ପୋଲିସ ଓ ପ୍ରସିକ୍ୟୁସନର ମିଳିତ ବୈଠକ ଓ କର୍ମଶାଳା

add-all

ଛତ୍ରପୁର : ଜିଲ୍ଲାରେ ଦିନକୁ ଦିନ ଅପରାଧ ବଢ଼ିବାରେ ଲାଗିଛି ଓ ଅପରାଧିମାନେ ବେଖାତିର ଭାବେ ଖୋଲାରେ ବୁଲିବା ପୋଲିସ ବିଭାଗ ପାଇଁ ଏକ କଡ଼ା ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଏହି କଥାକୁ ଧ୍ୟାନରେ ରଖି ଛତ୍ରପୁର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର ସ୍ଥିର କରିଥିଲେ, ପୋଲିସ ଓ ପ୍ରସିକ୍ୟୁସନର ଏକ ମିଳିତ ବୈଠକ କରିବା ନିମନ୍ତେ। ସେହି ଅନୁଯାୟୀ ଛତ୍ରପୁର ସବ-ଇନ୍ସପେକ୍ଟର ବିନୟ କୁମାର ଦାସଙ୍କ ସଂଯୋଜନାରେ ତଥା ଥାନା ଅଧିକାରୀ ସତ୍ୟ ରଞ୍ଜନ ପ୍ରଧାନଙ୍କ ଉପସ୍ଥିତିରେ ଛତ୍ରପୁର ଥାନାରେ ଶ୍ରୀ ମିଶ୍ରଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସବ ଇନ୍ସପେକ୍ଟର ଲକ୍ଷ୍ମୀପ୍ରିୟା ମଲ୍ଲିକ, ଏଏସଆଇ ବିଚିତ୍ର ଜେନା, ସବିତା ଖୁଣ୍ଟିଆ ଓ ନୂତନ ତଦନ୍ତକାରୀ ଅଧିକାରୀ ମାନେ ଯୋଗଦେଇଥିଲେ। ସେହିପରି ଦିନକୁ ଦିନ ହେଉଥିବା ଦୁର୍ଘଟଣାରେ କିପରି ଲୋକଙ୍କୁ ପୋଲିସ ସାହାଯ୍ୟ ପହଞ୍ଚାଇପାରିବ ଓ ଲୋକଙ୍କ ଆସ୍ଥାଭାଜନ ହୋଇପାରିବ, ସେ ବିଷୟରେ ମଧ୍ୟ ଚର୍ଚ୍ଚା ହୋଇଥିଲା।

ଏହି ବୈଠକ ଓ କର୍ମଶାଳା କେବଳ ଛତ୍ରପୁର ଥାନା ପର୍ଯ୍ୟନ୍ତ ସୀମିତ ନ ରହି ଆଜି ଚମାଖଣ୍ଡି ଥାନାରେ ଥାନା ଅଧିକାରୀ ସୁଦୀପ୍ତ ସାହୁଙ୍କ ଉପସ୍ଥିତିରେ ଏକ ସମାନ ଅନୁରୂପ ବୈଠକ ହୋଇଥିଲା, ଯେଉଁଥିରେ ସବ-ଇନ୍ସପେକ୍ଟର ମାନସୀ ସାହୁ, ଏଏସଆଇ ସୁବୋଧ ଦୁପଡ଼ା ଓ ସୁଶାନ ବାଗ ପ୍ରମୁଖ ଯୋଗଦେଇଥିଲେ। ଆଜିର ଆଲୋଚନାର ମୁଖ୍ୟ ବିଷୟ ରହିଥିଲା, କିପରି ଜାତୀୟ ରାଜପଥରେ ହେଉଥିବା ଦୁର୍ଘଟଣାକୁ ଏଡାଯାଇ ପାରିବ । ସେହିପରି ବିଭିନ୍ନ ମାମଲାର ତଦନ୍ତ କିପରି ତ୍ୱରାନ୍ୱିତ କରି ପୀଡ଼ିତଙ୍କୁ ଯଥାସମ୍ଭବ ନ୍ୟାୟ ଦିଆଯାଇପାରିବ ତାକୁ ନେଇ ଥାନାଧିକାରୀ ଶ୍ରୀ ସାହୁ ନିଜର ମତପ୍ରକାଶ କରିଥିଲେ । ଏହି ଆଲୋଚନାରେ ମାନ୍ୟବର ଉଚ୍ଚତମ ନ୍ୟାୟାଳୟ ତଥା ଗୃହ ବିଭାଗ ଦ୍ୱାରା ଦିଆଯାଇଥିବା ନିର୍ଦ୍ଦେଶ ଅନୁଯାୟୀ କାର୍ଯ୍ୟ ସମ୍ପାଦନ କରିବାକୁ ତଥା ବିଭିନ୍ନ ସଙ୍ଗୀନ ମାମଲାରେ କିପରି ସଠିକ ଭାବେ ତଦନ୍ତ କରାଯାଇପାରିବ, ସେ ବିଷୟରେ ସମସ୍ତ ତଦନ୍ତକାରୀ ଅଧିକାରୀଙ୍କୁ ଶ୍ରୀ ମିଶ୍ର ଜଣାଇଥିଲେ। ପ୍ରାପ୍ତ ସୂଚନା ମୁତାବକ ଆଗକୁ ମଧ୍ୟ ଏହିଭଳି ବୈଠକ ଅନ୍ୟ ଥାନାମାନଙ୍କରେ କରାଯିବ ବୋଲି ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି।

ad-week
Leave A Reply

Your email address will not be published.