂଶକୁ ସିଧାସଳଖ ରାଜ୍ୟବାସୀଙ୍କୁ ବାଣ୍ଟିଦେବା ଦ୍ୱାରା ସରକାର ଯଦି ଭାବୁଛନ୍ତି ରାଜ୍ୟ ବିକାଶ ଲାଭ କରୁଛି ତାହା ତାହା ବିଡମ୍ବନା ବ୍ୟତୀତ ଆଉ କିଛି ନୁହେଁ ।
ରାଜ୍ୟର ଋଣଭାର ଦେଢଲକ୍ଷ କୋଟି ଛୁଇଁଲାଣି । ସରକାର ଋଣ କରିବାକୁ ଆଦୌ ପଛାଉ ନାହାନ୍ତି । ଋଣ କରି ଘିଅ ପିଇବା ନୀତି ସରକାରଙ୍କୁ ବେଶ୍ ଜଣା । ରାଜ୍ୟରେ ଶିକ୍ଷା, ସ୍ୱାସ୍ଥ୍ୟ ବ୍ୟବସ୍ଥା ଭୁଶୁଡି ପଡୁଛି । ଆଦିବାସୀ, ପଛୁଆ ଅଞ୍ଚଳର ବିକାଶ ନାଁରେ ଯୋଜନା ପରେ ଯୋଜନା ହେଉଛି ମାତ୍ର ସେମାନଙ୍କ ଭାଗ୍ୟ ଯେଉଁ ତିମିରେକୁ ସେଇ ତିମିରେ । ମେକ୍ ଇନ୍ ଓଡ଼ିଶା କନ୍‌କ୍ଲେଭ କରି ରାଜ୍ୟ ସରକାର କୋଟି କୋଟି ଟଙ୍କା ବରବାଦ କରିଛନ୍ତି । ଛୁଞ୍ଚି କାରଖାନାଟିଏ ବି ଗତ ୨୨ ବର୍ଷ ଭିତରେ ରାଜ୍ୟରେ ପ୍ରତିଷ୍ଠା ହୋଇ ପାରିନି । ସରକାର କେବଳ ଏମ୍ଓୟୁ କରୁଛନ୍ତି । କମ୍ପାନୀ ଆସୁଛନ୍ତି, ଯାଉଛନ୍ତି ଏହି ଧାରା ·ଲୁ ରହିଛି । ଅନ୍ୟପକ୍ଷରେ ଓଡ଼ିଶାର ପିଲାମାନେ ଦାଦନ ଖଟିବାକୁ ସୁଦୂର ସୁରଟ, ଅହମଦାବାଦ, ଗାନ୍ଧୀଧାମ, କଚ୍ଛ, ମୁମ୍ବାଇ, ନାଗପୁର, ହିମାଚଳ ପ୍ରଭୃତି ସ୍ଥାନମାନଙ୍କୁ ଯାଉଛନ୍ତି । ସେଠାରେ ଜୀବନସାରା ଗଧଖଟଣି ଖଟି ଶେଷରେ ରୋଗ ନେଇ ଘରକୁ ଫେରୁଛନ୍ତି । ଏହା ଆମର ସରକାରଙ୍କ ଆଖିକୁ ଦିଶୁନି । ଚାଷବାସ, କୁଟୀର ଶିଳ୍ପ ଲାଗି ଆବଶ୍ୟକ ଭିତ୍ତିଭୂମି ଥିଲେ ଓଡ଼ିଆପୁଅ ଭିଟାମାଟି ଛାଡି କାହିଁକି ଦାଦନ ଖଟିବାକୁ ଯାଅନ୍ତା ?? ଓଡ଼ିଶା ଦିବସରେ ଏ ବିଷୟରେ ଗଭୀର ଚିନ୍ତନ ହେବା ଆବଶ୍ୟକ ।
