ଭୁବନେଶ୍ୱର/ମାଲକାନଗିରି : କୌଣସି ଗୋଟିଏ ସ୍ଥାନରେ ହେଉଥିବା ଅନ୍ୟାୟ ସର୍ବତ୍ର ପ୍ରତିଷ୍ଠିତ ନ୍ୟାୟ ପାଇଁ ଏକ ଭୟାନକ ଆତଙ୍କ ଭାବେ ପ୍ରତିଭାତ ହୋଇଥାଏ । ସାମ୍ବିଧାନିକ ବ୍ୟବସ୍ଥାକୁ ସୂକ୍ଷ୍ମଭାବେ ବିଶ୍ଳେଷଣ କଲେ ସ୍ପଷ୍ଟ କରି ହୁଏ ଯେ, ଦେଶର ଶାସନ ପାଇଁ ଆଇନ୍ ପ୍ରଣୟନ ସଂସ୍ଥା ବା ବ୍ୟବସ୍ଥାପିକା, କାର୍ଯ୍ୟପାଳିକା ଏବଂ ବିଚାର ବିଭାଗ ବା ନ୍ୟାୟପାଳିକାକୁ ସୃଷ୍ଟି କରାଯାଇଛି। ଏହି ବିଭିନ୍ନ ଅଙ୍ଗ ଗୁଡ଼ିକ ଭିନ୍ନ ଭିନ୍ନ ବୋଲି ଆଇନ୍ ପୁସ୍ତିକାରେ କୁହାଯାଇଛି। ତେବେ ପୋଲିସ୍ ପ୍ରଶାସନ, କାର୍ଯ୍ୟପାଳିକା ବା ସରକାରଙ୍କର ହିଁ ଏକ ଅଂଶ ବିଶେଷ। ଏଭଳି ସ୍ଥଳେ ସରକାରଙ୍କ ନୀତି ବାହାରେ ପୋଲିସ୍ ପ୍ରଶାସନ ଏକ ଭିନ୍ନ ଭୂମିକା ତୁଲାଇବା ଆଇନ୍ ପରାମର୍ଶ ଦୃଷ୍ଟିରୁ ସମ୍ଭବ ହୋଇନପାରେ। ଏହି ପୃଷ୍ଠଭୂମିରେ ପୋଲିସ୍ ଦ୍ଵାରା ସମ୍ପାଦିତ ପ୍ରତ୍ୟେକ ଅତିରିକ୍ତ କାର୍ଯ୍ୟାନୁଷ୍ଠାନ ତାହା ହାଜତ ମୃତ୍ୟୁ ହେଉ ଅବା ଏନକାଉଣ୍ଟର୍ ସେ ସମସ୍ତ ବିଷୟ ସର୍ବଦା ସମୀକ୍ଷାଜନକ। ୧୪ ଜାନୁୟାରୀ ୨୦୧୧ ଶୁକ୍ରବାର ଦିନ ଜଷ୍ଟିସ୍ ଅଫତାବ୍ ଆଲମ୍ ଏବଂ ଜଷ୍ଟିସ୍ ଆର୍.ଏମ୍.ଲୋଦ୍ଧା ଙ୍କୁ ନେଇ ମାନ୍ୟବର ସୁପ୍ରିମକୋର୍ଟଙ୍କ ଦ୍ଵାରା ଗଠିତ ଦୁଇ ଜଣିଆ ଖଣ୍ଡପୀଠ ଉଦବେଗ ସହ ଗୋଟିଏ ପୋଲିସ୍ ଏନକାଉଣ୍ଟର୍ ମାମଲାର ବିଚାର ସମୟରେ କହିଥିଲେ ଯେ, “ଆମ ଗଣରାଜ୍ୟ ଏହାର ସନ୍ତାନ ମାନଙ୍କୁ ହତ୍ୟା କରିବାର ଅନୁମତି ଆମେ ଦେଇପାରିବୁ ନାହିଁ ।” ତେବେ ବର୍ତ୍ତମାନ ପରିପ୍ରେକ୍ଷୀରେ ଏହି ସବୁ ଆଲୋଚନାର ପ୍ରାସଙ୍ଗିକତା ଏହି ଦିଗରୁ ରହିଛି ଯେ, ଗତ ନଭେମ୍ବର ୨୦ ତାରିଖ ଦିନ ବିଳମ୍ୱିତ ରାତ୍ରି ଅର୍ଥାତ୍ ନଭେମ୍ବର ୨୧ ତାରିଖ ଦିନ ପ୍ରାୟତଃ ଓଡ଼ିଶାର ଅନେକ ଗଣମାଧ୍ୟମ ମାଲକାନଗିରି ପୋଲିସ୍ ପ୍ରଶାସନଙ୍କ ସ୍ପଷ୍ଟୀକରଣକୁ ଆଧାରକରି ସମ୍ବାଦ ପରିବେଷଣ କରିବାକୁ ଲାଗିଲେ ଯେ, ‘ମାଲକାନଗିରି ଜିଲ୍ଲାରେ ପୁଣିଥରେ ମାଓ ଆତଙ୍କ, ପାଲଟା ଆକ୍ରମଣ ବେଳେ ଜଣେ ଡି.