ଦୁଇଟି କୋଠରୀକୁ ଦୁଇଟି ଶିକ୍ଷକରେ ଚାଲିଛି ପାଲୁଙ୍କିଆ ପ୍ରାଥମିକ ବିଦ୍ୟାଳୟ : ଗୃହ ନିର୍ମାଣ କାର୍ଯ୍ୟ ଅଧାପନ୍ତରିଆ

add-all

ବାଲିଗୁଡା : “ସଭିଏଁ ପଢନ୍ତୁ, ସଭିଏଁ ବଢନ୍ତୁ ” ସରକାର ଏହି ସ୍ଲୋଗାନ ଦେଇ ସମସ୍ତେ ଯେଭଳି ପାଠ ମୁହାଁ ହେବେ ସେଥି ପ୍ରତି ଯତ୍ନବାନ ହୋଇ ପଢିବା ନିମନ୍ତେ ଉତ୍ତମ ଶିକ୍ଷା ବ୍ୟବସ୍ଥା ସହିତ ଭିଭିଭୂମି ସଜାଡୁଛନ୍ତି । କିନ୍ତୁ କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଅନ୍ତର୍ଗତ ବାଟାଗୁଡା ପଞ୍ଚାୟତର ପାଲୁଙ୍କିଆ ପ୍ରାଥମିକ ବିଦ୍ୟାଳୟ ଅବସ୍ଥା କହିଲେ ନସରେ । ଏହି ବିଦ୍ୟାଳୟ ଟି ୧୯୬୦ ମସିହାରେ ସ୍ଥାପିତ ହୋଇଥିବା ବେଳେ ଏଠାରେ ଆଜି ପର୍ଯ୍ୟନ୍ତ କୋଠାଘରେ ପିଲା ପାଠପଢି ପାରିଲେନି। ଆଜକୁ ୮ବର୍ଷ ତଳେ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଗୋଟିଏ ଶ୍ରେଣୀ ଗୃହ କାର୍ଯ୍ୟ ଆରମ୍ଭ କରିଛନ୍ତି ଯେ ତାହାର ନିର୍ମାଣ କାର୍ଯ୍ୟ ଆଜି ପର୍ଯ୍ୟନ୍ତ ସରୁନାହିଁ । ନିର୍ମାଣ କାର୍ଯ୍ୟ ଅଧାପନ୍ତରିଆ ହୋଇ ପଡି ରହିଛି l ଏଥ‌ିରେ ନିୟୋଜିତ ଶ୍ରମିକଙ୍କ ମୂଲ ବି ମିଳିନାହିଁ। ବିଦ୍ୟାଳୟରେ ଚଳିତ ବର୍ଷ ପ୍ରଥମରୁ ୫ମ ଶ୍ରେଣୀରେ ୫୦ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। କିନ୍ତୁ ଆବଶ୍ୟକ ସଂଖ୍ୟକ ଶ୍ରେଣୀ ଗୃହ ନାହିଁ କି ଶିକ୍ଷକ ନାହାନ୍ତି । ବିଦ୍ୟାଳୟର କାର୍ଯ୍ୟାଳୟକୁ ମିଶାଇ ଦୁଇଟି ପ୍ରକୋଷ୍ଠ ରହିଛି ତାହାପୁଣି ଭଗ୍ନ ଅବସ୍ଥାରେ । ବର୍ଷା ହେଲେ ପାଣି ଗଳୁଛି । ଦିନ ବେଳେ ଆକାଶ ଦିଶୁଛି । ୫ଟି ଶ୍ରେଣୀର ପିଲାଏ ମାତ୍ର ଦୁଇଜଣ ଶିକ୍ଷକରେ ଦୁଇଟି ଶ୍ରେଣୀରେ ବସି ପାଠ ପଢନ୍ତି। । ଯଦି ପ୍ରଧାନ ଶିକ୍ଷକ କୌଣସି କାର୍ଯ୍ୟରେ ଗଲେ ତେବେ ପାଠପଢା ଠପ୍ ହୋଇଯାଏ। କାରଣ ଜଣେ ଶିକ୍ଷକ ୫ ଶ୍ରେଣୀର ପିଲାଙ୍କୁ ପଢାଇବା ସମ୍ଭବପର ହେଉନି । ଆମ ପିଲାମାନେ କଣ ଏତେ ଦୟନୀୟ ଅବସ୍ଥାରେ ପାଠପଢିବେ କି ବୋଲି ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଲଙ୍କେଶ୍ଵର ଦିଗାଳ କ୍ଷୋଭର ସହ ପ୍ରକାଶ କରିଛନ୍ତି l ଏ ସମ୍ପର୍କରେ ବାରମ୍ବାର ବିଭାଗୀୟ ଉଚ୍ଚ ଅଧିକାରୀଙ୍କୁ ଲିଖତ ଆକାରରେ ଜଣାଇଲେ ବି କିଛି ପ୍ରତିକାର ହୋଇନାହିଁ ବୋଲି କହିଛନ୍ତି ସଭାପତି ଓ ଗ୍ରାମବାସୀ। ଏ ସମ୍ପର୍କରେ ସ୍ଥାନୀୟ ଗୋଷ୍ଠୀ ଶିକ୍ଷା ଅଧିକାରୀ ମହେଶ୍ୱର ମାଝୀ ଙ୍କୁ ପଚାରିବାରୁ ସେ କହିଲେ, ଏ ସମ୍ପର୍କରେ ବିଭାଗ ଅବଗତ ଅଛି, ପିଲା ସଂଖ୍ୟା ଅନୁସାରେ ଶିକ୍ଷକ ଅଛନ୍ତି ଏବଂଶ୍ରେଣୀ ଗୃହ ନିର୍ମାଣ କାର୍ଯ୍ୟ ଅଧାପନ୍ତରିଆ ହୋଇ ଯାହା ରହିଛି ଆମେ ଆମ ବିଭାଗୀୟ ଉଚ୍ଚ ଅଧିକାରୀ ଙ୍କୁ ଜଣାଇଛୁ, ସେ ଯାହା ପଦକ୍ଷେପ ନେବେ l ଏଣୁ ତୁରନ୍ତ ଏହି ବିଦ୍ୟାଳୟ ପ୍ରତି ଦୃଷ୍ଟି ଦେଇ ଶ୍ରେଣୀଗୃହ ଓ ଶିକ୍ଷକ ସମସ୍ୟା ସମାଧାନ ନହେଲେ ବିଦ୍ୟାଳୟରେ ତାଲା ପକାଇ ଆନ୍ଦୋଳନ କରିବୁ ବୋଲି ଚେତାବନୀ ଦେଇଛନ୍ତି ଗ୍ରାମବାସୀ। ଏଥି ପ୍ରତି କନ୍ଧମାଳ ଜିଲ୍ଲାପାଳ ଓ ବାଲିଗୁଡା ଉପଜିଲାପାଳ ତୁରନ୍ତ ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ମହଲରୁ ଦାବି କରାଯାଇଛି l

ad-week
Leave A Reply

Your email address will not be published.