ଏପ୍ରିଲ ୨୬ରେ ଦିଲ୍ଲୀ ମେୟର ନିର୍ବାଚନ…

add-all

ନୂଆଦିଲ୍ଲୀ : ଦିଲ୍ଲୀରେ ଆସନ୍ତା ୨୬ ତାରିଖରେ ପୁଣି ଥରେ ମେୟର ନିର୍ବାଚନ ହେବାକୁ ଯାଉଛି। ପୂର୍ବରୁ ବହୁ ହଙ୍ଗାମା ଓ ଅନେକ ଥର ନିର୍ବାଚନ ସ୍ଥଗିତ ରହିବା ପରେ ଗତ ଫେବ୍ରୁଆରି ୨୨ତାରିଖରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ଆପ୍ ର ଶୈଲି ଓବରୟ ବିଜୟୀ ହୋଇଥିଲେ, କିନ୍ତୁ ବିଳମ୍ବିତ ନିର୍ବାଚନ ଯୋଗୁଁ ତାଙ୍କୁ ଖୁବ୍ କମ୍ କାର୍ଯ୍ୟକାଳ ମିଳିଥିଲା, ଯାହା ପରେ ଏବେ ପୁଣି ଥରେ ନିର୍ବାଚନ ହେବ ବୋଲି ଘୋଷଣା କରାଯାଇଛି ।
ଆପ୍ ବିଧାୟକ ତଥା ମୁଖପାତ୍ର ସୌରଭ ଭରଦ୍ୱାଜ ରବିବାର କହିଛନ୍ତି ଯେ ଏପ୍ରିଲ ୨୬ରେ ଦିଲ୍ଲୀରେ ମେୟର ନିର୍ବାଚନ ଅନୁଷ୍ଠିତ ହେବ। ଉପରାଜ୍ୟପାଳ ଭିକେ ସକ୍ସେନାଙ୍କୁ କଡ଼ା ସମାଲୋଚନା କରି ସେ କହିଛନ୍ତି ଯେ ଯଦି ଉପରାଜ୍ୟପାଳଙ୍କ ଅଫିସ ନିୟମ ପାଳନ କରେ ତେବେ ନିର୍ବାଚନ ଶାନ୍ତିଶୃଙ୍ଖଳାର ସହ ହୋଇପାରିବ। ଗତଥର ଏହା ଦୁର୍ଭାଗ୍ୟଜନକ ଥିଲା ଯେ, ଏଲଜି ପ୍ରୋଟେମ୍ ମେୟର ଗଠନ କରିଥିଲେ, ଯାହାକୁ ନେଇ ହଇଚଇ ସୃଷ୍ଟି ହୋଇଥିଲା । ”
ଗତବର୍ଷ ଏମସିଡି ନିର୍ବାଚନ ବିଳମ୍ବିତ ହୋଇଥିଲା। ମେ’ ମାସରେ ଗୃହର କାର୍ୟ୍ୟକାଳ ଶେଷ ହୋଇଥିଲେ ହେଁ ଡିସେମ୍ବରରେ ନିର୍ବାଚନ ହୋଇଥିଲା। ଇତି ମଧ୍ୟରେ କେନ୍ଦ୍ର ସରକାର ଦିଲ୍ଲୀର ତିନିଟି ନିଗମକୁ ମିଶାଇ ଗୋଟିଏ କରିଦେଇଥିଲେ । ତେବେ ଏମସିଡି ନିର୍ବାଚନରେ ଆପ୍ ବିଜେପିକୁ ପରାସ୍ତ କରିଥିଲା। ଏହାପରେ ମେୟର ନିର୍ବାଚନରେ ଭୀଷଣ ହଙ୍ଗାମା ଯୋଗୁଁ ମେୟର ନିର୍ବାଚନ ସ୍ଥଗିତ ରଖାଯାଇଥିଲା। ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ପରେ ନିର୍ବାଚନ ହୋଇଥିବା ବେଳେ ଆପ୍ ର ଶୈଲି ଓବରୟ ମେୟର ଏବଂ ଆଲେ ମହମ୍ମଦ ଇକବାଲ ଡେପୁଟି ମେୟର ଭାବେ ନିର୍ବାଚିତ ହୋଇଥିଲେ ।

ଦିଲ୍ଲୀ ମ୍ୟୁନିସିପାଲିଟି କର୍ପୋରେସନ୍ ଆକ୍ଟ, ୧୯୫୭ ଅନୁଯାୟୀ ପ୍ରଥମ ବର୍ଷରେ ଜଣେ ମହିଳା, ଦ୍ୱିତୀୟ ବର୍ଷରେ ସାଧାରଣ ବର୍ଗର ପ୍ରାର୍ଥୀ, ତୃତୀୟ ବର୍ଷରେ ଅନୁସୂଚିତ ଜାତି ବର୍ଗର ପ୍ରାର୍ଥୀ, ଚତୁର୍ଥ ଓ ପଞ୍ଚମ ବର୍ଷରେ ସାଧାରଣ ପ୍ରାର୍ଥୀ ମେୟର ପଦରେ ରହିବେ। ଏହି କ୍ରମରେ ଦିଲ୍ଲୀ ଏମସିଡିରେ ମେୟର ନିର୍ବାଚନ ଅନୁଷ୍ଠିତ ହୋଇଥାଏ ।

ad-week
Leave A Reply

Your email address will not be published.