ପ୍ରଶାସନର ପ୍ରତିଟିସ୍ତରରେ ଦୁର୍ନୀତି ବ୍ୟାପି ଯାଇଛି । ଲାଞ୍ଚ ନଦେଲେ କୌଣସି କାର୍ଯ୍ୟ ହେଉ ନାହିଁ । ମୁଖ୍ୟମନ୍ତ୍ରୀ କେବଳ ଟ୍ରାନ୍ସପାରେନ୍ସି କଥା ଘୋଷଣା କରୁଛନ୍ତି । ମାତ୍ର କାମରେ ଲାଗିବା ଦେଖାଯାଉନି । ଯିଏ ଦୁର୍ନୀତି ବିରୁଦ୍ଧରେ କହିବାକୁ ଆରମ୍ଭ କରୁଛି ତାକୁ ମୁଖ୍ୟମନ୍ତ୍ରୀ ପାଖରୁ ବିଦା କରିଦେଉଛନ୍ତି । ଓଡ଼ିଆକୁ ଶାସ୍ତ୍ରୀୟ ଭାଷା କରିଥିବା ମୁଖ୍ୟମନ୍ତ୍ରୀ ନିଜେ ୨୦ ବର୍ଷ ଭିତରେ ପଦେ ଓଡ଼ିଆ ଭଲରେ କହି ପାରି ନାହାନ୍ତି । ନା ନିଜେ ଓଡ଼ିଆ କୁହନ୍ତି ନା ଓଡ଼ିଆ ଲୋକଙ୍କୁ ଭଲ ପାଆନ୍ତି । ନିଜ ଚାରିପଟେ ଅଣ ଓଡ଼ିଆ ଅମଲାମାନଙ୍କୁ ରଖିବା ତାଙ୍କର ପସନ୍ଦ । ଅଣ ଓଡ଼ିଆ ଅଫିସରମାନେ ଓଡ଼ିଆମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି । ଓଡ଼ିଶାର ଦକ୍ଷ ପ୍ରଶାସନିକ ଅଧିକାରୀମାନଙ୍କୁ କର୍ମହୀନ କରିଦିଆଯାଉଛି । ଏସବୁ କଥା ଭାବିଲେ ଓଡ଼ିଶା ଦିବସ ପାଳନ ନିରର୍ଥକ ଲାଗୁଛି ।
ଓଡ଼ିଶାରେ ଯଦି ଓଡ଼ିଆ ପିଲା ପାଠ ପଢିବାକୁ ସୁଯୋଗ ନପାଇବେ, ଓଡ଼ିଶାରେ ଯଦି ଓଡ଼ିଆ ଭାଷା କୁହାନଯିବ, ଓଡ଼ିଆ ଅଫିସରମାନଙ୍କୁ ଗୁରୁତ୍ୱ ଦିଆନଯିବ, ସବୁଆଡେ ଇଂରାଜୀ ବା ଅଣ ଓଡ଼ିଆର ପ୍ରାବଲ୍ୟ ଜାରି ରହିବ ତେବେ ଓଡ଼ିଶାର ସ୍ୱତନ୍ତ୍ରତା ରହିବ କି ? ରାଜ୍ୟକୁ ସ୍ୱତନ୍ତ୍ର ପାହ୍ୟା ଦାବୀ କରିଆସୁଛନ୍ତି ରାଜ୍ୟ ସରକାର । ଏ ଦାବୀ ଯଥାର୍ଥ । ମାତ୍ର ସେ ସୁବିଧା ଓଡ଼ିଶାବାସୀଙ୍କ ବିକାଶ କ୍ଷେତ୍ରରେ ସହାୟକ ହୋଇପାରେ ମାତ୍ର ଆମ ନିକଟରେ ଯେତିକି ସମ୍ବଳ ଓ ସ୍ୱାତନ୍ତ୍ର‌୍ୟ ରହିଛି ତାହାକୁ ଆମେ ପ୍ରତିମୁହୂର୍ତ୍ତରେ ଅଣଓଡ଼ିଆ ମାନଙ୍କ ହାତକୁ ଟେକିଦେଇ ପରତନ୍ତ୍ରୀ ହୋଇ ଚାଲିଛୁ ।

ad-week
Leave A Reply

Your email address will not be published.