‘ମୋ ବସ୍‌’ରୁ ଡ୍ରାଇଭରଙ୍କୁ ଭିଡ଼ିନେଇ ନିସ୍ତୁକ ପିଟିଲେ ୬ ଯୁବକ

add-all

ନିମାପଡ଼ା: କ୍ୟାପିଟାଲ ରିଜନ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ) ଦ୍ବାରା ପରିଚାଳିତ ‘ମୋ ବସ୍‌’ର ଜଣେ ଡ୍ରାଇଭରଙ୍କୁ ଆଜି ସନ୍ଧ୍ୟା ସମୟରେ ୬ ଜଣ ଯୁବକ ନିସ୍ତୁକ ମାଡ଼ ମାରିଛନ୍ତି। ଯୁବକମାନେ ଡ୍ରାଇଭରଙ୍କୁ ବସ୍‌ ଭିତରୁ ବଳପୂର୍ବକ ଭିଡ଼ିନେଇ ମାଡ଼ ମାରିଥିବା ନେଇ ପୁରୀ ଜିଲ୍ଲା ନିମାପଡ଼ା ଥାନାରେ ଅଭିଯୋଗ ‌ପରେ ମାମଲା ରୁଜୁ ହୋଇଛି। ତେବେ ମାଡ଼ମାରିଥିବା ଯୁବକମାନଙ୍କର ପରିଚୟ ମିଳିପାରି ନାହିଁ।
ମୋ ବସ୍‌ର ଡ୍ରାଇଭରଙ୍କ ଅଭିଯୋଗ ଅନୁସାରେ ଆଜି ସନ୍ଧ୍ୟା ସାଢ଼େ ୫ଟା ବେଳେ ୭୧ ନମ୍ବର ରୁଟ୍‌ରେ ଭୁବନେଶ୍ବରସ୍ଥିତ ବରମୁଣ୍ଡାରୁ କୋଣାର୍କ ଅଭିମୁଖେ ବସ୍‌ ନେଇ ଯାଉଥିଲେ। ନିମାପଡ଼ା ଛକଠାରେ ଏକ ଅଟୋ ତାଙ୍କ ବସ୍‌କୁ ଓଭରଟେକ କରିଥିଲା। ଫଳରେ ବସ୍‌ର କିଛି ଅଂଶ ଭାଙ୍ଗିଯାଇଥିଲା। ଡ୍ରାଇଭର ପ୍ରତିବାଦ କରିଥିଲେ ଏବଂ ପରେ ସେ ଆଗକୁ ବଢ଼ିଥିଲେ। ଅଟୋ ଚାଳକ ଧୀରପୁର ଛକ ନିକଟସ୍ଥ ପାଞ୍ଚମାଣିଆ ଗାଁର ବୋଲି କୁହାଯାଉଛି। ସ୍ଥାନୀୟ ଅଞ୍ଚଳର ଲୋକ ହୋଇଥିବାରୁ ସେ ନିଜର କିଛି ସମର୍ଥକଙ୍କୁ ଡାକି ମୋ ବସ୍‌ର ଡ୍ରାଇଭରଙ୍କୁ ବଳପୂର୍ବକ ଭିଡ଼ି ଆଣି ମାଡ଼ ମାରିଥିଲେ। ରାସ୍ତାରେ ଗୋଡେଇ ଗୋଡେଇ ପିଟିବା ପରେ ସେଠାରୁ ଫେରାର ହୋଇଯାଇଥିଲେ।

ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ଦୁର୍ଘଟଣାଗ୍ରସ୍ତ ବସ୍‌କୁ ପୁଲିସ ଥାନାକୁ ଆଣିଥିଲା। ମୋ ବସ୍‌ର ଡ୍ରାଇଭରଙ୍କ ଅଭିଯୋଗ କ୍ରମେ ପୁଲିସ ମାମଲା ରୁଜୁ କରି ତଦନ୍ତ କରୁଛି।

ad-week
Leave A Reply

Your email address will not be published.