ଜୁନ୍‌ ପହିଲାରୁ ନୂଆ ନିୟମ; ରପ୍ତାନୀ ପୂର୍ବରୁ କଡ଼ା ପରୀକ୍ଷାର ସମ୍ମୁଖୀନ ହେବ କଫ ସିରପ୍‌

add-all

ନୂଆଦିଲ୍ଲୀ : ଭାରତ ରପ୍ତାନୀ କରୁଥିବା କଫ ସିରପକୁ ସେବନ କରି ବହୁ ଶିଶୁ ଅକାଳରେ ମୃତ୍ୟୁମୁଖରେ ପଡ଼ୁଥିବା ବିଭିନ୍ନ ଦେଶ ଅଭିଯୋଗ କରିଛନ୍ତି। ଏଥିପାଇଁ ସେମାନେ ଭାରତର କଫ ସିରପକୁ ଭରସା କରି ପାରୁ ନାହାନ୍ତି। ଫଳରେ ବିଦେଶକୁ ରପ୍ତାନୀ ହେଉଥିବା କଫ ସିରପ୍‌ ବ୍ୟବସାୟ ଠପ୍‌ ହୋଇ ପଡ଼ିଥିବା ବେଳେ ଏହାକୁ ଟ୍ରାକ୍‌କୁ ଫେରାଇବାକୁ କଡ଼ାକଡ଼ି ନିୟମ ଆଣିଛନ୍ତି କେନ୍ଦ୍ର ସରକାର।
ଏନେଇ ଗତକାଲି ବିଦେଶ ବ୍ୟାପାର ମହାନିର୍ଦ୍ଦେଶାଳୟ(ଡିଜିଏଫଟି) ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି। ନୂଆ ନିର୍ଦ୍ଦେଶନାମା ଅନୁଯାୟୀ, ଏଣିକି ରପ୍ତାନୀ ପୂର୍ବରୁ କଫ ସିରପ ସାମ୍ପୁଲକୁ କଡ଼ା ପରୀକ୍ଷାର ସମ୍ମୁଖୀନ ହେବାକୁ ପଡ଼ିବ । ଏଥିରେ ପାସ୍‌ କଲେ ହିଁ ତାହା ରପ୍ତାନୀ ଯୋଗ୍ୟ ବୋଲି ବିବେଚନା କରାଯିବ । ଆସନ୍ତା ୧ ତାରିଖରୁ ଏହି ନୂଆ ନିୟମ ଲାଗୁ ହେବ ।
ଭାରତରେ ପ୍ରସ୍ତୁତ କଫ ସିରପର ମାନକୁ ନେଇ ବିଶ୍ୱର ବିଭିନ୍ନ ଦେଶରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଗତବର୍ଷ ଗାମ୍ବିଆ ଓ ଉଜବେକିସ୍ତାନରେ ଭାରତର କଫ ସିରପ ପିଇ ସମୁଦାୟ ୮୪ ଜଣ ଶିଶୁଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା। ଏହାପରେ ଭାରତରୁ କଫ ସିରପ ଆମଦାନୀ କରିବାକୁ ବହୁ ଦେଶ ପଛ ଘୁଞ୍ଚା ଦେଉଛନ୍ତି। ଏହି ମଳିନ ଛବିକୁ ସୁଧାରିବାକୁ କେନ୍ଦ୍ର ସରକାର ଏହି ନିୟମ ପ୍ରଣୟନ କରିଛନ୍ତି।
ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶନାମାରେ କୁହାଯାଇଛି, ଏଣିକି କଫ ସିରପକୁ ବିଦେଶକୁ ପଠାଇବା ପୂର୍ବରୁ ଏହାର କମ୍ପାନୀମାନଙ୍କୁ କଡ଼ା ପରୀକ୍ଷା ଦେଇ ଗତି କରିବାକୁ ପଡ଼ିବ। କଫ ସିରପର ସାମ୍ପୁଲକୁ ସରକାରୀ ଲ୍ୟାବ୍‌ରେ ଟେଷ୍ଟିଂର ସମ୍ମୁଖୀନ ହେବାକୁ ପଡ଼ିବ ।
ଗତ ବର୍ଷ ୨୦୨୧-୨୦୨୨ରେ ଭାରତରୁ ୧୭ ଅରବ ଡଲାର ମୂଲ୍ୟର କପ୍ ସିରପ ରପ୍ତାନୀ ହୋଇଥିଲା। ଏହି ରାଶି ୨୦୨୨-୨୩ରେ ବଢ଼ି ୧୭ ଅରବ ଡଲାରରେ ପହଞ୍ଚିଥିଲା।
ଜଣେ ଅଧିକାରୀଙ୍କ ସୂଚନା ମୁତାବକ, ଭାରତରୁ ରପ୍ତାନୀ ହେବାକୁ ଥିବା କପ୍‌ ସିରପର ମାନକୁ ସୁନିଶ୍ଚିତ କରିବାକୁ ଏହାକୁ ରପ୍ତାନୀ କରିବା ପୂର୍ବରୁ ପରୀକ୍ଷାର ସମ୍ମୁଖୀନ ହେବାକୁ ପଡ଼ିବ । ଏହା କେନ୍ଦ୍ର ସରକାର ତଥା ବିଭିନ୍ନ ରାଜ୍ୟ ସରକାରଙ୍କ ଦ୍ୱାରା ପଞ୍ଜୀକୃତ ଲାବ୍‌ରେ ହିଁ ଏହି ପରୀକ୍ଷା ହେବ ।

ad-week
Leave A Reply

Your email address will not be published.