
ଫୁଲବାଣୀ : କନ୍ଧମାଳ ଜିଲ୍ଲା ସଦର ମହକୁମା ଫୁଲବାଣୀ ସ୍ଥିତ ସରକାରୀ ଶିଳ୍ପ ତାଲିମ୍ ଅନୁଷ୍ଠାନରେ ଏକ ଆପ୍ରେଣ୍ଟିସିପ୍ ମେଳା ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ମୁଖ୍ୟ ଅତିଥି ଭାବେ ସାଲୁଙ୍କି ପାଇପ୍ସ୍ ଏଣ୍ଡ୍ ଟ୍ୟୁବସର ପରିଚାଳନା ନିର୍ଦ୍ଦେଶକ ନୀଳମାଧବ ମିଶ୍ର, ସମ୍ମାନିତ ଅତିଥି ଭାବେ କସମ୍ ର ମ୍ୟାନେଜର ସଞ୍ଜୀବ କୁମାର ପଟ୍ଟନାୟକ ଓ ସରକାରୀ ଆଇଟିଆଇ ର ଅଧ୍ୟକ୍ଷ ଇଂ ପ୍ରକାଶ ଚନ୍ଦ୍ର ସେଠୀ ଯୋଗ ଦେଇଥିଲେ ବେଳେ ଆଇଟିଆଇର ଶତାଧିକ ପାସ୍ ଆଉଟ୍ ପ୍ରଶିକ୍ଷାର୍ଥୀ ସାମିଲ ହୋଇଥିଲେ ।
ଆଇଆଇଟିରେ ପାଠପଢ଼ା ଓ ତାଲିମ୍ ସରିବା ପରେ ନିଜର କୌଶଳକୁ ଆହୁରି ଅଧିକ ଶାଣିତ କରିବା ସହିତ ଅଭିଜ୍ଞତା ହାସଲ କରିବାରେ ଆପ୍ରେଣ୍ଟିସିପ୍ କିପରି ସହାୟକ ହେବ ସେହି ବିଷୟରେ ଆଇଟିଆଇ ଅଧ୍ୟକ୍ଷ ଇଂ ଶ୍ରୀ ସେଠୀ ବିସ୍ତୃତ ଆଲୋକପାତ କରିଥିଲେ । ମୁଖ୍ୟ ଅତିଥି ଶ୍ରୀ ମିଶ୍ର ଛାତ୍ରଛାତ୍ରୀମାନଙ୍କୁ ଜଣେ ଜଣେ ସଫଳ ଉଦ୍ୟୋଗୀ ଭାବେ ନିଜକୁ ପ୍ରତିଷ୍ଠିତ କରିବା ସହିତ ନିଜ ଅଞ୍ଚଳରେ ଉଦ୍ୟୋଗ ମାଧ୍ୟମରେ ବିକାଶ ଓ ବେକାରୀ ସମସ୍ୟା ଦୂରୀକରଣ କରିବାର ଗୁରୁମନ୍ତ୍ର ପ୍ରଦାନ କରିଥିଲେ ତଥା ନିଜ ସଂଘର୍ଷମୟ ଉଦ୍ୟୋଗୀ ଜୀବନ କଥା ବର୍ଣ୍ଣନା କରି ଛାତ୍ରଛାତ୍ରୀଙ୍କୁ ପ୍ରେରଣା ଦେଇଥିଲେ । ସମ୍ମାନୀତ ଅତିଥି ଶ୍ରୀ ସଞ୍ଜୀବ କୁମାର ପଟ୍ଟନାୟକ କିପରି ଆପ୍ରେଣ୍ଟିସିପ୍ ଟ୍ରେନିଂ ନିଆଯାଏ ଓ ଆପ୍ରେଣ୍ଟିସିପ୍ ପ୍ରଶିକ୍ଷଣ ନେଇଥିବା ଛାତ୍ରଛାତ୍ରୀ କିପରି ରାଜ୍ୟ ତଥା ରାଜ୍ୟ ବାହାରର ପ୍ରତିଷ୍ଠିତ କମ୍ପାନୀରେ ନିଯୁକ୍ତି ପାଉଛନ୍ତି ସେ ବିଷୟରେ ଆଲୋଚନା କରିଥିଲେ ।ଉକ୍ତ କାର୍ଯ୍ୟକ୍ରମକୁ ଅଧ୍ୟାପକ ଶ୍ରୀ ଦେବାଶିଷ ବ୍ରହ୍ମା ପରିଚାଳନା କରିଥିବା ବେଳେ ଅଧ୍ୟାପିକା ଅନସୂୟା ଦାସ୍ ପ୍ରଶିକ୍ଷାର୍ଥୀ ଙ୍କ ପଞ୍ଜୀକରଣ କରିଥିଲେ, ଅଧ୍ୟାପକ ଶ୍ରୀ ରଶ୍ମୀରଂଜନ ବିଶ୍ୱାଳ ,ଶ୍ରୀ ରଶ୍ମୀରଂଜନ ବେହେରା ଓ ଶ୍ରୀ ସ୍ମୃତି ରଂଜନ ଦାଶ୍ ଅନଲାଇନ୍ ରେଜିଷ୍ଟ୍ରେସନ କରିଥିଲେ, ଅଧ୍ୟାପକ ଶ୍ରୀ କୁମାର ଗୌରବ ମହାପାତ୍ର ଛାତ୍ରଛାତ୍ରୀଙ୍କୁ ଗାଇଡ୍ କରିଥିଲେ ।ଆଇଟିଆଇ ର ସମସ୍ତ ଶିକ୍ଷକ ସହୋଯାଗ କରିଥିଲେ। ଆଇଟିଆଇର ଆସିଷ୍ଟାଣ୍ଟ ଟ୍ରେନିଂ ଅଫିସର ଡ଼ଃ ଶ୍ରୀ ନୃସିଂହାନନ୍ଦ ମହାପାତ୍ର କାର୍ଯ୍ୟକ୍ରମର ସାରାଂଶ ପୁନଃ ଉଚ୍ଚାରଣ କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ ।