
ଚଣ୍ଡୀଗଡ଼: ୧୦ ମାସ ଜେଲରେ ରହିବା ପରେ ଆଜି ପଞ୍ଜାବର ପଟିଆଲା ଜେଲ୍ରୁ ମୁକୁଳିଛନ୍ତି ବରିଷ୍ଠ କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁ। ଜେଲରୁ ବାହାରକୁ ଆସିବା ପରେ ପରେ ସିଦ୍ଧୁ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଗଣତନ୍ତ୍ର ଭଳି କିଛି ନାହିଁ। ପଞ୍ଜାବରେ ରାଷ୍ଟ୍ରପତି ଶାସନ ଆଣିବାକୁ ଷଡଯନ୍ତ୍ର କରାଯାଉଛି। ସଂଖ୍ୟାଲଘୁଙ୍କୁ ଟାର୍ଗେଟ କରାଯାଉଛି। ଯଦି ଆପଣ ପଞ୍ଜାବକୁ ଦୁର୍ବଳ କରିବାକୁ ଚେଷ୍ଟା କରନ୍ତି ତେବେ ଆପଣ ନିଜେ ଦୁର୍ବଳ ହୋଇଯିବେ ବୋଲି କହି କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି ସିଦ୍ଧୁ।
କେନ୍ଦ୍ର ସହ ନବଜୋତ ସିଂ ସିଦ୍ଧୁ ରାଜ୍ୟ ସରକାରଙ୍କୁ ମଧ୍ୟ ଟାର୍ଗେଟ କରିବାକୁ ଭୁଲି ନାହାନ୍ତି। ସେ କହିଛନ୍ତି, ଭଗୱନ୍ତ ମାନ ଖବରକାଗଜର ମୁଖ୍ୟମନ୍ତ୍ରୀ ହୋଇ ରହିଯାଇଛନ୍ତି। ପଞ୍ଜାବରେ ନେତାଙ୍କ ସୁରକ୍ଷା ହ୍ରାସ କରିବା ସହ ମୋର ସୁରକ୍ଷା ମଧ୍ୟ ହ୍ରାସ କରାଯାଇଛି। ଗୋଟିଏ ସିଦ୍ଧୁ (ସିଦ୍ଧୁ ମୁସେୱାଲା)କୁ ହତ୍ୟା କରାଗଲା, ଏବେ ଦ୍ବିତୀୟ ସିଦ୍ଧୁକୁ ବି ମାରିଦିଅ।
କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସମାଲୋଚନା କରିବା ସହ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ପ୍ରଶଂସା କରିଛନ୍ତି ସିଦ୍ଧୁ। ସେ କହିଛନ୍ତି ଯେ ଯେତେବେଳେ ଦେଶରେ ଏକଛତ୍ରବାଦୀ ଶାସନ ଆସିଛି, ସେତେବେଳେ ବିପ୍ଳବ ଆସିଛି। ସେହି ବିପ୍ଳବର ନାଁ ହେଉଛି ରାହୁଲ ଗାନ୍ଧୀ। ସେ ସରକାରଙ୍କୁ ଦୋହଲାଇଦେବେ।
ଉଲ୍ଲେଖଯୋଗ୍ୟ, ୧୯୮୮ ମସିହାର ଏକ ରୋଡ୍ ରେଜ୍ ମାମଲାରେ ସିଦ୍ଧୁଙ୍କୁ ଜେଲ୍ଦଣ୍ଡ ହୋଇଥିଲା। ଗତ ବର୍ଷ ମେ ମାସରେ ସୁପ୍ରିମକୋର୍ଟ ନବଜୋତ ସିଂହ ସିଦ୍ଧୁଙ୍କୁ ୩୪ ବର୍ଷ ପୁରୁଣା ଏକ ହତ୍ୟା ମାମଲାରେ ଏକ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଥିଲେ।