ଚନ୍ଦ୍ରଯାନ-୩ର ସଫଳ ଅବତରଣ; ଓଡ଼ିଆ ବୈଜ୍ଞାନିକଙ୍କ ଅବଦାନକୁ ଭୁରି ଭୁରି ପ୍ରଶଂସା

add-all

scien

ଭୁବନେଶ୍ୱର: ବୁଧବାର ସନ୍ଧ୍ୟାରେ ଚନ୍ଦ୍ରଯାନ-୩ ଚନ୍ଦ୍ରପୃଷ୍ଠରେ ସଫଳତାର ସହ ଅବତରଣ କରିବା ପରେ ଚାରିଆଡ଼େ ସୃଷ୍ଟି ହୋଇଛି ଖୁସିର ମାହୋଲ। ଭାରତ ଏବଂ ଇସ୍ରୋର ସମସ୍ତ ବୈଜ୍ଞାନିକଙ୍କ ପାଇଁ ଶୁଭେଚ୍ଛାର ସୁଅ ଛୁଟିଛି। ପ୍ରତ୍ୟେକ ଭାରତୀୟ ଗର୍ବିତ ଅନୁଭବ କରୁଥିବା ବେଳେ ଏହି ସମୟରେ ଓଡ଼ିଶା ମଧ୍ୟ ଗର୍ବରେ ଫୁଲି ଉଠିଛି। କାରଣ ଏହି ମୁନ ମିଶନରେ ଓଡ଼ିଆ ପୁଅଙ୍କର ମଧ୍ୟ ରହିଛି ଅନେକ ବଡ଼ ଭୂମିକା।

ବ୍ରହ୍ମପୁରର ଯୁବ ବୈଜ୍ଞାନିକ ଦେବାଶିଷ ମହାପାତ୍ରଙ୍କର ଏହି ଚନ୍ଦ୍ରଯାନ -୩ ମିଶନରେ ବହୁତ ବଡ଼ ଭୂମିକା ରହିଛି। ୨୦୦୬ ମସିହାରୁ ଦେବାଶିଷ ଇସ୍ରୋରେ କାର୍ଯ୍ୟ କରୁଛନ୍ତି। ଚନ୍ଦ୍ରଯାନ-୩ ସଫଳ ହେବା ପରେ ଦେବାଶିଷଙ୍କ ପରିବାର ସମେକ ବ୍ରହ୍ମପୁରରେ ଖୁସିର ଲହରୀ ଖେଳିଯାଇଛି। ସେହିପରି ଚନ୍ଦ୍ରୟାନ-୩ ସଫଳତାରେ ଜଣେ ଓଡ଼ିଆ ଇଞ୍ଜିନିୟରଙ୍କର ମଧ୍ୟ ହାତ ରହିଛି। ତାଳଚେରର ବୈଜ୍ଞାନିକ ଶରତ କୁମାର ଦାସଙ୍କ ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ ଥିଲା।

ସେହିଭଳି କେନ୍ଦୁଝରର ଅଟଳ କୃଷ୍ଣ ଖୁଣ୍ଟିଆ ୧୦ ବର୍ଷରୁ ଅଧିକ ସମୟ ଧରି ଇସ୍ରୋରେ କାମ କରିଆସୁଛି। ତାଙ୍କୁ କ୍ରାୟୋଜେନିକ୍ ପର୍ଯ୍ୟାୟରେ ତରଳ ଇଞ୍ଜିନ୍ ଉତ୍ପାଦନ ଏବଂ ଯୋଗାଣ ଦାୟିତ୍ୱ ଦିଆଯାଇଥିଲା। ଇସ୍ରୋରେ ବ୍ରହ୍ମପୁରର ବୈଜ୍ଞାନିକ ନାଗାରାଜୁ କାକିନଡା ଚନ୍ଦ୍ରଯାନ -୩ ମିଶନର ଏକ ଅଂଶ ଥିଲେ। ସେ ଇସ୍ରୋର ଜଣେ ବୈଜ୍ଞାନିକ ଭାବେ ଗତ ଛଅ ବର୍ଷ ଧରି କାର୍ଯ୍ୟ କରି ଆସୁଛନ୍ତି। ଓଡ଼ିଆ ପୁଅଙ୍କ ଅବଦାନକୁ ଜନତାଙ୍କଠାରୁ ମିଳିଛି ଭୁରି ଭୁରି ପ୍ରଶଂସା। ସାରା ବିଶ୍ୱରେ ଇସ୍ରୋ ବୈଜ୍ଞାନିକଙ୍କୁ ନେଇ ଚର୍ଚ୍ଚା କରୁଛନ୍ତି। ଚନ୍ଦ୍ରଯାନ-୩ର ସଫଳତା ପରେ ଏବେ ସାରା ବିଶ୍ୱରେ ଭାରତ ନିଜ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି।


Post Views: 6

ad-week
Leave A Reply

Your email address will not be published.