ବିଚ୍‌ ରାସ୍ତାରେ ଯୁବତୀଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ

add-all

ପୁନେ : ପୁଣିଥରେ ଜଣେ ଯୁବତୀଙ୍କୁ ବିଚ୍‌ ରାସ୍ତାରେ ଆକ୍ରମଣ କରାଯାଇଛି। ଜଣେ ବ୍ୟକ୍ତି ହାତରେ କାତି ଧରି ଯୁବତୀଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଛନ୍ତି। ସେ ତଳେ ପଡ଼ି ଯାଇଥିଲେ ମଧ୍ୟ ବ୍ୟକ୍ତି ଜଣଙ୍କ ତାଙ୍କୁ ଆକ୍ରମଣ କରିବାର କୌଣସି ସୁଯୋଗ ହାତ ଛଡ଼ା କରି ନାହାନ୍ତି। ପୁଣେର ସଦାଶିବ ପୀଠ ଅଞ୍ଚଳରେ ଏପରି ଘଟଣା ଘଟିଛି। ତେବେ ସ୍ଥାନୀୟ ଲୋକଙ୍କ ସାହାସ ଓ ଉପସ୍ଥିତ ବୁଦ୍ଧି ଯୋଗୁ ମହିଳା ଜଣଙ୍କ ମୃତ୍ୟୁମୁଖରୁ ବର୍ତ୍ତି ଯାଇଛନ୍ତି। ଘଟଣାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।
ଆକ୍ରମଣକାରୀ ଜଣଙ୍କ ହେଲେ ଶାନ୍ତନୁ ଲକ୍ଷ୍ମଣ ଯାଦବ। ଆକ୍ରମଣରେ ଆହତ ହୋଇଥିବା ଯୁବତୀ ଜଣଙ୍କ ହେଲେ ୨୦ ବର୍ଷୀୟ ପ୍ରୀତି ରାମଚନ୍ଦ୍ର। ସାମ୍ନାକୁ ଆସିଥିବା ଭିଡିଓ ଅନୁଯାୟୀ, ପ୍ରଥମେ ଶାନ୍ତନୁ ସ୍କୁଟିରେ ଆସୁଥିବା ପ୍ରୀତିଙ୍କୁ ଅଟକାଇଥିଲେ। ଏହାପରେ କିଛି ସେକେଣ୍ଡ ଉଭୟଙ୍କ ମଧ୍ୟରେ କଥାବାର୍ତ୍ତା ହୋଇଥିଲା। ଏତିକି ବେଳେ ଶାନ୍ତନୁ ନିଜ ପାଖରେ ରଖିଥିବା କାତିକୁ କାଢ଼ିଥିଲେ ଓ ପ୍ରୀତିଙ୍କୁ ଆକ୍ରମଣ କରିଥିଲେ।
ଏଥିରୁ ବର୍ତ୍ତିବା ପାଇଁ କାନ୍ଧରେ ବ୍ୟାଗ ପକାଇଥିବା ପ୍ରୀତି ସ୍କୁଟି ଛାଡ଼ି ରାସ୍ତାରେ ଦୌଡ଼ିବା ଆରମ୍ଭ କରିଥିଲେ। ଶାନ୍ତନୁ ମଧ୍ୟ ତାଙ୍କ ପିଛା କରି ହାଣିବାକୁ ଉଦ୍ୟମ କରିଥିଲେ।
ଗୋଟିଏ ଚୋଟ ପ୍ରୀତଙ୍କ ବ୍ୟାଗରେ ମାଡ଼ ହେବାରୁ ସେ ମୁହଁମାଡ଼ି ତଳେ ପଡ଼ି ଯାଇଥିଲେ। ତେବେ ସେ ଛିଡ଼ା ହେବାକୁ ଚେଷ୍ଟା କରୁଥିବା ବେଳେ ଶାନ୍ତନୁ ତାଙ୍କୁ ଆକ୍ରମଣ କରି ଚାଲିଥିଲେ।
ରାସ୍ତାରେ ଏପରି ଘଟଣା ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହେବା ସହ ପ୍ରୀତିଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ। ଯୁବକ ଜଣଙ୍କ କାତି ଧରିଥିବାରୁ ତାଙ୍କ ପାଖକୁ କେହି ବି ଯିବାକୁ ସାହାସ କରି ନଥିଲେ। ତେଣୁ ଲୋକମାନେ ପଥର ଓ କିଛି ଜିନିଷ ମାଡ଼ କରିଥିଲେ।
ଶାନ୍ତନୁ ସେମାନଙ୍କୁ ମଧ୍ୟ କାତି ଦେଖାଇ ଡରାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ କିଛି ସମୟ ପରେ ଏକାଧିକ ଲୋକ ମିଳିତ ଭାବେ ଶାନ୍ତନୁଙ୍କୁ କାବୁ କରିବା ସହ ପୁଲିସ୍‌କୁ ହସ୍ତାନ୍ତର କରିଥିଲେ। ଏଥିସହ ପ୍ରୀତିଙ୍କୁ ହସ୍ପିଟାଲ ପଠାଇଥିଲେ।
ପୁଣେର ଡେପୁଟି କମିଶନର ଅଫ ପୁଲିସ୍‌ ସନ୍ଦୀପ ସିଂହ ଗିଲ କହିଛନ୍ତି, ଆକ୍ରମଣକାରୀ ଗିରଫ ହୋଇଛି ଓ ତା’ ନାଁରେ ଦଫା ୩୦୭ରେ ମାମଲା ରୁଜୁ କରାଯାଇଛି।

ପ୍ରୀତିଙ୍କ ମା’ କହିଛନ୍ତି, ବେଶ କିଛି ଦିନ ହେବ ଶାନ୍ତନୁ ତାଙ୍କ ଝିଅଙ୍କୁ ହଇରାଣ କରୁଥିଲା। ଏନେଇ ସେମାନେ ଶାନ୍ତନୁଙ୍କ ବାପାଙ୍କୁ ମଧ୍ୟ ଜଣାଇଥିଲେ। ଏହା ସତ୍ତ୍ୱେ ସେ ଆମ ଝିଅକୁ ମାରିବାକୁ ଚେଷ୍ଟା କରିଥିଲା ବୋଲି ମା’ ଜଣଙ୍କ କହିଛନ୍ତି।

ad-week
Leave A Reply

Your email address will not be published.