ଫେମିନା ମିସ୍‌ ଇଣ୍ଡିଆ ୨୦୨୩ ବିଜୟିନୀ ହେଲେ ନନ୍ଦିନୀ ଗୁପ୍ତା…

add-all

ଇମ୍ଫାଲ୍‌: ଶନିବାର ଦିନ ମଣିପୁରର ଇମ୍ଫାଲ୍‌ସ୍ଥିତ ଖୁମାନ୍‌ ଲମ୍ପକ୍‌ ଇଣ୍ଡୋର୍‌ ‌ଷ୍ଟାଡିୟମ୍‌ରେ ଆୟୋଜିତ ୫୯ତମ ‘ଫେମିନା ମିସ୍‌ ଇଣ୍ଡିଆ ୱାର୍ଲଡ୍‌’ ପ୍ରତିଯୋଗିତାର ‘ଗ୍ରାଣ୍ଡ୍‌ ଫିନାଲେ’ରେ ରାଜସ୍ଥାନର ନନ୍ଦିନୀ ଗୁପ୍ତା ‘ଫେମିନା ମିସ୍‌ ଇଣ୍ଡିଆ ୱାର୍ଲଡ୍‌’ ମୁକୁଟ ବିଜୟିନୀ ହୋଇଛନ୍ତି।
ସେହିପରି, ଏହି ପ୍ରତିଯୋଗିତାରେ ଦିଲ୍ଲୀର ଶ୍ରେୟା ପୂନ୍‌ଜା ପ୍ରଥମ ରନର୍‌-ଅପ୍‌ ହୋଇଥିବା ବେଳେ ମଣିପୁରର ଥୌନାଓଜାମ୍‌ ସ୍ତ୍ରେଲା ଲୁୱାଙ୍ଗ୍‌ ଦ୍ବିତୀୟ ରନର୍‌-ଅପ୍‌ ହୋଇଛନ୍ତି।
ରାଜସ୍ଥାନ ଅନ୍ତର୍ଗତ କୋଟା ବାସିନ୍ଦା ୧୯ ବର୍ଷୀୟ ନନ୍ଦିନୀ ‘ବିଜ୍‌ନେସ୍‌ ମ୍ୟାନେଜ୍‌ମେଣ୍ଟ୍‌’ରେ ଡିଗ୍ରି ହାସଲ୍‌ କରିଛନ୍ତି। ମଡେଲିଙ୍ଗ୍‌ କରୁଥିବା ନନ୍ଦିନୀ ‘ଲାଲା ଲଜପତ୍‌ ରାୟ କଲେଜ୍‌’ରେ ‘ବିଜ୍‌ନେସ୍‌ ମ୍ୟାନେଜ୍‌ମେଣ୍ଟ୍‌’ରେ ନାଁ ଲେଖାଇବା ପୂର୍ବରୁ ‘ସେଣ୍ଟ ପଲ୍‌ସ୍‌ ସିନିୟର୍‌ ସେକେଣ୍ଡାରି ସ୍କୁଲ୍‌’ର ଛାତ୍ରୀ ଥିଲେ।
ଖୁମାନ୍‌ ଲମ୍ପକ୍‌ ଇଣ୍ଡୋର୍‌ ‌ଷ୍ଟାଡିୟମ୍‌ରେ ଆୟୋଜିତ ଏହି ମୁକୁଟ ପ୍ରଦାନ ଉତ୍ସବରେ କାର୍ତ୍ତିକ ଆର୍ଯ୍ୟନ୍‌ ଓ ଅନନ୍ୟା ପାଣ୍ଡେ ଚିତ୍ତାକ‌ର୍ଷକ ନୃତ୍ୟ ପ୍ରଦର୍ଶନ କରିଥିଲେ। ସେହିପରି, ପୂର୍ବତନ ‘ଫେମିନା ମିସ୍‌ ଇଣ୍ଡିଆ ୱାର୍ଲଡ୍‌’ ବିଜୟିନୀ ସିନି ଶେଟ୍ଟୀ, ରୁବାଲ୍‌ ଶେଖାୱତ୍‌, ଶିନାତା ଚୌହାନ୍‌, ମନଷା ବାରାଣସୀ, ମାଣିକ ଶେଓକନ୍ଦ, ମାୟା ସିଂହ, ସୁମନ ରାଓ ଓ ଶିବାନୀ ଯାଦବ ମଧ୍ୟ ଚମତ୍କାର ମୋହେ ଲେହେଙ୍ଗା ପିନ୍ଧି ନୃତ୍ୟ ପରିବେଶଣ କରିଥିଲେ। ଦର୍ଶକମାନଙ୍କ ମନୋରଞ୍ଜନ ନିମନ୍ତେ ମନୀଷ ପଲ୍‌ ଓ ଭୂମି ପେଦନାକରଙ୍କ ଟିମ୍‌ ମଧ୍ୟ ହାସ୍ୟ ରସାତ୍ମକ କାର୍ଯ୍ୟକ୍ରମ ପରିବେଶଣ କରିଥିଲେ।
ସୂଚନାଯୋଗ୍ୟ, ଏହି ଜାତୀୟସ୍ତରୀୟ ମୁକୁଟ ବିଜୟିନୀ ହେବା ନିମନ୍ତେ ସମଗ୍ର ଦେଶରୁ ୩୦ଜଣ ପ୍ରତିଯୋଗୀଙ୍କୁ ଚୟନ କରାଯାଇଥିଲା। ସେମାନଙ୍କୁ ବାଛିବା ପାଇଁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳୱାରି ତଲାସ କରାଯାଇଥିଲା।

ad-week
Leave A Reply

Your email address will not be published.