ରାହୁଲ୍‌ ଗାନ୍ଧୀଙ୍କର ଅପୂରଣୀୟ କ୍ଷତି ହୋଇଛି: ଶୁଣାଣି ବେଳେ ସୁରତ ଅଦାଲତଙ୍କୁ କହିଲେ ଓକିଲ

add-all

ସୁରତ: ମୋଦୀ ସାଙ୍ଗିଆ ମନ୍ତବ୍ୟ ଯୋଗୁଁ ଅପରାଧିକ ମାନହାନି ମାମଲାରେ ଦୋଷୀ ସାବ୍ୟସ୍ତ କରାଯିବାରୁ ରାହୁଲ୍‌ ଗାନ୍ଧୀଙ୍କର ଅପୂରଣୀୟ କ୍ଷତି ହୋଇଛି ବୋଲି ଆଜି ସୁରତ ଅଦାଲତରେ ତାଙ୍କ ଓକିଲ କହିଛନ୍ତି।

ଜିଲ୍ଲା ଅଦାଲତଙ୍କ ରାୟ ଉପରେ ରହିତାଦେଶ ଜାରି କରିବା ଲାଗି ରାହୁଲ୍‌ ଗାନ୍ଧୀ ଦାଏର କରିଥିବା ପିଟିସନ୍‌ ଉପରେ ଆଜି ସୁରତ ଅଦାଲତ ଶୁଣାଣି କରୁଛନ୍ତି।

ସ୍ମରଣଯୋଗ୍ୟ, ୨୦୧୯ ମସିହାରେ ରାହୁଲ୍‌ ଦେଇଥିବା ମୋଦୀ ସାଙ୍ଗିଆ ମନ୍ତବ୍ୟ ମାମଲାରେ ସୁରତ ଜିଲ୍ଲା ଅଦାଲତ ତାଙ୍କୁ ୨ ବର୍ଷ ଜେଲ୍‌ ଓ ୧୫୦୦୦ ଟଙ୍କା ଜରିମାନା କରିଥିଲେ।  ଦୋଷୀ ସାବ୍ୟସ୍ତ ହେବାରୁ ରାହୁଲ୍‌ ସାଂସଦ ପଦ ମଧ୍ୟ ହରାଇଛନ୍ତି। ୨୦୧୯ ଲୋକସଭା ନିର୍ବାଚନ ପ୍ରଚାର ଅଭିଯାନ ବେଳେ କର୍ଣ୍ଣାଟକର କ‌ୋଲାର୍‌ରେ ଆୟୋଜିତ ରାଲିରେ ଉଦ୍‌ବୋଧନ ଦେବା ବେଳେ ରାହୁଲ୍‌ କହିଥିଲେ, ସବୁ ମୋଦୀ ସାଙ୍ଗିଆଧାରୀମାନେ ଚୋର କାହିଁକି?

ଆଜି ବିଚାରପତି ରବିନ୍‌ ମୋଗେରା ରାହୁଲ୍‌ ଗାନ୍ଧୀଙ୍କ ଆବେଦନ ଶୁଣାଣି କରୁଥିବା ବ‌େଳେ ବରିଷ୍ଠ ଆଡ୍‌ଭୋକେଟ୍‌ ଆର୍‌. ଏସ୍‌. ଚୀମା ରାହୁଲ୍‌ଙ୍କର ପ୍ରତିନିଧିତ୍ବ କରୁଛନ୍ତି। ଅଦାଲତରେ ମାମଲା ଉପସ୍ଥାପନ କରି ଆଡ୍‌ଭୋକେଟ୍‌ ଚୀମା କହିଲେ, ଏଥିଯୋଗୁଁ ରାହୁଲ୍‌ଙ୍କର ଅପୂରଣୀୟ କ୍ଷତି ହୋଇଛି।

ଦୋଷୀ ସାବ୍ୟସ୍ତ କରାଯାଇ ଦଣ୍ଡାଦେଶ କରାଯିବାରୁ ସେ ତାଙ୍କ ନିର୍ବାଚନ ମଣ୍ଡଳୀ ହରାଇଲେ। ଲୋକସଭା ସାଂସଦ ପଦରୁ ଅଯୋଗ୍ୟ ଘୋଷିତ ହେଲେ। ବିଶେଷ ପରିସ୍ଥିତିରେ ସୁପ୍ରିମ୍‌ କୋର୍ଟ ଏଭଳି ମାମଲା ଉପରେ ରହିତାଦେଶ ଜାରି କରୁଥିବାରୁ ଗାନ୍ଧୀଙ୍କ ‌କ୍ଷେତ୍ରରେ ମଧ୍ୟ ସେଭଳି ରହିତାଦେଶ ଜାରି କରାଯାଉ ବୋଲି ଆଡ୍‌ଭୋକେଟ୍‌ ଚୀମା ନିବେଦନ କରିଛନ୍ତି।

ଚୀମା ଆହୁରି ମଧ୍ୟ କହିଛନ୍ତି, ଦଣ୍ଡାଦେଶ ଉପରେ ରହିତାଦେଶ ଜାରି କରାଯିବ କି, ନାହିଁ ସ୍ଥିର କରିବା ଆଗରୁ ଅଦାଲତ ଏହି ମାମଲାର ‘ଫ୍ୟାକ୍ଟ୍‌ ଓ ମେରିଟ୍‌’ ଉପରେ ବିଚାର କରିବା ଉଚିତ। ଏହି ମାମଲାରେ ଯାବଜ୍ଜୀବନ କାରାଦଣ୍ଡ ଅଥବା ମୃତ୍ୟୁ ଦଣ୍ଡାଦେଶ ଭଳି କଠୋର ଶାସ୍ତି ଦିଆଯିବା ଭଳି କଥା ନାହିଁ ବୋଲି ସେ ଯୁକ୍ତି ବାଢ଼ିଛନ୍ତି।

ad-week
Leave A Reply

Your email address will not be published.