ଶାହଙ୍କ ଗସ୍ତ ପୂର୍ବରୁ ମଣିପୁରରେ ହିଂସା: ପୁଲିସ ସମେତ ୫ ଜଣଙ୍କ ମୃତ୍ୟୁ, ୨୫ ଗିରଫ

youtube

ଇମ୍ଫାଲ: ମଣିପୁରରେ ହିଂସା ଥମୁନି। କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଆଜିଠାରୁ ୪ ଦିନିଆ ମଣିପୁର ଗସ୍ତରେ ଅଛନ୍ତି। ସେ ଆଜି ସନ୍ଧ୍ୟାରେ ମଣିପୁରରେ ପହଞ୍ଚିଛନ୍ତି। ତେବେ ତାଙ୍କ ଗସ୍ତର କିଛି ଘଣ୍ଟା ପୂର୍ବରୁ ରାଜ୍ୟରେ ସାନି ହିଂସା ଉପୁଜିଛି। ହିଂସାରେ ଜ‌ଣେ ପୁଲିସ ସମେତ ୫ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଛି ଏବଂ ୧୨ ଜଣ ଆହତ ହୋଇଛନ୍ତି। ସାନି ହିଂସା ଯୋଗୁ ଇମ୍ଫାଲରେ ପୁଣିଥରେ କର୍ଫ୍ୟୁ ଜାରି ହୋଇଛି। ଦୋକାନ ବଜାର ସବୁ ବନ୍ଦ ରହିଛି। ଇତି ମଧ୍ୟରେ ସେନା ଦ୍ବାରା ୨୫ ଜଣ ସଶସ୍ତ୍ର ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ସେମାନଙ୍କ ନିକଟରୁ ବନ୍ଧୁକ, ଗ୍ରେନେଡ୍‌ ସମେତ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ସେନାର ଏମ୍‌ଭିସିପି (ମଲ୍ଟିପୁଲ ମୋବାଇଲ ଭେଇକଲ ଚେକ୍‌ ପୋଷ୍ଟ୍‌ସ) ଦ୍ବାରା ବିଭିନ୍ନ ସ୍ଥାନରୁ ସନ୍ଦିଗ୍ଧଙ୍କୁ ଗିରଫ କରାଯିବା ସହ ବିପୁଳ ଅସ୍ତ୍ର ଜବତ କରାଯାଇଛି।

ସେମାନେ ଇମ୍ଫାଲର ପୂର୍ବ ଜିଲ୍ଲାରେ ସୁରକ୍ଷାବାହିନୀ ଉପରେ ଏକ ବଡ଼ ଧରଣର ଆକ୍ରମଣ ଯୋଜନା କରିଥିଲେ। ମଣିପୁର ମୁଖ୍ୟମନ୍ତ୍ରୀ ଏନ୍‌ ବୀରେନ ସିଂହ ଏବଂ କେନ୍ଦ୍ର ଗୃହ ରାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ ଆଜି ଉତ୍ତରପୂର୍ବ ରାଜ୍ୟରେ ବରିଷ୍ଠ ଅଧିକାରୀମାନଙ୍କ ସହ ସୁରକ୍ଷା ସ୍ଥିତି ସମୀକ୍ଷା କରିଛନ୍ତି। କେନ୍ଦ୍ର ଗୃହମନ୍ତ୍ରୀ ଶାହ ରାଜ୍ୟରେ ସୁରକ୍ଷା ସଂକ୍ରାନ୍ତ ଗୁରୁତ୍ବପୂର୍ଣ୍ଣ ବୈଠକ କରିବେ ଏବଂ ରାଜ୍ୟରେ ତତ୍କାଳ ଶାନ୍ତି ଫେରାଇ ଆଣିବାପାଇଁ ରଣନୀତି ପ୍ରସ୍ତୁତ କରିବେ। ଗତକାଲି ସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ ରାଜ୍ୟରେ ସୁରକ୍ଷା ସ୍ଥିତି ସମୀକ୍ଷା କରିଥିଲେ। ଇମ୍ଫାଲ ଏବଂ ଆଖପାଖ ଜିଲ୍ଲାମାନଙ୍କରେ ଏବେ ସେନା, କେନ୍ଦ୍ରୀୟ ଅର୍ଦ୍ଧସାମରିକ ବଳ, ମଣିପୁର ପୁଲିସ କମାଣ୍ଡୋ, ମଣିପୁରର ରୢାପିଡ ଆକ୍ସନ ଫୋର୍ସ ଏବଂ ଅନ୍ୟ ପୁଲିସ କର୍ମୀ ଅପରେସନ କରୁଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ମଣିପୁର ମୁଖ୍ୟମନ୍ତ୍ରୀ ଗତକାଲି କହିଥିଲେ ଯେ ଗତ କିଛି ଦିନ ହେବ ରାଜ୍ୟରେ ୪୦ ଉଗ୍ରପନ୍ଥୀଙ୍କୁ ନିପାତ କରାଯାଇଛି। ଆତଙ୍କବାଦୀମାନେ ସାଧାରଣ ଲୋକଙ୍କ ବିରୋଧରେ ଏମ୍‌-୧୬ ଏବଂ ଏକେ-୪୭ ବ୍ୟବହାର କରୁଛନ୍ତି। ସେମାନେ ବିଭିନ୍ନ ଗାଁକୁ ଆସି ଲୋକଙ୍କ ଘର ଜାଳି ଦେଉଛନ୍ତି। ଇତି ମଧ୍ୟରେ ଭାରତୀୟ ସେନା ଆଜି କହିଛି ଉଗ୍ରପନ୍ଥୀମାନେ ରାଜ୍ୟରେ ମହିଳା ଏବଂ ଶିଶୁ ସମେତ ନିରୀହ ଜନତାମାନଙ୍କୁ ଢାଲ ଭାବେ ବ୍ୟବହ‌‌ାର କରି ଏକ ବଡ଼ ଧରଣର ଆକ୍ରମଣ ଯୋଜନା କରିଛନ୍ତି।

Leave A Reply

Your email address will not be published.