
ହିଞ୍ଜିଳିକାଟୁ (୧୯।୬): ପିତୃ ଦିବସ ପାଳନ ଅବସରରେ ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଅନ୍ତର୍ଗତ ଗଣ୍ଡଳା ଗ୍ରାମରେ ଜାଲିଆତି କରି ପୁଅ ନିଜ ନାମରେ ସମ୍ପତ୍ତି ହାତେଇବା ବିଫଳ ପରେ ନିଜ ମାଆକୁ ପତ୍ନୀ ଙ୍କ ସହ ମିଶି ଗୁରୁତର ଆକ୍ରମଣ କରିଥିବା ଥାନାରେ ଅଭିଯୋଗ ହୋଇଛି।
ଅଭିଯୋଗରୁ ପ୍ରକାଶ ଯେ, ହିଞ୍ଜିଳି ଥାନା ଗଣ୍ଡଳା ଗ୍ରାମର କୁନି ସାହୁଙ୍କୁ(୬୮) ରବିବାର ପୂର୍ବାହ୍ନରେ ପୁଅ ଓ ବୋହୁ ମିଶି ଶାବଳରେ ଆକ୍ରମଣ କରି ମାଆଙ୍କ ଦାନ୍ତ ଭାଙ୍ଗିବା ସହ ମାରାତ୍ମକ ଆକ୍ରମଣ କରିଥିଲେ। ଘରୁ ଧକ୍କା ଦେଇ ବାହାର କରିଦେବାରୁ କୁନି ହିଞ୍ଜିଳି ଥାନା ରେ ପୁଅ ଓ ବୋହୂ ଙ୍କ ବିରୋଧରେ ଏତଲା ଦେଇଛନ୍ତି। ପୂର୍ବରୁ ଘର ଓ ଜମିକୁ ପୁଅ ଜାଲିଆତି କରି ନିଜ ନାମରେ କରାଇ ଥିଲେ। ତେବେ କୁନି ଏଥି ନେଇ ଜାଣିବା ପରେ ହିଞ୍ଜିଳିକାଟୁ ତହସିଲ ଅଫିସରେ ଅଭିଯୋଗ କରି ନିଜ ନାମରେ ପଟା କରାଇଥିଲେ। ଫଳରେ ଏଥିରେ ରାଗି ପୁଅ ବୋହୁ ତାଙ୍କୁ ନିର୍ଯାତନା ଦେଉଥିବା ସେ ଅଭିଯୋଗ କରିଛନ୍ତି। ଘରକୁ ଆସିଲେ ପ୍ରାଣରେ ମାରିଦେବା ପାଇଁ ପୁଅ ବୋହୁ ଧମକ ଦେଇଥିବା କୁନି ଅଭିଯୋଗ କରିଛନ୍ତି। ଥାନାରେ ନଂ ୪୨୭/୨୩ରେ ମାମଲା ରୁଜୁ କରି ପୋଲିସ ଘଟଣାର ତଦନ୍ତ ଚଳାଇଥିବା ପ୍ରକାଶ।