
ବ୍ରହ୍ମପୁର : ଓଡିଶା ପ୍ରଦେଶ ଯୁବ କଂଗ୍ରେସର 33ଟି ସାଙ୍ଗଠନିକ ଜିଲ୍ଲା ଓ ରାଜ୍ୟ ସାଧାରଣ ସମ୍ପାଦକ ସହ ରାଜ୍ୟ ସଭାପତି ପାଇଁ ହୋଇଥିବା ସାଙ୍ଗଠନିକ ନିର୍ବାଚନର ଫଳାଫଳ ଗତକାଲି ପ୍ରକାଶ ପାଇଛି । ଏହି ନିର୍ବାଚନ ଗତ 16 ଫେବ୍ରୁଆରି 2023 ରେ ଆରମ୍ବ ହୋଇଥିବା ବେଳେ 7 ମାର୍ଚ୍ଚ 2023 ରୁ 10 ଫେବ୍ରୁଆରି 2023 ପର୍ଯ୍ୟନ୍ତ ମତଦାନ ଚାଲିଥିଲା । ରାଷ୍ଟ୍ରୀୟ ଯୁବ କଂଗ୍ରେସ ଦ୍ୱାରା କୁହାଯାଇଥିବା ପ୍ରାଣଳୀରେ ମତଦାନ ହୋଇଥିବା ବେଳେ , ଯୁବ ନେତା ମାନେ ଭୋଟ ପାଇଁ 18 ରୁ 35 ବର୍ଷ ଯୁବକ ୟୁବତୀ ମାନଙ୍କୁ ଯୁବ କଂଗ୍ରେସର ସଭ୍ୟ କରି ନିଜ ସପକ୍ଷରେ ଭୋଟ ସଂଗ୍ରହ କରିଥିଲେ । ଗଞ୍ଜାମ ଜିଲ୍ଲା ଯୁବ କଂଗ୍ରେସ ପାଇଁ 3 ଜଣ ପ୍ରାର୍ଥୀ ଲଢୁଥିବା ବେଳେ ମୋଟ 6194 ଜଣ ସଭ୍ୟ ଭୋଟ ଦେଇଥିଲେ । 3854 ଭୋଟ ସହ ବିକାଶ ନାୟକ ସଭାପତି ପଦ ହାସଲ କରିଥିବା ବେଳେ 2005 ଭୋଟ ସହ ସନାତନ ସାହୁ ଓ 240 ଭୋଟ ସହ ସୁପ୍ରଭା ଦାସ ଉପସଭାପତି ହୋଇଛନ୍ତି । ସେହିପରି ବ୍ରହ୍ମପୁର ବିଧାନସଭା ଯୁବ କଂଗ୍ରେସ ସଭାପତି ପଦ ପାଇଁ ଦୁଇ ଜଣ ପ୍ରାର୍ଥୀ ଭାଗ୍ୟ ପରୀକ୍ଷା କରୁଥୁବା ବେଳେ ମୋଟ 1960 ଭୋଟରୁ ବିକାଶ ମହାରଣା 392 ଭୋଟ ପାଇଥିବା ବେଳେ ସର୍ବାଧିକ 1520 ଭୋଟ ସହ

ତତସତ୍ ସୁବୁଦ୍ଧି ବ୍ରହ୍ମପୁର ବିଧାନସଭା ଯୁବ କଂଗ୍ରେସ ସଭାପତି ହୋଇଛନ୍ତି । ରାଜ୍ୟ ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ପଦ ପାଇଁ 47 ଜଣ ଲଢ଼ିଥିବା ବେଳେ ମୋଟ 1,30,308 ଭୋଟରୁ 5131 ଭୋଟ ସହ ଗଞ୍ଜାମ ଜିଲ୍ଲାରୁ ଚିନ୍ମୟ କୁମାର ହୋତା ରାଜ୍ୟ ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି । ବିଜୟ ପରେ ସମସ୍ତ ଯୁବ କଂଗ୍ରେସ ନେତା ଶୀର୍ଷ ନେତୃତ୍ୱଙ୍କୁ ଧନ୍ୟବାଦ ଦେବା ସହ ଓଡିଶା ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟନାୟକ , ଗଞ୍ଜାମ ଜିଲ୍ଲା କଂଗ୍ରେସ ସଭାପତି ରମେଶ ଜେନା ଓ ଜିଲ୍ଲାର ସମସ୍ତ ବରିଷ୍ଠ କଂଗ୍ରେସ ନେତାଙ୍କୁ କୃତଜ୍ଞତା ଜଣାଇଛନ୍ତି । ବ୍ରହ୍ମପୁର ତଥା ଗଞ୍ଜାମ ଜିଲ୍ଲାର ସ୍ୱାର୍ଥ ପାଇଁ ସର୍ବଦା ଲଢେ଼ଇ କରିବା ସହ ଜିଲ୍ଲା ଓ ସହରର ନିର୍ଜାତିତ ଓ ଅବେହେଳିତ ଜନସାଧାରଣଙ୍କ ସ୍ୱର ହେବେ ବୋଲି ପ୍ରତିସୃତି ଦେଇଛନ୍ତି।