
ଭୁବନେଶ୍ୱର : ଖୋର୍ଦ୍ଧା ଜିଲ୍ଲାର ବୋଲଗଡ ବ୍ଲକ୍ ଅନ୍ତର୍ଗତ ଐତିହାସିକ ଗ୍ରାମ କବିତୀର୍ଥ ସାନପଦର ତୃତୀୟା ଦେବ (ଜଗନ୍ନାଥ) ମନ୍ଦିରରେ ଓଡ଼ିଶାରେ ପ୍ରସ୍ତୁତ ହେବାକୁ ଯାଉଥିବା ପ୍ରଥମ ହିନ୍ଦୀ-ଅବଧି ଭାଷାର ସିନେମା “ଦି ୱେ ଅଫ୍ ଲାଇଫ୍”ର ଶୁଭ ମହୁରତ୍ ଆଜି ଅକ୍ଷୟ ତୃତୀୟାରେ ଅନୁଷ୍ଠିତ ହୋଇଯାଇଛି। “ଖୋର୍ଦ୍ଧା କନଷ୍ଟ୍ରକସନ୍ ପ୍ରାଇଭେଟ୍ ଲିମିଟେଡ୍” ବ୍ୟାନରରେ ପ୍ରସ୍ତୁତ ହେବାକୁ ଯାଉଥିବା “ଜୀବନର ପ୍ରବହମାନ ଧାରା” ଉପରେ ଏହି ଦ୍ବିଭାଷିକ ଚଳଚ୍ଚିତ୍ରର କାହାଣୀ ଓ ନିର୍ଦ୍ଦେଶନା ଦେଇଛନ୍ତି ଚିତ୍ତରଞ୍ଜନ ପରମଗୁରୁ ଓ ପ୍ରଯୋଜନା କରୁଛନ୍ତି ନିରଞ୍ଜନ କର।
“ଗୋଷ୍ଠୀ ବା ସଂପ୍ରଦାୟର ଜନଜୀବନ ସହିତ ବିଭିନ୍ନ ବ୍ୟକ୍ତି ବା ଚରିତ୍ରମାନଙ୍କର ସଂପର୍କ” ଭିତ୍ତିକ ଏହି କଳାତ୍ମକ ତଥା ପ୍ରୟୋଗାତ୍ମକ ଚଳଚ୍ଚିତ୍ରରେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ, ବିଶ୍ବଭାରତୀ ଶାନ୍ତି ନିକେତନ, ଭାରତେନ୍ଦୁ ଏକାଡେମୀ, ଆନ୍ଧ୍ର ବିଶ୍ବବିଦ୍ୟାଳୟର ଡ୍ରାମା ଓ ଥିଏଟର୍ ବିଭାଗର ଛାତ୍ରଛାତ୍ରୀମାନେ ଅଭିନୟ କରିବେ ବୋଲି ନିର୍ଦ୍ଦେଶକ ଶ୍ରୀଯୁକ୍ତ ପରମଗୁରୁ ସୂଚନା ପ୍ରଦାନ କରିଛନ୍ତି। ଆଇ ଫୋନ୍, ମୋପ୍ରୋ, ସିସି କ୍ୟାମେରା, ଡିଏସଏଲଆର୍ ଓ ମିରର୍ ଲେସ୍ କ୍ୟାମେରାରେ ଏହା ସୁଟିଂ ହେବା ସହିତ ଗରିଲା ପଦ୍ଧତିର ବ୍ୟବହାର ହେବ।
ବୋଲଗଡ ଅଞ୍ଚଳର ବିଶିଷ୍ଟ ସମାଜସେବୀ ବିଜୟ କୁମାର ଗୁମାନସିଂହ ଶ୍ରୀଜୀଉଙ୍କ ଚତୁର୍ଦ୍ଧାମୂର୍ତ୍ତିରେ ପୂଜାର୍ଚ୍ଚନା କରି ମହୁରତ୍ କ୍ଲାପିଂ କରିଥିଲେ। ସମାଜସେବୀ ଅନୁପମା ବଳିୟାରସିଂହ, ଶିକ୍ଷାବିତ୍ ରାଜକିଶୋର ବ୍ରହ୍ମା, ମନୋଜ କୁମାର ଗୁମାନସିଂହ, ଶ୍ରୀକାନ୍ତ କୁମାର ନାୟକ, ସଂସ୍କୃତି ଗବେଷକ ହୃଦାନନ୍ଦ ମହାନ୍ତି, ତ୍ରିଲୋଚନ ମହାନ୍ତି, ଅମ୍ବିକା ପ୍ରସାଦ ମହାନ୍ତି, ସହାୟକ ଭାବରେ ପ୍ରମୋଦ କୁମାର ଭୋଳ, ଯୋଗୀନାଥ ସାହୁ, ଗଗନ ବିହାରୀ ସ୍ବାଇଁ, ପ୍ରଭାସ କୁମାର ନାୟକ, ଦୀପକ କୁମାର ଜେନା ପ୍ରମୁଖ ଉପସ୍ଥିତ ଥିଲେ।
ଏହାର ପ୍ରଥମ ସୁଟିଂର ଉକ୍ତ ମନ୍ଦିର ଦ୍ବାରରୁ ସ୍ଥାନୀୟ ବାବାଜୀ ସାମନ୍ତ ଶ୍ରୀବତ୍ସ ପଟ୍ଟନାୟକ ଓ କୁଶ ଗୁମାନସିଂହଙ୍କ ଅଭିନୟରୁ ଆରମ୍ଭ ହୋଇଥିଲା। ଶିଶୁକଳାକାର ଆଦିତ୍ଯ ଓ ଆଦ୍ୟାଶା ନାରିକେଳ ଭାଙ୍ଗି ସୁଟିଂର ଶୁଭାରମ୍ଭ କରିଥିଲେ।
ସଙ୍ଗୀତ ନିର୍ଦ୍ଦେଶକ ପୂର୍ଣ୍ଣଚନ୍ଦ୍ର ବେହେରା ଏହାର ପ୍ରଚ୍ଛଦପଟ ସଙ୍ଗୀତ ଡିଜାଇନ୍ କରିଛନ୍ତି। ରଶ୍ମିରଞ୍ଜନ ରଣସିଂହ ପ୍ରଥମ ଭିଡିଓ ସୁଟିଂ କରିଥିଲେ। ଗ୍ରାମାଞ୍ଚଳର ପଟ୍ଟଭୂମିରେ ଏହାର ଅଧିକାଂଶ ସୁଟିଂ ହେବ ବୋଲି ନିର୍ଦ୍ଦେଶକ ପ୍ରକାଶ କରିଥିଲେ।
ମହୁରତ ଉତ୍ସବରେ ସାନପଦର ଓ କୃଷ୍ଣଶରଣ ପୁର ଗ୍ରାମର ଶତାଧିକ ମହିଳା ଓ ପୁରୁଷ ଉପସ୍ଥିତ ହୋଇ ଉତ୍ସାହିତ କରିଥିଲେ।