ଭି.ଏଫ୍. ଯବାନ୍ ଗୁରୁତର ସହ ଜଣେ ମାଓବାଦୀ ନିହତ ।’
ଗଣମାଧ୍ୟମ ମାନଙ୍କ ତରଫରୁ ଏ ବାବଦରେ ମିଳୁଥିବା ସମସ୍ତ ଖବର ସମାହିତ କଲେ ଘଟଣାର ନିମ୍ନ ମୁତାବକ ଅବଧାରଣା ମିଳିପାରେ। ଓଡ଼ିଶା ଏବଂ ଛତିଶଗଡ଼ ସୀମାନ୍ତ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାର କାଲିମେଳା ବ୍ଲକ୍ ଅନ୍ତର୍ଗତ ଏମ୍.ଭି. ୭୯ ଥାନା ଅଧୀନରେ ଆସୁଥିବା ଶାବେରୀ ନଦୀ ଉପକୂଳବର୍ତ୍ତୀ ଜିନେଲ୍ ଗୁଡ଼ା ଘଞ୍ଚ ଜଙ୍ଗଲ ମଧ୍ୟରେ ୨୦ ନଭେମ୍ବର ବିଳମ୍ୱିତ ରାତିରେ ଗୁଳିର ବର୍ଷା ହୋଇଥିଲା । ୨୧ ନଭେମ୍ବର ଦିନ ଜିଲ୍ଲା ପୋଲିସ୍ ତରଫରୁ ପ୍ରେସ୍ ବିବୃତ୍ତି ଦିଆଯାଇଥିଲା ଏବଂ ସେଠାରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ତପନ ନାରାୟଣ ରଥ ସୂଚନା ଦେଇଥିଲେ ଯେ ଗତ ବିଳମ୍ୱିତ ରାତିରେ ଜିନେଲ୍ ଗୁଡ଼ା ଜଙ୍ଗଲରେ ଗୁଇନ୍ଦା ବିଭାଗ ଆଧାରରେ ମାଓଗତିବିଧି ରହିଥିବା ସୂଚନା ମିଳିଥିଲା । ଖବର ପାଇ ଏସ୍.ଓ.ଜି. ଓ ଡି.ଭି.ଏଫ୍. ଯବାନ୍ ଙ୍କ ମିଳିତ ଅନୁସନ୍ଧାନ ସମୟରେ ପ୍ରାୟ ୩୦ରୁ ଉର୍ଦ୍ଧ୍ବ ମାଓବାଦୀ, ଏକ ଡ଼ଙ୍ଗା ଦେଇ ମାଲକାନଗିରି ଜିଲ୍ଲାକୁ ପ୍ରବେଶ କରୁଥିଲେ । ଠିକ୍ ଏହି ସମୟରେ ହଠାତ୍ ସେମାନେ ଯବାନ୍ ମାନଙ୍କୁ ଦେଖି ଆଖିବୁଜା ଗୁଳିଚାଳନା କରିଥିଲେ ଏବଂ ଯବାନ୍ ମାନଙ୍କ ତରଫରୁ ପାଲଟା ଆକ୍ରମଣ କରାଯାଇଥିଲା । ସେତେବେଳେ ମାଓବାଦୀ ମାନେ ଛତ୍ରଭଙ୍ଗ ଦେଇଥିଲେ । ଯେଉଁ ଆକ୍ରମଣରେ ଡମ୍ବରୁଧର ବଡ଼ନାୟକ ନାମକ ଜଣେ ଡି.ଭି.ଏଫ୍. ଯବାନ୍ ଙ୍କ ଅଣ୍ଟା ପାଖକୁ ଗୁଳି ବାଜିଥିବାରୁ ସେ ଗୁରୁତରଭାବେ ଆହତ ହୋଇଥିଲେ । ଘଟଣା ସ୍ଥଳରୁ ତାଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ଏବଂ ଅତିରିକ୍ତ ଆରକ୍ଷୀ ଅଧିକ୍ଷକଙ୍କ ପ୍ରତିକ୍ରିୟା ମୁତାବକ ଯବାନ୍ ଙ୍କର ସାସ୍ଥ୍ଥ୍ୟାବସ୍ଥା ସ୍ଥିର ରହିଥିଲା । ସେପଟେ ଜିନେଲ୍ ଗୁଡ଼ା ଜଙ୍ଗଲରେ ୨୧ ନଭେମ୍ବର ସକାଳେ ସର୍ଚ୍ଚ ଅପରେସନ ଜୋରଦାର ଚାଲିଥିବା ବେଳେ ଘଟଣା ସ୍ଥଳରୁ ଜଣେ ମାଓବାଦୀ ନିହତ ହୋଇଥିବା ଜଣା ପଡ଼ିଥିଲା। ମୃତ ମାଓବାଦୀଙ୍କ ମର ଶରୀର ଛଡ଼ା ଯବାନ୍ ମାନଙ୍କ ଦାବି ମୁତାବକ ଅନେକ ମାଓ ସାମଗ୍ରୀ ମଧ୍ୟ ଘଟଣାସ୍ଥଳରୁ ଜବତ କରାଯାଇଥିଲା । ନଭେମ୍ବର ୨୧ରେ ପ୍ରକାଶିତ ଓଡ଼ିଆ ତଥା ଇଂରାଜୀ ଖବରକାଗଜ ଗୁଡ଼ିକ ମୁତାବକ ମୃତ ମାଓବାଦୀଙ୍କ ପରିଚୟ ଉକ୍ତ ଦିନ ଜଣା ପଡ଼ିନଥିଲା । ସମ୍ପୂର୍ଣ୍ଣ ଘଟଣାରେ ଡି.ଜି.ପି.ୱାଇ ବି ଖୁରାନିଆ ପ୍ରେସ୍ କୁ କହିଥିଲେ ଯେ, ଛତିଶଗଡ଼ରେ ଚାଲିଥିବା ମାଓ ଦମନଲୀଳାରେ ଅତିଷ୍ଠ ହୋଇ ମାଓବାଦୀମାନେ ଓଡ଼ିଶା ମୁହାଁ ହୋଇଛନ୍ତି । ତେବେ ପୋଲିସ୍ ପ୍ରଶାସନ ମାଓବାଦୀ ମାନଙ୍କ ଗତିବିଧି ଉପରେ ଉପରେ ତୀକ୍ଷ୍ଣ ନଜର ରଖିଥିବା ପ୍ରକାଶ କରିଥିଲେ ।
ଉପର ଲିଖିତ ସମସ୍ତ ଘଟଣାବଳୀ ନାଟକୀୟ ମୋଡ଼ ନେଲା ଠିକ୍ ତା’ପର ଦିନ ଅର୍ଥାତ୍ ଶୁକ୍ରବାର ୨୨ ନଭେମ୍ବର ଦିନ । ପୋଲିସ୍ ଯାହାକୁ ହାର୍ଡକୋର୍ ମାଓବାଦୀ ବୋଲି ଦାବୀ କରି ଆସୁଥିଲା, ସେହି ମୃତକଙ୍କ ପରିବାର ତଥା ଗାଆଁ ଲୋକ ଉକ୍ତ ବ୍ୟକ୍ତିଙ୍କୁ ଗାଁ ର ପେଦା ବା ମୁଖିଆ ବୋଲି ସ୍ପଷ୍ଟ କରିବା ସହ ଜିଲ୍ଲା ପୋଲିସ୍ ପ୍ରଶାସନଙ୍କ ଦପ୍ତରରେ କ୍ଷତିପୂରଣ ଦାବି କରି ପହଞ୍ଚିଥିଲେ । ସେମାନଙ୍କ ସ୍ପଷ୍ଟୀକରଣ ମୁତାବକ ମୃତକ ଜଣକ ଥିଲେ ଏଙ୍କା ସୁନାମ ଯିଏ କି କାଲିମେଳା ବ୍ଲକ ଅନ୍ତର୍ଗତ ମେଟାଗୁଡ଼ା ଗାଁ ର ଗାଁ ମୁଖିଆ । ଏଙ୍କା ସୁନାମ ପଞ୍ଚାୟତର ନିଲାମ୍ ଫି ଦାଖଲ କରି ପାଖାପାଖି ୩୦ଟି ଡ଼ଙ୍ଗା ରଖି ଶାବେରୀ ନଦୀରେ ଚଳାଉଥିଲେ ଏବଂ ମାଛ ମାରି ତାଙ୍କ ସ୍ତ୍ରୀ ତଥା ୫ଜଣ ସନ୍ତାନ ବିଶିଷ୍ଟ ପରିବାରର ଗୁଜୁରାଣ ମେଣ୍ଟାଉଥିଲେ । ପରିବାର ତଥା ଗାଁ ଲୋକଙ୍କ ପ୍ରତିକ୍ରିୟା ମୁତାବକ ୨୦ ନଭେମ୍ବର ଦିନ ବିଳମ୍ୱିତ ରାତିରେ ମାଓବାଦୀମାନେ ଏଙ୍କାଙ୍କ ଘରକୁ ଆସିଥିଲେ ଏବଂ ନଦୀ ପାର୍ କରାଇଦେବା ପାଇଁ ଏଙ୍କାଙ୍କୁ ବାଧ୍ୟ କରିଥିଲେ । ଯଦି ସିଏ ସେମାନଙ୍କୁ ନଦୀ ପାର ହେବାରେ ସାହାଯ୍ୟ ନକରନ୍ତି ତେବେ ତାଙ୍କ ଜୀବନ ଓ ପରିବାର ପ୍ରତି ବିପଦ ଥିବା ଭଳି ଚେତାବନୀ ଦେଇଥିଲେ। ଫଳତଃ ଗ୍ରାମର ଦୁଇଜଣ ଅନ୍ୟ ଯୁବକଙ୍କୁ ସାହାଯ୍ୟ ମାଗି ଏଙ୍କା ଓ ଅନ୍ୟ ଦୁଇ ଯୁବକ ଡ଼ଙ୍ଗା ନେଇ ନଦୀ ପାର କରାଇ ଫେରୁଥିଲେ। ଠିକ୍ ଏହି ସମୟରେ ଗୁଳିର ସୁଅ ଛୁଟିଥିଲା ଯେଉଁ ସୁଅରେ ଏଙ୍କା ସୁନାମଙ୍କ ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା । କେବଳ ସେତିକିରେ ସୀମିତ ନଥିଲା ଏହି କାର୍ଯ୍ୟନୁଷ୍ଠାନ ବରଂ ଅନ୍ୟ ଦୁଇ ଯୁବକଙ୍କୁ ମଧ୍ୟ ପୋଲିସ୍ ଗିରଫ କରି ନିଜ ହେପାଜତକୁ ନେଇଯାଇଥିଲେ । ଏହି ଘଟଣା ବାବଦରେ The New Indian Express ପ୍ରତିନିଧିଙ୍କୁ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ରଥ ପ୍ରତିକ୍ରିୟା ଦେଇ କହିଥିଲେ ଯେ, ଅତୀତରେ ଏଙ୍କା ଅନେକ ଥର ମାଓବାଦୀ ମାନଙ୍କୁ ସାହାଯ୍ୟ କରି ନଦୀ ପାର କରାଇଆସୁଥିଲେ।
ତେବେ ବର୍ତ୍ତମାନ ଏହା ସବୁଠାରୁ ବଡ଼ ପ୍ରଶ୍ନର ପ୍ରାଚୀର ତିଆରି କରିଛି ଯେ, ପ୍ରକୃତରେ କିଏ ସତ କହୁଛନ୍ତି? ପୋଲିସ୍ ତଥା ଅର୍ଦ୍ଧ ସାମରିକ ବାହିନୀ ନା ପରିବାର ବର୍ଗ ତଥା ଗାଆଁ ଲୋକ?
