ଘୃଣା ସୃଷ୍ଟିକାରୀ ବୟାନକୁ ନେଇ ରାଜ୍ୟଗୁଡ଼ିକୁ ବଡ଼ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

add-all

ନୂଆଦିଲ୍ଲୀ : ଦେଶରେ ବିଭିନ୍ନ ଜାତି ଓ ଧର୍ମକୁ ନେଇ ଦିଆଯାଉଥିବା ଘୃଣା ସୃଷ୍ଟିକାରୀ ବୟାନ ଉପରେ ଆଜି ସୁପ୍ରିମକୋର୍ଟ ବଡ଼ ନିର୍ଦ୍ଦେଶ ଦେଇଛନ୍ତି। ୨୦୨୨ରେ ସୁପ୍ରିମକୋର୍ଟ ଦିଲ୍ଲୀ, ଉତ୍ତର ପ୍ରଦେଶ ଓ ଉତ୍ତରାଖଣ୍ଡ ପୁଲିସ୍‌କୁ ଦେଇଥିବା ନିର୍ଦ୍ଦେଶର ପରିସରକୁ ଆଜି ବୃଦ୍ଧି କରିଛନ୍ତି।
୨୦୨୨ରେ ସର୍ବୋଚ୍ଚ ଅଦାଲତ ଏହି ରାଜ୍ୟର ପୁଲିସ୍‌କୁ ଘୃଣା ସୃଷ୍ଟିକାରୀ ବୟାନ ଉପରେ ନିଜ ଆଡ଼କୁ ପଦକ୍ଷେପ ନେବାକୁ କହିଥିଲେ। ଏବେ ଦେଶର ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ରାଜ୍ୟଗୁଡ଼ିକୁ ସମାନ ନିର୍ଦ୍ଦେଶ ଦେଇଛନ୍ତି। ଘୃଣା ସୃଷ୍ଟିକାରୀ ବୟାନ ଉପରେ ଯଦି ବି କେହି ଅଭିଯୋଗ ନ କରୁଛନ୍ତି, ତା’ହେଲେ ପୁଲିସ୍‌ ନିଜ ଆଡ଼ୁ ମାମଲା ରୁଜୁ କରିପାରିବ। ମାମଲା ରୁଜୁରେ ବିଳମ୍ବ ହେଲେ, ଏହାକୁ ଅଦଲାତ ଅବମାନନା ଭାବେ ବିବେଚନା କରାଯିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି।
ଘୃଣା ସୃଷ୍ଟିକାରୀ ବୟାନକୁ ଅତ୍ୟନ୍ତ ସାଂଘାତିକ ଅପରାଧ ଭାବେ ବିବେଚନା କରି ସର୍ବୋଚ୍ଚ କୋର୍ଟ କହିଛନ୍ତି, “ଘୃଣା ସୃଷ୍ଟିକାରୀ ବୟାନ ଦେଶର ଧର୍ମନିରପେକ୍ଷ ଆତ୍ମାକୁ ପ୍ରଭାବିତ କରିବାକୁ ସକ୍ଷମ।”
ଘୃଣା ସୃଷ୍ଟିକାରୀ ବୟାନ ଉପରେ କାର୍ଯ୍ୟାନୁଷ୍ଠାନ ଓ ଏହାକୁ ରୋକିବା ପାଇଁ ସୁପ୍ରିମକୋର୍ଟ ପଦକ୍ଷେପ ନିଅନ୍ତୁ ବୋଲି ଦାବି କରି ଏକାଧିକ ଆବେଦନ କରାଯାଇଥିଲା। ଏହାର ଶୁଣାଣି କରି ସର୍ବୋଚ୍ଚ ଅଦାଲତ ମହାରାଷ୍ଟ୍ର ସରକାରଙ୍କୁ ନୋଟିସ କରିଥିଲେ। ହେଟସ୍ପିଚ୍‌ ବିରୋଧରେ ମହାରାଷ୍ଟ୍ରର ସରକାର ଉପଯୁକ୍ତ ପଦକ୍ଷେପ ନେଇ ନଥିବାରୁ ଅଦଲାତ ଅବମାନନା ମାମଲା ଚଳାଇବାକୁ ଆବେଦନର ଦାବି କରାଯାଇଥିଲା। ଏହାପରେ କୋର୍ଟ ରାଜ୍ୟ ସରକାରଙ୍କୁ ନୋଟିସ କରିଥିଲେ।
ଆଜି ଜଷ୍ଟିସ କେଏମ ଯୋଶେଫ ଓ ଜଷ୍ଟିସ ବିଭି ନାଗରତ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି, “ଆମେ ଆଉ ଥରେ ସ୍ପଷ୍ଟ କରିଦେବାକୁ ଚାହୁଁଛି ଯେ ଧର୍ମରୁ ଉପରେ ରହି ବୟାନ ଦେଇଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ଏହାଦ୍ୱାରା ଭାରତର ଧର୍ମନିରପେକ୍ଷ ସଶକ୍ତ ହୋଇ ରହିବ।”
ଆବେଦନକାରୀ ପ୍ରତି ରାଜ୍ୟ ପାଇଁ ଜଣେ ଲେଖାଏ ନୋଡାଲ ଅଫିସର ନିଯୁକ୍ତ କରିବାକୁ ପ୍ରସ୍ତାବ ଦେଇଥିଲେ। କିନ୍ତୁ ଖଣ୍ଡପୀଠ ପ୍ରତି ଜିଲ୍ଲାରେ ଜଣେ ଲେଖାଏ ନୋଡାଲ ଅଫିସର ନିଯୁକ୍ତି ପାଇଁ ପରାମର୍ଶ ଦେଇଛନ୍ତି।
ସୋଶାଲ ମିଡିଆରୁ ଘୃଣା ସୃଷ୍ଟିକାରୀ ବୟାନକୁ ହଟାଇବା ପାଇଁ ମଧ୍ୟ ଗୋଟିଏ ପ୍ରକ୍ରିୟା ସପକ୍ଷରେ ଆବେଦନକାରୀ ଯୁକ୍ତି ରଖିଥିଲେ। ମାମଲାର ପରବର୍ତ୍ତୀ ଶୁଣାଣି ମେ’ ୧୨ ତାରିଖରେ ହେବ ବୋଲି ଦିନ ଧାର୍ଯ୍ୟ ହୋଇଛି।

ad-week
Leave A Reply

Your email address will not be published.