କୁସ୍ତି ମହାସଂଘ ସଭାପତି ଗିରଫ ନ ହେବା ଯାଏ ବନ୍ଦ ହେବନି ରେସଲରଙ୍କ ଆନ୍ଦୋଳନ

add-all

ନୂଆଦିଲ୍ଲୀ : ଦେଶର ମହିଳା ରେସଲରଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗରେ ଫସିଥିବା କୁସ୍ତି ମହାସଂଘର ସଭାପତି ତଥା ବିଜେପି ସାଂସଦ ବ୍ରିଜ ଭୂଷଣ ଶରଣ ସିଂହଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଦିଲ୍ଲୀର ଯନ୍ତରମନ୍ତରରେ ୬ ଦିନ ହେଲା ଆନ୍ଦୋଳନ କରୁଥିବା ଭାରତର ଷ୍ଟାର ରେସଲରମାନେ ସେମାନଙ୍କ ଆଭିମୁଖ୍ୟକୁ ଆହୁରି କଡ଼ା କରିଛନ୍ତି।
ସୁପ୍ରିମକୋର୍ଟଙ୍କ ନୋଟିସ ପରେ ରେସଲରଙ୍କ ଅଭିଯୋଗ ଅନୁଯାୟୀ ଏଫଆଇଆର ରୁଜୁ କରିବାକୁ ଆଜି ଦିଲ୍ଲୀ ପୁଲିସ୍‌ ରାଜି ହୋଇଛି। ହେଲେ ପୁଲିସ୍‌ ଉପରେ ରେସଲରମାନଙ୍କ ବିଶ୍ୱାସ ନଥିବାରୁ ସେମାନେ ତୁରନ୍ତ ବ୍ରିଜ ଭୂଷଣଙ୍କ ଗିରଫ ଦାବି କରିଛନ୍ତି।
ଆନ୍ଦୋଳନରତ ରେସଲରମାନେ କହିଛନ୍ତି ଯେ “ଆମେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ସମ୍ମାନ କରୁଛୁ। କିନ୍ତୁ ଦିଲ୍ଲୀ ପୁଲିସ୍‌ ଉପରେ ଆମର ବିଶ୍ୱାସ ନାହିଁ। ଏହି ଲଢ଼େଇ ଏଫଆଇଆର ପାଇଁ ନଥିଲା। ସେଭଳି ଲୋକ(ବ୍ରିଜ ଭୂଷଣ)ଙ୍କୁ ଦଣ୍ଡ ଦେବା ପାଇଁ ଲଢ଼େଇ ହେଉଛି। ତାଙ୍କୁ ଜେଲ ପଠାଯାଉ ଓ ତାଙ୍କୁ ମିଳିଥିବା ପଦପଦବୀକୁ ପ୍ରତ୍ୟାହାର କରାଯାଉ। ସେ ଗିରଫ ନ ହେବା ଯାଏ ଆନ୍ଦୋଳନ ଜାରି ରହିବ।”
ବ୍ରିଜ ଭୂଷଣ ଓ ମହାସଂଘର କିଛି ସଦସ୍ୟ ମହିଳା ରେସଲରମାନଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଏନେଇ ମହିଳା ରେସଲରମାନେ ଅଭିଯୋଗ କରିଥିଲେ ହେଁ ଦିଲ୍ଲୀ ପୁଲିସ୍‌ କୌଣସି ପ୍ରକାରର ଏଫଆଇଆର ରୁଜୁ କରି ନଥିଲା। ଏଥିପାଇଁ କିଛି ରେସଲର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।
ଆଜି ସର୍ବୋଚ୍ଚ ଅଦାଲତ ଏହାର ଶୁଣାଣି କରିଥିବା ବେଳେ ଦିଲ୍ଲୀ ପୁଲିସ୍‌ ଆଜି ହିଁ ରେସଲରଙ୍କ ଅଭିଯୋଗ ଆଧାରରେ ଶ୍ରୀ ସିଂହଙ୍କ ବିରୋଧରେ ଏଫଆଇଆର ରୁଜୁ କରାଯିବ ବୋଲି କହିଛି।
ଆଜି ଦିଲ୍ଲୀ ପୁଲିସ୍‌ ପୂର୍ବରୁ ସଲିସିଟର ଜେନେରାଲ ତୁଷାର ମହେତା ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ ଓ ଜଷ୍ଟିସ ପିଏସ୍‌ ନରସୀମାଙ୍କ ଖଣ୍ଡପୀଠ ନିକଟରେ ଦିଲ୍ଲୀ ପୁଲିସ୍‌ ପକ୍ଷରୁ ଜାବବ ଦାଖଲ କରିଛନ୍ତି। ଜବାବ ମିଳିବା ପରେ ଆବେଦନର ଶୁଣାଣି ଆସନ୍ତା ସପ୍ତାହକୁ ଘୁଞ୍ଚାଇ ଦେଇଛନ୍ତି।

ad-week
Leave A Reply

Your email address will not be published.