ଏନକାଉଣ୍ଟର ହେବା ଦିନ ପୋଲିସ୍ କର୍ତ୍ତୃପକ୍ଷ ମୃତକଙ୍କ ପରିଚୟ ଠାବ ହୋଇନାହିଁ ବୋଲି କହିବା ଏବଂ ପରିବାର ଲୋକଙ୍କ ଅଭିଯୋଗ ପରେ ମୃତକ ଦୀର୍ଘ ଦିନ ଧରି ମାଓବାଦୀ ମାନଙ୍କୁ ସହଯୋଗ କରିଆସୁଥିଲେ ବୋଲି କହିବା ଖୋଦ୍ ଅତିରିକ୍ତ ଆରକ୍ଷୀ ଅଧିକ୍ଷକଙ୍କ ଧାରଣା ଏବଂ ବୋଧଗମ୍ୟତା ଉପରେ ପ୍ରଶ୍ନ ଉଠାଉଛି। ଏନକାଉଣ୍ଟର ହେବା ଦିନ ଡି.ଭି.ଏଫ୍. ଯବାନ୍ ଡମ୍ବରୁଧର ବଡନାୟକଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଥିବା ସୂଚନା ପୋଲିସ୍ ନିଜେ ହିଁ ଦେଇଥିବା ସ୍ଥଳେ ହଠାତ୍ ତା’ପରଦିନ ତାଙ୍କ ସ୍ୱାସ୍ଥ୍ୟବସ୍ଥାକୁ ଗୁରୁତ୍ୱାରୋପ କରି ଉଚ୍ଚ ସ୍ତରୀୟ ଚିକିତ୍ସା ପାଇଁ ତାଙ୍କୁ ହେଲିକେପ୍ଟର ଯୋଗେ ବିଶାଖାପାଟଣା ସ୍ଥାନାନ୍ତର କରିଦିଆଗଲା । ଏ ସମସ୍ତ ଘଟଣା ଛଡ଼ା ଆଉ ଗୋଟିଏ ପ୍ରଶ୍ନ ସାଧାରଣରେ ଖୁବ୍ ଚର୍ଚ୍ଚା ହେଉଛି ଯେ, ଯଦି ଗାଁ ଲୋକ ଏବଂ ପରିବାର ବର୍ଗଙ୍କ କଥା ସତ ହୋଇଥାଏ ଓ ଆତ୍ମରକ୍ଷା ପାଇଁ ପୋଲିସ୍ ଗୁଳିଚାଳନା କରିପାରେ ଯାହା ଯଥାର୍ଥ ତେବେ ଆତ୍ମରକ୍ଷା ତଥା ପରିବାର ଲୋକଙ୍କ ନିରାପତ୍ତାକୁ ଦୃଷ୍ଟି ଦେଇ ଏଙ୍କା ସୁନାମଙ୍କ ଦ୍ଵାରା ହୋଇଥିବା ଡ଼ଙ୍ଗାପାରୀର ଦଣ୍ଡ କ’ଣ ଏନକାଉଣ୍ଟର? ଏହି ସମସ୍ତ ଦିଗରୁ ଉକ୍ତ ଏନକାଉଣ୍ଟର ଏବଂ ଅର୍ଦ୍ଧ ସାମରିକ ବାହିନୀଙ୍କ ଦ୍ୱାରା ହୋଇଥିବା କାର୍ଯ୍ୟାନୁଷ୍ଠାନ ନିଶ୍ଚିତଭାବେ ତଦନ୍ତ ସାପେକ୍ଷ ।
ବିଶ୍ୱଜନୀନ ମାନବିକ ଅଧିକାର ଘୋଷଣାନାମା ଧାରା-୩, ବଞ୍ଚିବାର ଅଧିକାରକୁ ନିଶ୍ଚିତ କରୁଥିବା ବେଳେ ଧାରା-୧୧ ଅନୁସାରେ ଜଣେ ଅଭିଯୁକ୍ତ ବୋଲି ପ୍ରମାଣିତ ନହେବା ପର୍ଯ୍ୟନ୍ତ ସେ ନିର୍ଦ୍ଦୋଷ ବୋଲି ଧରାଯିବ। ଆମ ଭାରତ ସମ୍ବିଧାନର ଧାରା ୨୧ ଅନୁସାରେ ବିଧିଦ୍ଵାରା ସ୍ଥାପିତ ପ୍ରକ୍ରିୟା ବ୍ୟତିରେକ କୌଣସି ବ୍ୟକ୍ତିଙ୍କୁ ନିଜର