ଆନନ୍ଦପୁରର ଯବାନ୍ ସୁଶାନ୍ତ କୁମାର ଖୁଣ୍ଟିଆଙ୍କୁ ଅଶ୍ରୁଳ ବିଦାୟ, ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ଶେଷକୃତ୍ୟ

newyr25

ଆନନ୍ଦପୁର: ନକ୍ସଲ ଗୁଳିରେ ସହିଦ୍ ହୋଇଥିବା ଆନନ୍ଦପୁରର ଯବାନ୍ ସୁଶାନ୍ତ କୁମାର ଖୁଣ୍ଟିଆଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି। ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ କରାଯାଇଛି ଅନ୍ତିମ ସଂସ୍କାର। ତାଙ୍କୁ ଗାର୍ଡ ଅଫ୍ ଅନର୍ ପ୍ରଦାନ କରାଯାଇଛି।
ଆଜି ସୁଶାନ୍ତ କୁମାର ଖୁଣ୍ଟିଆଙ୍କୁ ଅଶ୍ରୁଳ ବିଦାୟ ଦିଆଯାଇଛି। ସହିଦ୍ ଯବାନଙ୍କ ମରଶରୀର ରାଞ୍ଚିରୁ କେନ୍ଦୁଝର ଦେଇ ସଡ଼କ ପଥରେ ଆସିବା ପରେ ପୂର୍ବାହ୍ନ ସାଢେ ନଅଟାରେ ଶୈଲଙ୍ଗ ଛକ ନିକଟରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ଏକ ବିଶାଳ ଶୋଭାଯାତ୍ରା ଘସିପୁରା, ଶାଳପଡା, ଆନନ୍ଦପୁର ବ୍ରିଜ ଛକ, ବଡ଼ଦାଣ୍ଡ ଦେଇ ମରଶରୀର ୬ ନମ୍ବର ୱାର୍ଡରେ ଥିବା ତାଙ୍କ ଘରେ ପହଞ୍ଚିଥିଲା। ତାଙ୍କ ଘରେ ପରିବାର ସମ୍ପର୍କୀୟ ଶେଷ ଦର୍ଶନ କରିବା ପରେ ଶୋଭାଯାତ୍ରାରେ ବୈତରଣୀ ନଦୀକୂଳ ଶ୍ମଶାନକୁ ନିଆ ଯାଇଥିଲା।

ସି ଆର୍ ପି ଏଫ୍ ପକ୍ଷରୁ ତୋପ ସଲାମି ଦିଆଯିବା ପରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ସହିଦ୍ ସୁଶାନ୍ତ ଅମର ରହେ ଧ୍ୱନିରେ ଚାରିଆଡ଼େ ପ୍ରକମ୍ପିତ ହୋଇଥିଲା। ହଜାର ହଜାର ଲୋକଙ୍କ ଉପସ୍ଥିତିରେ ସହିଦଙ୍କୁ ଶେଷ ସମ୍ମାନ ପ୍ରଦାନ କରାଯାଇଥିଲା। ଅନ୍ତିମ ସଂସ୍କାର ସମୟରେ ବିଧାୟକ ଭାଗିରଥି ସେଠୀ, ଘସିପୁରା ବିଧାୟକ ବଦ୍ରି ନାରାୟଣ ପାତ୍ର, ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ଉପଜିଲ୍ଲାପାଳ ଅନିଲ କୁମାର ସେଠୀ, ଏସ୍ ଡି ପିଓ ପ୍ରଶାନ୍ତ କୁମାର ବେହେରା, ପୂର୍ବତନ ବିଧାୟକ ମାୟାଧର ଜେନା ପ୍ରମୂଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.