ମଥୁରାରେ ରାମ ନବମୀ ଶୋଭାଯାତ୍ରା ବେଳେ ମସ୍‌ଜିଦ୍‌ ନିକଟରେ ଗୈରିକ ପତାକା ଲଗାଇ ୪ ଗିରଫ

add-all

ମଥୁରା: ରାମ ନବମୀ ଶୋଭାଯାତ୍ରା ବେଳେ ଜମାଲ୍‌ ମସ୍‌ଜିଦ୍‌ ବାହାରେ ବିଶୃଙ୍ଖଳା ସୃଷ୍ଟି କରିଥିବା କାରଣରୁ ୪ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିବା କଥା ଶୁକ୍ରବାର ଦିନ ପୁଲିସ କହିଛି।
ଗୁରୁବାର ଦିନ ରାମ ନବମୀ ଶୋଭାଯାତ୍ରା ଯିବା ବେଳେ ସେମାନେ ଉକ୍ତ ମସ୍‌ଜିଦ୍‌ ପାଖରେ ଥିବା କେତେକ ଦୋକାନ ଉପରେ ଗୈରିକ ବାନା (ପତାକା) ଉତ୍ତୋଳନ କରିଥିବା କଥା ଅଭିଯୋଗ ହେଉଛି।
ଘିୟାମଣ୍ଡି ଅଞ୍ଚଳରେ ଅବସ୍ଥିତ ରାମ ମନ୍ଦିରରୁ ‘ରାମ ଜନ୍ମ ମହୋତ୍ସବ ସମିତି’ ବାହାର କରିଥିବା ଶୋଭାଯାତ୍ରା ଚୌକ୍‌ ବଜାର ଛକରେ ପହଞ୍ଚିବା ପରେ ଉକ୍ତ ଘଟଣା ଘଟିଥିଲା।
ଗୋଟାଏ ଭ୍ୟାନ୍‌ରେ ଆସୁଥିବା ୪ ବ୍ୟକ୍ତି ମସ୍‌ଜିଦ୍‌ ବାହାରେ ଥିବା କେତେକ ଦୋକାନ ଛାତ ଉପରକୁ ଚଢ଼ିଯାଇ ସେଠାରେ ଗୈରିକ ପତାକା ଉତ୍ତୋଳନ କରିଥିଲେ ବୋଲି ପୁଲିସ କହିଛି। ଉପରୋକ୍ତ ଘଟଣାର ଭିଡିଓ ସମ୍ପ୍ରତି ସାମାଜିକ ଗଣମାଧ୍ୟମରେ ବ୍ୟାପକ ଭାବେ ପ୍ରସାରିତ ହେଉଛି।
ଏହି ଘଟଣା ହିନ୍ଦୁ ଓ ସଂଖ୍ୟାଲଘୁ ସମ୍ପ୍ରଦାୟ ମଧ୍ୟରେ ଉତ୍ତେଜନାର କାରଣ ହୋଇଥିବା କଥା ପୁଲିସ କହିଛି।
ବରିଷ୍ଠ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ଶୈଳେଶ କୁମାର ପାଣ୍ଡେ କହିଛନ୍ତି, ଘଟଣା ପରେ ପରେ ସେଠାରେ ବ୍ୟାପକ ପୁଲିସ ମୁତୟନ କରାଯାଇଥିଲା। ଗିରଫ ବ୍ୟକ୍ତିମାନେ ହେଲେ, କାବ୍ୟା, ହନି, ରାଜେଶ ଓ ଦୀପକ। ଭିଡିଓକୁ ଆଧାର କରି ଶୁକ୍ରବାର ଦିନ ସେମାନଙ୍କୁ ଗିରଫ କରାଯାଇ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।

ad-week
Leave A Reply

Your email address will not be published.