ଜିଲ୍ଲାସ୍ତରୀୟ ମୋ ଘର ପ୍ରଶିକ୍ଷଣ କର୍ମଶାଳା

add-all

ମାଲକାନଗିରି : ଗରିବ ଓ ନିମ୍ନ ମଧ୍ୟବିତ୍ତ ପରିବାର ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ‘ମୋ ଘର’ ଯୋଜନା କରାଯାଇଛି । ଜିଲ୍ଲାରେ ଏହି ଯୋଜନାର ସଫଳ ରୂପାୟନ ପାଇଁ ଜିଲ୍ଲା ସ୍ତରୀୟ ‘ମୋ ଘର’ ପ୍ରଶିକ୍ଷଣ କର୍ମଶାଳା ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଶ୍ରୀ ରତ୍ନାକର ସାହୁଙ୍କ ଅଧ୍ୟକ୍ଷତାରେ ଏବଂ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମହେଶ୍ୱର ଚନ୍ଦ୍ର ନାଏକଙ୍କ ଉପସ୍ଥିତିରେ ଅନୁଷ୍ଠିତ କର୍ମଶାଳାରେ ‘ ମୋ ଘର’ ଯୋଜନାର ଯୋଗ୍ୟତା, ମାନଦଣ୍ଡ, ଶ୍ରେଣୀବିଭାଗ, ସବସିଡି, ଋଣ ହାର, ଋଣ ସହାୟତା ବ୍ୟବସ୍ଥା, ମାସିକ କିସ୍ତି, ଅଭିଯୋଗ ସମାଧାନ, ଇ- ଗଭର୍ଣ୍ଣାନ୍ସ , ଅନ୍ୟ ବିଭାଗର ଭୂମିକା, ଦାୟିତ୍ଵ ଓ ପରିଚାଳନା ବିଷୟରେ ଆଲୋଚନା ହୋଇଥିଲା। ଶ୍ରୀ ସାହୁ କହିଥିଲେ ଯେ ଗରିବ ଓ ନିମ୍ନ ମଧ୍ୟବିତ୍ତ ପରିବାର କିପରି ଛାତ ଘରେ ରହିବେ ସେଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ମୋ ଘର ଯୋଜନା ଆରମ୍ଭ ହୋଇଛି।
ଏହି ଯୋଜନାରେ ହିତାଧିକାରୀମାନେ ନିଜ ନାମରେ ଥିବା ପଟ୍ଟା ଯାହାକି ସ୍ଥିତିବାନ ଓ ଘରବାଡ଼ି କିସମ ଥିବ ସେମାନେ ଆବେଦନ କରିପାରିବେ। ସେଥିପାଇଁ ସରକାର ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ବ୍ୟବସ୍ଥା କରିଛନ୍ତି। ଘର କରିବା ପାଇଁ ବ୍ୟାଙ୍କରୁ ସେମାନେ ୧ ଲକ୍ଷ , ଦେଢ଼ ଲକ୍ଷ, ୨ ଲକ୍ଷ ଓ ୩ ଲକ୍ଷ ପର୍ଯ୍ୟନ୍ତ ଋଣ ନେଇ ପାରିବେ। ଏହି ଋଣ ଟଙ୍କାରେ ମଧ୍ୟ ସରକାର ସବସିଡି ବ୍ୟବସ୍ଥା କରିଛନ୍ତି। ଏହି ଋଣ ଶୁଝିବା ପାଇଁ ୧୧ ବର୍ଷ ସମୟ ଧାର୍ଯ୍ୟ ହୋଇଛି। ଜଣେ ହିତାଧିକାରୀ ହେବାକୁ ହେଲେ ପରିବାରର ମାସିକ ଆୟ ୨୫ ହଜାର ଟଙ୍କା ତଳକୁ ଥିବା ଦରକାର। ଜୁନ୍ ୧୬ ରୁ ଆବେଦନ ନିମନ୍ତେ ଦରଖାସ୍ତ ଗ୍ରହଣ କରାଯିବ ବୋଲି ଏଠାରେ ସୂଚନା ଦିଆଯାଇଛି।
ବ୍ଲକ୍ ଠାରୁ ପଞ୍ଚାୟତ ସ୍ତରୀୟ ଏବଂ ବ୍ୟାଙ୍କରମାନଙ୍କ ସହିତ ବୈଠକ ଆୟୋଜନ କରିବା ସହିତ ସମସ୍ତ ମୋ ସେବା କେନ୍ଦ୍ରମାନଙ୍କୁ ଉତ୍ତମ ତାଲିମ ଦେବାକୁ ବିଡିଓମାନଙ୍କୁ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ନିର୍ଦ୍ଦେଶ ଦେଇଥିଲେ। ଏହା ସହିତ ଅନ୍ୟାନ୍ୟ ଷ୍ଟେକ୍ ହୋଲ୍ଡର୍ସମାନଙ୍କ ସହିତ ମଧ୍ୟ ବୈଠକ କରିବାକୁ ଏଠାରେ ନିର୍ଦ୍ଦେଶ ଦିଆଯାଇଛି।
ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଏପିଡି, ହିଂମାଶୁ ମହାରଣା, ବାଲାଜୀ ପଟ୍ଟନାୟକ, ସମସ୍ତ ବିଡ଼ିଓ, ତହସିଲଦାର ଓ ବ୍ୟାଙ୍କର୍ସ ମାନେ ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.