ଉମେଶ ପାଲ୍‌ ହତ୍ୟା ମାମଲା: ଦିଲ୍ଲୀରୁ ଗିରଫ ହେଲେ ଅତୀକ୍‌ ଅହମ୍ମଦ୍‌ଙ୍କ ପୁଅକୁ ସାହାଯ୍ୟ କରିଥିବା ୩ ବ୍ୟକ୍ତି

add-all

ନୂଆଦିଲ୍ଲୀ: ଗ୍ୟାଙ୍ଗ୍‌ଷ୍ଟର୍‌ ଅତୀକ୍‌ ଅହମଦ୍‌ଙ୍କ ପୁଅକୁ ସାହାଯ୍ୟ କରିବା ଏବଂ ଉମେଶ ପାଲ୍‌ଙ୍କ ହତ୍ୟା ଷଡ଼ଯନ୍ତ୍ର କରିବାରେ ସମ୍ପୃକ୍ତ ଥିବା ୩ଜଣ ବ୍ୟକ୍ତିଙ୍କୁ ଦିଲ୍ଲୀ ପୁଲିସର ‘ସ୍ପେସାଲ୍‌ ବ୍ରାଞ୍ଚ୍‌’ ଗିରଫ କରିଛି।
ଗିରଫ ହୋଇଥିବା ବ୍ୟକ୍ତି ୩ଜଣ ହେଉଛନ୍ତି, ଜାଭେଦ୍‌, ଖାଲିଦ୍‌ ଏବଂ ପରିଚୟ ହସ୍ତଗତ ହୋଇ ନ ଥିବା ଅନ୍ୟ ଜଣେ। ସେମାନଙ୍କ ନାଁରେ ଅସ୍ତ୍ରଶସ୍ତ୍ର ଆଇନ ଅନୁଯାୟୀ ଅଭିଯୋଗ ଦାଏର କରାଯାଇଛି।
ଅତୀକ୍‌ଙ୍କ ପୁଅ ଅସଦ୍‌ଙ୍କୁ ସାହାଯ୍ୟ କରିବା ସହିତ ଉମେଶ ପାଲ୍‌ଙ୍କୁ ହତ୍ୟା କରାଯିବା ପରେ ତିନି ଅଭିଯୁକ୍ତ ତାଙ୍କୁ ଜାତୀୟ ରାଜଧାନୀରେ ଆତ୍ମଗୋପନ କରିବା ଲାଗି ଆଶ୍ରୟ ଦେଇଥିଲେ।
ଉଲ୍ଲେଖଯୋଗ୍ୟ, ଉମେଶ ପାଲ୍‌ ଥିଲେ ‘ବିଏସ୍‌ପି’ର ପୂର୍ବତନ ବିଧାୟକ ରାଜୁ ପାଲ୍‌ଙ୍କ ହତ୍ୟା ଘଟଣାର ମୁଖ୍ୟ ସାକ୍ଷୀ। ପ୍ରୟାଗରାଜ ଅନ୍ତର୍ଗତ ଧୂମାନଗଞ୍ଜସ୍ଥିତ ବାସଭବନ ବାହାରେ ଫେବ୍ରୁଆରି ୨୪ ତାରିଖ ଦିନ ଉମେଶ ପାଲ୍‌ଙ୍କୁ ଗୁଳି ମାରି ହତ୍ୟା କରାଯାଇଥିଲା। ଗୁଳି ଚୋଟରେ ଆହତ ଉମେଶ ପାଲ୍‌ଙ୍କର ସେହି ଦିନ ମୃତ୍ୟୁ ଘଟିଥିବା ବେଳେ ତାଙ୍କର ୨ଜଣ ସୁରକ୍ଷା କର୍ମୀ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଥିଲେ।
ଉମେଶ ପାଲ୍‌ଙ୍କ ହତ୍ୟା ଘଟଣାରେ ଅତୀକ୍‌ଙ୍କର ଆଉ ଜଣେ ପୁଅ ଅଲି ଅହମଦ୍‌ଙ୍କ ନାମ ଶୁଣାଯାଉଥିଲା।
ଉତ୍ତର ପ୍ରଦେଶ ପୁଲିସ କହିବା ଅନୁସାରେ, ଅତୀକ୍‌ ଅହମଦ୍‌ଙ୍କ ପରିବାର ସଦସ୍ୟମାନଙ୍କ ନାମରେ ପ୍ରାୟ ୧୬୦ଟି ଅପରାଧିକ ମାମଲା ରହିଛି।

ad-week
Leave A Reply

Your email address will not be published.