ମସଜିଦରେ ପ୍ରାର୍ଥନା କରିବେ ହିନ୍ଦୁ ଯୁବତୀ, ସୁରକ୍ଷା ଯୋଗାଇ ଦେବାକୁ କୋର୍ଟଙ୍କ ନିର୍ଦ୍ଦେଶ

add-all

ନୂଆଦିଲ୍ଲୀ : ଜଣେ ୨୨ ବର୍ଷୀୟ ହିନ୍ଦୁ ଯୁବତୀଙ୍କୁ ମସଜିଦରେ ପ୍ରାର୍ଥନା ପାଇଁ ଅନୁମତି ଦେଇଛନ୍ତି ଉତ୍ତରାଖଣ୍ଡ ହାଇକୋର୍ଟ। ସେ ମସଜିଦରେ ନମାଜ ପାଠ କରିବାକୁ ଚାହୁଁଥିବା ବେଳେ ଏହାକୁ ବିଭିନ୍ନ ହିନ୍ଦୁ ସଂଗଠନ ବିରୋଧ କରୁଥିଲେ। ନମାଜ ପାଠ କଲେ ତାଙ୍କ ଉପରେ ଆକ୍ରମଣ କରିବାକୁ ମଧ୍ୟ କିଛି ହିନ୍ଦୁ ସଂଗଠନ ଧମକ ଦେଇଥିଲେ। ଏହା ବିରୋଧରେ ସେ ଉତ୍ତରାଖଣ୍ଡ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।
ହାଇକୋର୍ଟ ଏହାର ଶୁଣାଣି କରି ଯୁବତୀଙ୍କୁ ସବୁ ପ୍ରକାରର ସୁରକ୍ଷା ଯୋଗାଇ ଦେବାକୁ ପୁଲିସ୍‌କୁ ନିର୍ଦ୍ଦେଶ ଦେଇଛନ୍ତି। ଏବେ ପୁଲିସ୍‌ ସୁରକ୍ଷା ବଳରେ ଯୁବତୀ ଜଣଙ୍କ ହରିଦ୍ୱାରରେ ଥିବା ପିରାନ କଲିୟାର ମସଜିଦରେ ନମାଜ ପାଠ ମଧ୍ୟ କରିଛନ୍ତି।
ଯୁବତୀ ଜଣଙ୍କ ଘର ମଧ୍ୟପ୍ରଦେଶର ନୀମୁଚରେ। ସେ ହରିଦ୍ୱାରରେ ରହୁଥିବା ତାଙ୍କ ପୁରୁଷ ବନ୍ଧୁଙ୍କ ସହ ମିଶି ମଙ୍ଗଳବାର ଉତ୍ତରାଖଣ୍ଡ ହାଇକୋର୍ଟରେ ଗୋଟିଏ ପିଟିସନ ଦାଏର କରିଥିଲେ। ତାଙ୍କୁ କିଛି ଦକ୍ଷିଣପନ୍ଥୀ ସଂଗଠନ ଧମକଚମକ ଦେଉଥିବା ସେ ଅଭିଯୋଗ କରିଥିଲେ।
ଯୁବତୀ ଓ ତାଙ୍କ ପୁରୁଷ ବନ୍ଧୁ ପ୍ରାୟ ୨ ବର୍ଷ ହେଲା ଏକାଠି ରହୁଛନ୍ତି। ମଙ୍ଗଳବାର ଆବେଦନ ପରେ ନୈନତାଲରେ ଥିବା ହାଇକୋର୍ଟ ଯୁବତୀଙ୍କୁ ନୋଟିସ କରି ହିନ୍ଦୁ ହୋଇଥିବା ସତ୍ତ୍ୱେ ସେ କାହିଁକି ମସଜିଦରେ ନମାଜ ପାଠ କରିବାକୁ ଚାହୁଁଛନ୍ତି, ତା’ର ଜବାବ ରଖିବାକୁ କହିଥିଲେ।
ଏହାର ଜବାବରେ ଯୁବତୀ ଜଣଙ୍କ କୋର୍ଟଙ୍କୁ କହିଛନ୍ତି ଯେ “ମୁଁ ଇସଲାମ ଧର୍ମ ଗ୍ରହଣ କରିବାକୁ ଚାହୁଁ ନାହିଁ କିମ୍ବା କୌଣସି ମୁସଲିମ ବ୍ୟକ୍ତିଙ୍କୁ ବିବାହ କରନି। ପିରନ କଲିୟାର ବୁଲିବାକୁ ଯିବା ବେଳେ ସେହି ସ୍ଥାନ ପ୍ରତି ମୋର ଭଲ ପାଇବା ଆସିଯାଇଥିଲା। ତେଣୁ ସେଠାରେ ମୁଁ ନମାଜ ଓ ପ୍ରାର୍ଥନା କରିବାକୁ ଚାହୁଁଥିଲି। ଏହା ପଛରେ ଆଉ କୌଣସି କାରଣ ନାହିଁ।” ଯୁବତୀ ଓ ତାଙ୍କ ବନ୍ଧୁ ହରିଦ୍ୱାରରେ ଥିବା ଗୋଟିଏ ପରିଚିତ ଫାର୍ମାସିଟ୍ୟୁକାଲ ଫାର୍ମରେ କାମ କରନ୍ତି।
ଆବେଦନକାରୀ ଓକିଲ ଶୀତଲ ସେଲୱାଲ କହିଛନ୍ତି, ଯୁବତୀ ଜଣଙ୍କ ଜଷ୍ଟିସ ମନୋଜ କୁମାର ତିୱାରୀ ଓ ଜଷ୍ଟିସ ପଙ୍କଜ ପୁରୋହିତଙ୍କୁ ନେଇ ଗଠିତ ଡିଭିଜନାଲ ବେଞ୍ଚଙ୍କ ଆଗରେ ହାଜର ହୋଇଥିଲେ। କୋର୍ଟ ମୋ କ୍ଲାଏଣ୍ଟଙ୍କୁ ସବୁ ପ୍ରକାରର ସୁରକ୍ଷା ଯୋଗାଇ ଦେବାକୁ ପୁଲିସ୍‌କୁ କହିଛନ୍ତି।
ସୁରକ୍ଷା ପାଇଁ ସେ ପିରନ କଲିୟାର ଷ୍ଟେସନ ହାଉସ ଅଫିସରଙ୍କୁ ଗୋଟିଏ ଦରଖାସ୍ତ ଲେଖିବେ। ଏହାପରେ ସୁରକ୍ଷା ମିଳିବ। ମେ’ ୨୨ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ଶୀତଲ ସୂଚନା ଦେଇଛନ୍ତି।
ହରିଦ୍ୱାରରେ ଥିବା ପିରନ କଲିୟାର ଦର୍ଘାକୁ ସବୁ ଧର୍ମର ଲୋକମାନେ ବୁଲିବାକୁ ଯାଆନ୍ତି। ଏଠାରେ ସେମାନେ ପ୍ରାର୍ଥନା ମଧ୍ୟ କରନ୍ତି। ଯୁବତୀ ଜଣଙ୍କ ଯେଉଁ ମସଜିଦରେ ନମାଜ ପାଠ କରିବାକୁ ଚାହୁଁଛନ୍ତି, ସେଇଟା ଉକ୍ତ କମ୍ପ୍ଲେକ୍ସରେ ହିଁ ରହିଛି। ଏବେ ହିନ୍ଦୁ ଯୁବତୀ ଜଣଙ୍କ ସେଠାରେ ନମାଜ ପାଠ କରିପାରିବେ।

ad-week
Leave A Reply

Your email address will not be published.