
ନୂଆଦିଲ୍ଲୀ: ଦିନିକିଆ କ୍ରିକେଟ୍ ବିଶ୍ବକପ୍କୁ ଆଉ ପାଖାପାଖି ୬ ମାସ ସମୟ ରହିଲା। ହେଲେ ଏପର୍ଯ୍ୟନ୍ତ ଏହି କ୍ରିକେଟ ମହାକୁମ୍ଭର ଖେଳସୂଚୀ ପ୍ରସ୍ତୁତ ହୋଇପାରୁନି। ଦୁଇ ପଡ଼ୋଶୀ ରାଷ୍ଟ୍ର ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ରାଜନୈତିକ କନ୍ଦଳକୁ ଏଥିପାଇଁ ଦାୟୀ କରାଯାଉଛି। ସମାନ ଘଟଣା ୨୦୧୯ ବିଶ୍ବକପ୍ ସମୟରେ ମଧ୍ୟ ଘଟିଥିବା ଦେଖିବାକୁ ମିଳିଥିଲା। ଇଂଲଣ୍ଡ ଓ ୱେଲ୍ସ ମିଳିତ ଭାବେ ଉକ୍ତ ବିଶ୍ବକପ୍କୁ ଆୟୋଜନ କରିଥିଲେ ବି ସୂଚୀ ପ୍ରସ୍ତୁତିରେ ଅନେକ ବିଳମ୍ବ ହୋଇଥିଲା। ଖେଳସୂଚୀ ପ୍ରକାଶ କରିବାକୁ ପାଖାପାଖି ବର୍ଷେ ସମୟ ଲାଗିଯାଇଥିଲା।
ଭାରତରେ ପୂର୍ବରୁ ମଧ୍ୟ ତିନିଥର ଦିନିକିଆ ବିଶ୍ବକପ୍ ହୋଇଛି। କିନ୍ତୁ ସେସବୁ ମିଳିତ ଆୟୋଜନ ଥିଲା। ଆସନ୍ତା ଅକ୍ଟୋବର-ନଭେମ୍ବରରେ ହେବାକୁ ଥିବା ବିଶ୍ବକପ୍କୁ ଭାରତ ଏକାକୀ ଆୟୋଜନ କରିବ। କିନ୍ତୁ ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ରାଜନୈତିକ ଶତ୍ରୁତା ଯୋଗୁଁ ଦୁଇ ଦେଶ ମଧ୍ୟରେ କ୍ରିକେଟ୍ ଖେଳାଯିବା ଅବସର କମ୍ ହୋଇଯାଉଛି। କେବଳ ଆଇସିସିର ବହୁ ଦଳୀୟ ଇଭେଣ୍ଟଗୁଡ଼ିକରେ ଭାରତ ଓ ପାକିସ୍ତାନ କ୍ରିକେଟ୍ ଦଳ ପରସ୍ପର ସହିତ ଖେଳିପାରୁଛନ୍ତି। ଗତ ସେପ୍ଟେମ୍ବରରେ ଏସିଆ କପ୍ ଖେଳିବାକୁ ପାକିସ୍ତାନ ନଯିବା ପାଇଁ ଭାରତ ମନା କରିଦେଇଥିବାରୁ ପାକିସ୍ତାନ ମଧ୍ୟ ଦିନିକିଆ ବିଶ୍ବକପ୍ ଖେଳିବାକୁ ଭାରତ ଆସିବନାହିଁ ବୋଲି ଜିଦ୍ ଧରି ବସିଛି। ତେଣୁ ଦୁଇ କ୍ରିକେଟ୍ ବୋର୍ଡ ନେତୃତ୍ବମାନଙ୍କ ମଧ୍ୟରେ ହୋଇଥିବା ସହମତି ଅନୁଯାୟୀ, ନିରପେକ୍ଷ ସ୍ଥାନରେ ଭାରତ ଓ ପାକିସ୍ତାନ ସେମାନଙ୍କର ମ୍ୟାଚ୍ ଖେଳିବେ। କିନ୍ତୁ ପାକିସ୍ତାନୀ ଗଣମାଧ୍ୟମ ଏହି ଦାବିକୁ ଖଣ୍ଡନ କରୁଥିଲା ବେଳେ ଏସଂକ୍ରାନ୍ତରେ ଦୁବାଇ ବୈଠକରେ କୌଣସି ଆଲୋଚନା ହୋଇନଥିବା ଦର୍ଶାଯାଇଛି। ତେଣୁ ପାକିସ୍ତାନର ଭାରତ ଗସ୍ତ ଏବେ ବି ସକାରାତ୍ମକ ଥିବା ଅନୁମାନ କରାଯାଉଛି। ହେଲେ ଭାରତ ସରକାର ପାକିସ୍ତାନୀ ଖେଳାଳିଙ୍କୁ ଭିସା ଦେବାରେ ଯେପରି କଠୋର ନହୁଅନ୍ତି, ସେଥିପ୍ରତି ବିସିସିଆଇ ଯତ୍ନବାନ ହେବାକୁ ପଡ଼ିବ।