ଜୀବନ ଓ ଦୈହିକ ସ୍ଵାଧୀନତାରୁ ବଞ୍ଚିତ କରାଯାଇପାରିବ ନାହିଁ। ତତ୍କାଳୀନ CrPC ଧାରା ୪୬(୩) ବା ବର୍ତ୍ତମାନର ଭାରତୀୟ ନାଗରିକ ସୁରକ୍ଷା ସଂହିତା ଧାରା ୪୩(୪) ଅନୁସାରେ ଗିରଫ କିପରି ହେବ ଅଧୀନରେ ଆଲୋଚନା ରହିଛି ଯେ, କୌଣସି ବ୍ୟକ୍ତି ଦୋଷୀ ସାବ୍ୟସ୍ତ ହୋଇ ଦଣ୍ଡିତ ନହେବା ସୁଦ୍ଧା କୌଣସି ପ୍ରକାରର ମୃତ୍ୟୁ ଦଣ୍ଡରେ କାହାକୁ ଦଣ୍ଡିତ କରାଯାଇ ପାରିବ ନାହିଁ। ଏଣୁ ଆମେ ବର୍ତ୍ତମାନ କହିପାରିବା ଯେ, କାହାକୁ ଗୁଳି କରି ମାରିବାର ଅଧିକାର ପୋଲିସ୍ ର ନାହିଁ। ଧର୍ତ୍ତବ୍ୟ ଅପରାଧରେ ମକୋଦ୍ଦମା କରିବା, ଅନୁସନ୍ଧାନ କରିବା କ୍ଷମତା କେବଳ ପୋଲିସ୍ ର ହେଲେ ବିଚାର କରି ଦଣ୍ଡ ଦେବାର କ୍ଷମତା ପୋଲିସ୍ ର ନାହିଁ । ପୋଲିସ୍ ଗୁଳିରେ କୌଣସି ବ୍ୟକ୍ତି ମରିବା; ବଞ୍ଚିବାର ମୌଳିକ ଅଧିକାର ପରିପ୍ରେକ୍ଷୀରେ ଆଦୌ ସାଧାରଣ ଘଟଣା ହୋଇନପାରେ ।
ଯଦିଓ ପୋଲିସ୍ ସହ ଗୁଳିବିନିମୟରେ କେହି ମୃତ୍ୟୁବରଣ କରନ୍ତି ତା’ର ଏକ ବିଶ୍ୱସନୀୟ ତଦନ୍ତ ଏବଂ ଅନୁସନ୍ଧାନ ହେବା ସାମ୍ବିଧାନିକ ବାଧ୍ୟାବାଧକତା ଓ ଗଣତାନ୍ତ୍ରିକ ଆବଶ୍ୟକତା କିନ୍ତୁ ସେଭଳି କୌଣସି ଉଦାହରଣ ନିକଟ ଅତୀତରେ ଦେଖିବାକୁ ମିଳିନାହିଁ । ପୂର୍ବରୁ ୧୦ ନଭେମ୍ବର ୨୦୨୨ ରେ ବୈପାରିଗୁଡ଼ା ଜଙ୍ଗଲରେ ସଂଗଠିତ ଏନକାଉଣ୍ଟରରେ ମୃତ ଧନ ଖମାର ଏବଂ ଜୟ କୁମାର ନାଗଙ୍କ ପୋଲିସ୍ ର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ବା ମିଥ୍ୟା ଏନକାଉଣ୍ଟର ବୋଲି ଉଠିଥିବା ଆନ୍ଦୋଳନ ଏବଂ ଚର୍ଚ୍ଚାକୁ, ଆନ୍ଦୋଳନକାରୀ ମାନଙ୍କ ଗିରଫ ଭିତରେ ପ୍ରଶମିତ କରିଦିଆଗଲା ଆଜି ଯାଏଁ ତାହା ତଦନ୍ତ ପରିସରଭୁକ୍ତ ହୋଇପାରିଲା କି ନାହିଁ ତାହା ମଧ୍ୟ ଅଜଣା। ଜାତୀୟ ମାନବାଧିକାର ଆୟୋଗଙ୍କ ପକ୍ଷରୁ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନଙ୍କୁ ନିର୍ଦ୍ଦେଶାବଳୀ ଜରିଆରେ ୨୯ ମାର୍ଚ୍ଚ ୧୯୯୭ ଦିନ ନିର୍ଦ୍ଦେଶ ଦିଆଯାଇଥିଲା ଯେ, ଯଦି ଏନକାଉଣ୍ଟର ଜନିତ କୌଣସି ହତ୍ୟା ମାମଲାର ସୂଚନା ମିଳେ ତେବେ ଏ କ୍ଷେତ୍ରରେ ଉକ୍ତ ଘଟଣାକୁ ନିର୍ଦ୍ଦିଷ୍ଟ ସ୍ଥାନରେ ସ୍ଥାନିତ କରିବେ ଏବଂ ପ୍ରାଥମିକ ପର୍ଯ୍ୟାୟରେ ଘଟଣାର ସତ୍ୟାସତ୍ୟ ଯାଞ୍ଚ୍ ହେବା ପରେ ମକୋଦ୍ଦମା ରୁଜ୍ଜୁ କରାଯିବ । ଯେଉଁ ମାମଲା ପୋଲିସ୍ ଦ୍ଵାରା ନୁହଁ ବରଂ ରାଜ୍ୟ CID ବ୍ରାଞ୍ଚଙ୍କ ଦ୍ଵାରା ଅନୁସନ୍ଧାନ କରାଯିବାର ପ୍ରାବଧାନ ରହିଛି । କିନ୍ତୁ ଏ ସବୁ କ୍ଷେତ୍ରରେ ସରକାର ଯେଉଁ ନୀତି ଗ୍ରହଣ କରୁଛନ୍ତି, ତାହା ପୋଲିସ୍ କୁ ଏଭଳି ଏକ ଲାଇସେନ୍ସ ପ୍ରଦାନ କରିବା ଭଳି ହେଉଛି ଯେ, ସେ ଯାହାକୁ ଇଚ୍ଛା ତାକୁ ଗୁଳି କରିଦେଇପାରେ ।
ଆବଶ୍ୟକତା ଦୃଷ୍ଟିରୁ ପୋଲିସ୍ ର ଏଭଳି ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ସମ୍ବନ୍ଧରେ ତଦନ୍ତଟିଏ ହେଲେ କାଳେ ପୋଲିସ୍ ର କାର୍ଯ୍ୟ ବାଧାପ୍ରାପ୍ତ ହେବ, ଏହି ଆଶଙ୍କାରେ ଏଭଳି ସଙ୍ଗୀନ ଘଟଣା ଗୁଡ଼ିକୁ ସରକାର ସ୍ଵାଭାବିକ ନୀତିରେ ଗ୍ରହଣ କରିନେଉଛନ୍ତି ଯାହା ଏକ ସୁସ୍ଥ ଗଣତନ୍ତ୍ର ଏବଂ ଜନମଙ୍ଗଳକାରୀ ରାଷ୍ଟ୍ର ନିମନ୍ତେ ବିପଦ ଭାବେ ଉଭା ହୋଇଛି । ଏଭଳି ସ୍ଥଳେ ସାଧାରଣ ନାଗରିକ ଜୀବନ କେତେ ସୁରକ୍ଷିତ ତାହା ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏଣୁ କୌଣସି ପରିସ୍ଥିତିରେ ଓ କୌଣସି ଆଳରେ ସରକାରୀ ଆତଙ୍କବାଦକୁ ପ୍ରଶ୍ରୟ ଦିଆଗଲେ, ସୀମିତ ଗଣତନ୍ତ୍ର ଦୃଷ୍ଟିରୁ ମଧ୍ୟ ଏହା ବିପଦ୍ଜନକ ହେବ । ଏବେ ଦେଖିବାକୁ ଅପେକ୍ଷା ରହିଲା ସରକାର ତଥା ପୋଲିସ୍ ପ୍ରଶାସନର ଦାୟିତ୍ୱ ଏବଂ କର୍ତ୍ତବ୍ୟ? ଓ କେବେ ଖୋଲୁଛି ଏଙ୍କା ସୁନାମଙ୍କ ମୃତ୍ୟୁର ପ୍ରକୃତ କାହାଣୀ?
