
ଫୁଲବାଣୀ : ଗୋଟିଏ ସୁସ୍ଥ ଏବଂ ସୁନ୍ଦର ଜୀବନ ଯାପନ ପାଇଁ ନିଜର ବାସଗୃହଟିଏ ନିହାତି ଆବଶ୍ୟକ ହୋଇଥାଏ । ସେଥିପାଇଁ ସରକାର ବିଭିନ୍ନ ସମୟରେ ବିଭିନ୍ନ ଯୋଜନାରେ ବାସଗୃହ ଯୋଗାଇ ଆସୁଛନ୍ତି । ସମସ୍ତଙ୍କ ପାଇଁ ପକ୍କା ଘର-ରାଜ୍ୟ ସରକାରଙ୍କ ପ୍ରତିଶ୍ରୁତି । ୨୦୧୪-୧୫ ଆର୍ଥିକ ବର୍ଷରୁ ଏ ପର୍ଯ୍ୟନ୍ତ ରାଜ୍ୟ ସରକାର ବିଭିନ୍ନ ଯୋଜନାରେ ୩୦ ଲକ୍ଷରୁ ଅଧିକ ଘର ଯୋଗାଇ ଦେଇଛନ୍ତି । ମୋ ଘର ଯୋଜନା-୨୦୨୩ର ଉଦ୍ଦେଶ୍ୟ ତଥା ସମ୍ପାଦନା, ମୁଖ୍ୟ ବୈଶିଷ୍ଟ୍ୟ, ଯୋଗ୍ୟତା ମାନଦଣ୍ଡ, ଶ୍ରେଣୀ ବିଭାଗ, ସରକାରଙ୍କ ପକ୍ଷରୁ ଦିଆଯିବାକୁଥିବା ସବସିଡି, ରଣ ପରିଶୋଧ ହାର, ଋଣ ସହାୟତା ପାଇଁ କ’ଣ କ’ଣ ଆବଶ୍ୟକତା ରହିଛି, କାର୍ଯ୍ୟକାରିତା ପ୍ରକ୍ରିୟା, ପାଣ୍ଠି ବ୍ୟବସ୍ଥା, ଅଭିଯୋଗ ଥିଲେ ତା’ର ସମାଧାନ, କ୍ରେଡିଟ୍ ଲିଙ୍କ୍ ଆବାସ ଯୋଜନାରେ ଇ-ଗଭର୍ଣ୍ଣାନ୍ସ, ଏଥରେ ଅନ୍ୟ ବିଭାଗମାନଙ୍କର ଭୂମିକା ଓ ଦାୟିତ୍ଵ, ମନିଟରିଂ ବ୍ୟବସ୍ଥା, ଅଡିଟ୍ ବ୍ୟବସ୍ଥା, 5T/ ମୋ ସରକାରର ପ୍ରଭାବଶାଳୀ କାର୍ଯ୍ୟକାରିତା ଏବଂ ଅନ୍ୟାନ୍ୟ ବିଷୟରେ ବୁଝିବା ଏବଂ ବୁଝାଇବା ପାଇଁ କନ୍ଧମାଳ ଜିଲ୍ଲାପାଳ ଆଶିଷ ଇଶ୍ବର ପାଟିଲଙ୍କ ଅଧ୍ୟକ୍ଷତାରେ ସଦ୍ଭାବନା ସଭାଗୃହରେ ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗ ଆନୁକୁଲ୍ୟରେ ଏକ ଜିଲ୍ଲାସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି।
ଆଲୋଚନାରୁ ଜଣାପଡ଼ିଛିଯେ, ମୋ ଘର ଯୋଜନା-୨୦୨୩ ର ହିତାଧିକାରୀଙ୍କୁ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବ୍ୟାଙ୍କ ଋଣ ଯୋଗାଇଦିଆଯିବ ଯାହାକି ପ୍ରଥମ ବର୍ଷକୁ ଛାଡ଼ି ୧୦ ବର୍ଷ ମଧ୍ୟରେ ପରିଶୋଧ କରାଯିବ । ରାଜ୍ୟ ସରକାର ସାଧାରଣ ବର୍ଗଙ୍କ ପାଇଁ ୬୦ହଜାର ଟଙ୍କା ପର୍ଯ୍ୟନ୍ତ ଏବଂ ଅନୁସୂଚୀତ ଜାତି, ଜନଜାତି ଓ ଭିନ୍ନକ୍ଷମ ମୁଖ୍ୟ ଥିବା ପରିବାର ପାଇଁ ୭୦ହଜାର ଟଙ୍କା ପର୍ଯ୍ୟନ୍ତ ସବସିଡି ଦେବା ବ୍ୟବସ୍ଥା ରଖିଛନ୍ତି । ଓଡ଼ିଶାର ଗ୍ରାମାଞ୍ଚଳର ଯେଉଁ ପରିବାରମାନେ ଆରସିସି