ଅଞ୍ଜୁ-ନସରୁଲ୍ଲାଙ୍କ ପ୍ରି-ୱେଡିଂ ଭିଡିଓ ସୁଟ୍‌ ଆଇଏସ୍‌ଆଇ କରାଇଛି ବୋଲି ଦାବି କଲେ ବିଶେଷଜ୍ଞ

add-all

ଇସ୍‌ଲାମାବାଦ: ସୀମା ହାଇଦରଙ୍କ ପରେ ଏବେ ଲାଇମଲାଇଟରେ ଅଛନ୍ତି ଅଞ୍ଜୁ। ଭାରତରୁ ପାକିସ୍ତାନରେ ପହଞ୍ଚିଥିବା ଅଞ୍ଜୁ ସେଠାକାର ନିବାସୀ ନସରୁଲ୍ଲାଙ୍କ ସହ ଏବେ ଅଛନ୍ତି। କିଛି ଦିନ ପୂର୍ବରୁ ଅଞ୍ଜୁ ଏବଂ ନାସରୁଲ୍ଲାଙ୍କ ବିବାହ ପୂର୍ବର ସୁଟିଂ ଭିଡିଓ (ପ୍ରି ୱେଡିଂ ସୁଟ୍‌) ସାମ୍ନାକୁ ଆସିଥିଲା। ପୂର୍ବରୁ ନସରୁଲ୍ଲାଙ୍କ ସହ ପ୍ରେମ ସଂପର୍କ ଥିବା କଥାକୁ ଅସ୍ବୀକାର କରୁଥିବା ଅଞ୍ଜୁ ନିଜେ ମଧ୍ୟ ପ୍ରେମିକଙ୍କ ସହ ନିକ୍‌ହା କଥାକୁ ସ୍ବୀକାର କରିଛନ୍ତି।
ଏବେ କିନ୍ତୁ ନୂଆ କଥା ଶୁଣିବାକୁ ମିଳୁଛି। ରିପୋର୍ଟ ରହିଛି ଯେ ଅଞ୍ଜୁ ପାକିସ୍ତାନୀ ଗୁପ୍ତଚର ସଂସ୍ଥା ଇଣ୍ଟର୍‌ ସର୍ଭିସ୍‌ ଇଣ୍ଟେଲିଜେନ୍ସ (ଆଇଏସ୍‌ଆଇ)ର ଏଜେଣ୍ଟ୍‌। ବିଶେଷଜ୍ଞମାନେ ଦାବି କରିଛନ୍ତି ଯେ‌ ବୈଧ ଭିସା ନେଇ ପାକିସ୍ତାନ ଯାଇଥିବା ଅଞ୍ଜୁଙ୍କୁ ଆଇଏସ୍‌ଆଇ ନିୟନ୍ତ୍ରଣ କରିଛି। ଅଞ୍ଜୁଙ୍କ ପ୍ରି-ୱେଡିଂ ଭିଡିଓ ସେମାନଙ୍କ ନିର୍ଦ୍ଦେଶରେ ସୁଟିଂ କରାଯାଇଛି। ପରେ ଏହାକୁ ଭାଇରାଲ କରାଯାଇଛି। ଆଇଏସ୍‌ଆଇ ଅଞ୍ଜୁଙ୍କ ଉପରେ ତୀକ୍ଷ୍ମ ନଜର ରଖିଛି।
ପାକିସ୍ତାନ ପକ୍ଷରୁ କୁହାଯାଇଛି ଯେ ଅଞ୍ଜୁ ବର୍ତ୍ତମାନ ଭାରତ ଫେରିବେ ନାହିଁ। କାରଣ ଯଦି ସେ ନିଜ ଦେଶକୁ ଯାଆନ୍ତି ତେବେ ତାଙ୍କୁ ସେଠାରେ ହତ୍ୟା କରାଯାଇପାରେ। ଭାରତୀୟ ଟିଭି ଚ୍ୟାନେଲ ସହ ବାର୍ତ୍ତାଳାପରେ ନସରୁଲ୍ଲା କହିଛନ୍ତି ଯେ ଭାରତରେ ଅଞ୍ଜୁଙ୍କ ଜୀବନ ପ୍ରତି ବିପଦ ଦେଖୁଛନ୍ତି। ଜଣେ ପାକିସ୍ତାନୀ ସାମ୍ବାଦିକ ଅଞ୍ଜୁ ଏବଂ ନାସରୁଲ୍ଲାଙ୍କ ଭିଡିଓ ଟ୍ୱିଟରରେ ସେୟାର କରିଛନ୍ତି। ଏହା ବି ଦେଖିବାକୁ ମିଳିଛି ଯେ ବୁର୍ଖା ପିନ୍ଧିଥିବା ଅଞ୍ଜୁ ଓ ନସରୁଲ୍ଲା ସେମାନଙ୍କ ସାଙ୍ଗମାନଙ୍କ ସହିତ ରାତ୍ରି ଭୋଜନ କରୁଛନ୍ତି।
ପୂର୍ବରୁ ଅଞ୍ଜୁ ତାଙ୍କ ଫେସବୁକ ବନ୍ଧୁ ନସରୁଲ୍ଲାଙ୍କୁ ଭେଟିବାକୁ ପାକିସ୍ତାନ ଯାଇଥିଲେ। ତାଙ୍କୁ ଏକ ମାସର ଭିସା ମିଳିଥିଲା ​​ଏବଂ ଅଗଷ୍ଟ ୨୦ ସୁଦ୍ଧା ସେ ଭାରତ ଫେରିବେ ବୋଲି କୁହାଯାଇଥିଲା। ହେଲେ ଅଞ୍ଜୁ ବର୍ତ୍ତମାନ ନସରୁଲ୍ଲାଙ୍କ ସହ ପାକିସ୍ତାନରେ ରହିଛନ୍ତି। ଅଞ୍ଜୁ ବିବାହିତ ଏବଂ ତାଙ୍କର ଦୁଇଟି ସନ୍ତାନ ଅଛନ୍ତି। କୁହାଯାଉଛି ଯେ ସେ ନସରୁଲ୍ଲାଙ୍କୁ ବିବାହ କରିଛନ୍ତି ଏବଂ ଇସଲାମ ଗ୍ରହଣ କରିଛନ୍ତି। ତାଙ୍କ ନାମ ମଧ୍ୟ ଫାତିମାକୁ ପରିବର୍ତ୍ତନ କରାଯାଇଛି।

ad-week
Leave A Reply

Your email address will not be published.