ଶୀର୍ଷକୁ ଫେରିଲା ଟାଇଟନ୍ସ, କେକେଆର୍‌ଠୁ ପ୍ରତିଶୋଧ

add-all

କୋଲ୍‌କାତା : ଗତଥରର ବିଜେତା ଗୁଜରାଟ ଟାଇଟନ୍ସ ଚଳିତ ଆଇପିଏଲ୍‌ ପଏଣ୍ଟ୍‌ ଟେବୁଲରେ ପୁଣି ଥରେ ଶୀର୍ଷକୁ ଫେରିଛି। ଶନିବାର ଅପରାହ୍ଣ ମ୍ୟାଚ୍‌ରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ବାଧୀନ ଏହି ଦଳ ୭ ୱିକେଟ୍‌ରେ କୋଲ୍‌କାତା ନାଇଟ୍‌ ରାଇଡର୍ସ (କେକେଆର୍‌)କୁ ପରାସ୍ତ କରିଥିଲା। ଏଥିସହ ‌ଟାଇଟନ୍ସ ୮ ମ୍ୟାଚ୍‌ରୁ ସର୍ବାଧିକ ୧୨ ପଏଣ୍ଟ ପାଇ ଦ୍ବିତୀୟ ଥର ଲାଗି ଟେବୁଲର ଶୀର୍ଷ ସ୍ଥାନ ଦଖଲ କରିଛି। ଗୁରୁବାର ଚେନ୍ନାଇ ସୁପର କିଙ୍ଗ୍ସକୁ ହରାଇବା ପରେ ଟାଇଟନ୍ସକୁ ଗାଦିଚ୍ୟୁତ କରି ରାଜସ୍ଥାନ ରୟାଲ୍ସ ଏହି ସ୍ଥାନ ଦଖଲ କରିଥିଲା। ଶନିବାର ବିଜୟ ସହ ‌ଟାଇଟନ୍ସ ମଧ୍ୟ କେକେଆର୍‌ଠୁ ତା’ ଘରୋଇ ମାଟିରେ ପରାଜୟର ପ୍ରତିଶୋଧ ନେଇଥିଲା। ପରସ୍ପର ପ୍ରଥମ ମୁକାବିଲାରେ କେକେଆର୍‌ ଅହମଦାବାଦରେ ଗୁଜରାଟକୁ ୩ ୱିକେଟ୍‌ରେ ହରାଇଥିଲା। ଏବେ କେକେଆର୍‌ ୯ ମ୍ୟାଚ୍‌ରୁ ୬ ପଏଣ୍ଟ୍‌ ପାଇ ଟେବୁଲର ସପ୍ତମରେ ରହିଛି।
କୋଲ୍‌କାତାର ଇଡେନ୍‌ଗାର୍ଡେନ୍ସରେ ଖେଳାଯାଇଥିବା ମ୍ୟାଚ୍‌ରେ ଟସ୍‌ ଜିତି ପାଣ୍ଡ୍ୟା କେକେଆର୍‌କୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ। ରହମନୁଲ୍ଲା ଗୁର୍ବାଜ (୮୧, ୩୯ ବଲ୍‌, ୫ ଚୌକା, ୭ ଛକା)ଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ୭ ୱିକେଟ୍ ହରାଇ ୧୭୯ ରନ୍‌ କରିଥିଲା। ଶେଷ ୫ ଓଭରରେ ମାତ୍ର ୪୫ ରନ୍‌ ଏବଂ ୩ ୱିକେଟ୍‌ ହରାଇବାରୁ କେକେଆର୍‌ ୨୦୦ ରନ୍‌ ପାରି କରିବାରେ ବିଫଳ ହୋଇଥିଲା। ଟାଇଟନ୍ସ ଦ୍ରୁତ ବୋଲିଂ ଯୋଡ଼ି ମହମ୍ମଦ ସାମି (୩/୩୩) ଓ ଜୋସ ଲିଟିଲ (୨/୨୫)ଙ୍କ ୫ ୱିକେଟ୍‌ ଏବଂ ‌ବାମହାତୀ ସ୍ପିନର ନୁର ଅହମଦ (୨/୨୧)ଙ୍କ ମାପଚୁପ ବୋଲିଂ ଯୋଗୁଁ କେକେଆର୍‌ର ବଡ଼ ସ୍କୋର୍‌ରେ ଆଙ୍କୁଶ ଲାଗିଥିଲା।
ଜବାବରେ ଟାଇଟନ୍ସ ବିଜୟ ଶଙ୍କରଙ୍କ ୨୪ ବଲ୍‌ରୁ ୫୧* ରନ୍‌ ବଳରେ ୧୩ ବଲ୍‌ ପୂର୍ବରୁ ୩ ୱିକେଟ୍‌ ହରାଇ ବିଜୟ ଲକ୍ଷ୍ୟରେ ପହଞ୍ଚିଯାଇଥିଲା। ଶଙ୍କର ଓ ଡେଭିଡ ମିଲର (୩୨* ରନ୍‌) ଅବିଭାଜିତ ଚତୁର୍ଥ ୱିକେଟ୍‌ରେ ୮୭ ରନ୍‌ ଯୋଡ଼ି ବିଜୟ ମୁଣ୍ଡି ମାରିଥିଲେ। ଶୁବମନ ଗିଲ୍‌ (୪୯ ରନ୍‌) ଗୋଟିଏ ରନ୍‌ ପାଇଁ ଅର୍ଦ୍ଧଶତକରୁ ବଞ୍ଚିତ ରହିଥିଲା ବେଳେ ଅଧିନାୟକ ପାଣ୍ଡ୍ୟା ୨୬ ରନ୍‌ କରି ଆଉଟ୍‌ ହୋଇଥିଲେ। କେକେଆର୍‌ ପକ୍ଷରୁ ହର୍ଷିତ ରାଣା, ଆନ୍ଦ୍ରେ ରସେଲ ଓ ସୁନିଲ ନାରାୟଣ ଗୋଟିଏ ଲେଖାଏଁ ୱିକେଟ୍‌ ନେଇଥିଲେ। ଜୋସ ଲିଟିଲ୍‌ ମ୍ୟାଚ୍‌ର‌ ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

ad-week
Leave A Reply

Your email address will not be published.