ଆଉ କୌଣସି ମାଫିଆ ଶିଳ୍ପପତିମାନଙ୍କୁ ଧମକ ଦେଇପାରିବେ ନାହିଁ…

add-all

ଲକ୍ଷ୍ନୌ : ଉତ୍ତର ପ୍ରଦେଶରେ ଆଉ କୌଣସି ମାଫିଆ ବା ଅପରାଧୀମାନେ ଶିଳ୍ପପତିମାନଙ୍କୁ ଧମକ ଦେଇପାରିବେ ନାହିଁ। ବର୍ତ୍ତମାନ ସବୁ କିଛି ବନ୍ଦ ହୋଇଯାଇଛି ବୋଲି ଆଜି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି। ଶନିବାର ଅତିକ ଅହମଦ ଓ ତାଙ୍କ ଭାଇ ଅଶରଫଙ୍କୁ ପୁଲିସ୍‌ ଉପସ୍ଥିତିରେ ୩ ଜଣ ଯୁବକ ହତ୍ୟା କରିଥିଲେ। ଏହାକୁ ନେଇ ରାଜ୍ୟ ଆଇନ ଶୃଙ୍ଖଳା ସ୍ଥିତି ଉପରେ ପ୍ରଶ୍ନ ଉଠିବାରେ ଲାଗିଛି। ଏସବୁ ଭିତରେ ଯୋଗୀ ଆଦିତ୍ୟନାଥଙ୍କ ବୟାନ ସାମ୍ନାକୁ ଆସିଛି।
ଲକ୍ଷ୍ନୌ ଓ ହାର୍ଡୋଇ ଜିଲ୍ଲାରେ ପ୍ରତିଷ୍ଠା ହେବାକୁ ଥିବା ଟେକ୍ସଟାଲ ପାର୍କ ପାଇଁ ଏମଓୟୁ ସ୍ୱାକ୍ଷରିତ ହୋଇଛି। ଏହି କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିଜର ମତ ରଖିଛନ୍ତି।
ସେ କହିଛନ୍ତି, “ବର୍ତ୍ତମାନ କୌଣସି ପେଶାଗତ ଅପରାଧୀ କିମ୍ବା ମାଫିଆ ଆଉ ଫୋନ ଯୋଗେ ଶିଳ୍ପପତିଙ୍କୁ ଧମକ ଦେଇପାରିବେ ନାହିଁ। ଉତ୍ତର ପ୍ରଦେଶରେ ପୂର୍ବରୁ ଭୟଙ୍କର ଦଙ୍ଗା ହେଉଥିଲା। ଲୋକଙ୍କୁ ଭୟଭୀତ କରାଯାଉଥିଲା। ହେଲେ ଏବେ ଆଉ ଭୟଭୀତ ହେବାର କୌଣସି କାରଣ ନାହିଁ। ମାଫିଆମାନେ ଏବେ ଚିନ୍ତାରେ।”
ପୂର୍ବରୁ କ୍ଷମତାରେ ଥିବା ଅଖିଲେଶ ଯାଦବ ସରକାରଙ୍କୁ ଟାର୍ଗେଟ କରି ଆଦିତ୍ୟନାଥ କହିଛନ୍ତି, “୨୦୧୨ରୁ ୨୦୧୭ ମଧ୍ୟରେ ୭୦୦ରୁ ଅଧିକ ଦଙ୍ଗା ରାଜ୍ୟରେ ଦେଖାଯାଇଥିଲା। କିନ୍ତୁ ୨୦୧୭ରୁ ୨୦୨୩ ମଧ୍ୟରେ ଗୋଟିଏ ହେଲେ ଦଙ୍ଗା ହୋଇନି। କୌଣସି ପ୍ରକାରର କର୍ଫ୍ୟୁ ମଧ୍ୟ ଲାଗୁ ହୋଇନି। କର୍ଫ୍ୟୁ ଲାଗୁ କରିବାର ସ୍ଥିତି ହିଁ ଆସିନି। ରାଜ୍ୟରେ ପୁଞ୍ଜିନିବେଶ ଓ ଶିଳ୍ପ ଗଠନ ପାଇଁ ଏବେ ଉପଯୁକ୍ତ ସ୍ଥିତି ସୃଷ୍ଟି ହୋଇଛି। ଉତ୍ତର ପ୍ରଦେଶ ଏବେ ଆଇନ ଶୃଙ୍ଖଳା ବ୍ୟବସ୍ଥାର ଗ୍ୟାରେଣ୍ଟ ଦେଉଛି।”
ପ୍ରଥମେ ଉମେଶ ପାଲ, ପରେ ଅତିକଙ୍କୁ ହତ୍ୟା କରାଯିବା ଘଟଣାକୁ ନେଇ ବିରୋଧୀ ରାଜ୍ୟର ଆଇନ ଶୃଙ୍ଖଳା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛନ୍ତି। ସେହିପରି ଗତକାଲି ଜଣେ କଲେଜ ଛାତ୍ରୀଙ୍କୁ ମଧ୍ୟ ବିଚ୍‌ ରାସ୍ତାରେ ଗୁଳି କରି ହତ୍ୟା କରାଯାଇଥିଲା। ଏସବୁ ଘଟଣା ସରକାରଙ୍କ ପାଇଁ ଅଡ଼ୁଆ ପରିସ୍ଥିତ ସୃଷ୍ଟି କରିଛି।

ad-week
Leave A Reply

Your email address will not be published.