ଛାତ ସହ ଦୁଇ କିମ୍ବା ଅଧିକ କୋଠରୀ ବିଶିଷ୍ଟ ପକ୍କା ଘରେ ରହୁଛନ୍ତି, ଅତୀତରେ ଗ୍ରାମୀଣ ଆବାସ ଯୋଜନାରେ ୭୦ହଜାର ଟଙ୍କା କିମ୍ବା ଅଧିକ ଟଙ୍କା ଆବାସ ସହାୟତା ରାଶି ପାଇଛନ୍ତି, ମାସିକ ଆୟ ୨୫ହଜାର ଟଙ୍କା ବା ଅଧିକ,ଏକ ଅଣ-ବାଣିଜ୍ୟିକ ମୋଟର ଚାଳିତ ଚାରି ଚକିଆ ଯାନ ରଖିଛନ୍ତି, ପରିବାରର ଯେ କୌଣସି ବ୍ୟକ୍ତି ସରକାରୀ ଚାକିରି କିମ୍ବା ସରକାରଙ୍କ ଦ୍ୱାରା ପରିଚାଳିତ ସଂସ୍ଥାରେ ଚାକିରି କରିଛନ୍ତି କିମ୍ବା ପେନ୍ସନ୍ ପାଉଛନ୍ତି ସେହିମାନଙ୍କୁ ଛାଡ଼ି ଅନ୍ୟ ସମସ୍ତ ପରିବାର ମୋ ଘର ଯୋଜନା-୨୦୨୩ ର ହିତାଧିକାରୀ ହୋଇପାରିବେ । ସେଥିପାଇଁ ଖୁବ୍ ଶିଘ୍ର ହିତାଧିକାରୀ ଚୟନ ଆରମ୍ଭ ହୋଇଯିବ । ଏଥି ସହିତ , ମୃତ ହିତାଧିକାରୀଙ୍କ ରେସନ ବନ୍ଦ କରିବା, ରେସନ ସାମଗ୍ରୀ ପାଇଁ ଦୂରରୁ ଆସୁଥିବା ବୟସ୍କ ହିତାଧିକାରୀଙ୍କ ଘରକୁ ଯାଇ ରେସନ ସାମଗ୍ରୀ ଯୋଗାଇଦେବା, ବିଭିନ୍ନ ଯୋଜନାରୁ ବଂଚିତ ହୋଇଥିବା ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରିବା ଇତ୍ୟାଦି କାର୍ଯ୍ୟ ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଯୁଗ୍ମ ଅଭିଯୋଗ ପ୍ରକୋଷ୍ଠରେ ଏଣିକି ଯେପରି ଏହିସବୁ ଉପରେ ଅଭିଯୋଗ ନ ଆସିବ ସେଥିପ୍ରତି ଦୃଷ୍ଟି ଦେବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସେହିପରି ପ୍ରତି ବ୍ଲକ ସଦର ମହକୁମାରେ ବଲ୍ୟାଣ୍ଡ ନିର୍ମାଣ ଓ ଗାଡ଼ି ଯାତାୟତ ପାଇଁ ରୁଟ୍ ଚାର୍ଟ ତିଆରି କରି ଜନ ପ୍ରତିନିଧିମାନଙ୍କୁ ଜଣାଇବାକୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର,ରାଜସ୍ୱ ନିରୀକ୍ଷକମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଉକ୍ତ ବୈଠକରେ କନ୍ଧମାଳ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ସାହୁ, ଉପ- ଜିଲ୍ଲାପାଳ ଶେଷଦେବ ମିଶ୍ର, ଅତିରିକ୍ତ ନିର୍ବାହୀ ଅଧିକାରୀ (ପ୍ରଶାସନ), ଜିଲ୍ଲା ପରିଷଦ, କନ୍ଧମାଳ ହରପ୍ରସାଦ ଭୋଇଙ୍କ ସମେତ ସମସ୍ତ ବିଭାଗୀୟ ଅଧିକାରୀମାନେ ଯୋଗଦେଇଥିଲେ ।