ମାଲକାନଗିରି,୨୫।୮ ମାଲକାନଗିରି ବ୍ଲକ ଅନ୍ତର୍ଗତ ସିନ୍ଧ୍ରିମାଳ ପଂଚାୟତ କାର୍ଯ୍ୟାଳୟଠାରେ ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧିନସ୍ଥ କେନ୍ଦ୍ରୀୟ ସଂଚାର ବ୍ୟୁରୋ, କ୍ଷେତ୍ରିୟ କାର୍ଯ୍ୟାଳୟ ଜୟପୁର ପକ୍ଷରୁ ଆଜି ମିଶନ ଲାଇଫ ଓ ପ୍ରଧାନମନ୍ତ୍ରୀ କିଶାନ ସମ୍ମାନ ନିଧି ଯୋଜନା ସମ୍ପର୍କିତ ସଚେତନତା ବୈଠକ ଅନୁଷ୍ଟିତ ହୋଇଯାଇଛି । କେନ୍ଦ୍ରୀୟ ସଂଚାର ବ୍ୟୁରୋ, କ୍ଷେତ୍ରିୟ କାର୍ଯ୍ୟାଳୟ ଜୟପୁରର କ୍ଷେତ୍ର ପ୍ରଚାର ଅଧିକାରୀ ଜ୍ୟୋତି ରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ଉକ୍ତ ସଚେତନତା ବୈଠକରେ ସହକାରୀ କୃଷି ଅଧିକାରୀ ଫିରୋଜ କୁମାର ବିଡ଼ିକା, ଗ୍ରାମ୍ୟ ଜଳ ଓ ପରିମଳ ମିଶନର କନିଷ୍ଟ ଯନ୍ତ୍ରୀ ଦେବାଶିଷ ନାୟକ, ବନରକ୍ଷୀ ସୁରେନ୍ଦ୍ର କୁମାର ଦେହୁରୀ, ପରିବେଶବିତ ଦୂର୍ଯ୍ୟୋଧନ ପାତ୍ର, କେନ୍ଦ୍ରୀୟ ସଂଚାର ବ୍ୟୁରୋ, କ୍ଷେତ୍ରିୟ କାର୍ଯ୍ୟାଳୟ ଜୟପୁରର ସହକାରୀ ନିର୍ଦ୍ଦେଶକ ଜିତେନ୍ଦ୍ର କୁମାର ପ୍ରଧାନ ଯୋଗ ଦେଇ ସୁସ୍ଥ ପରିବେଶ ନିମନ୍ତେ ଜୀବନଶୈଳୀରେ କିଭଳି ବର୍ଜ୍ୟବସ୍ତ ହ୍ରାସ କରିବା, ଶକ୍ତି ସଂଚୟ, ଜଳ ସଂରକ୍ଷଣ, ପ୍ଲାଷ୍ଟିକ ବ୍ୟବହାରକୁ ବନ୍ଦ କରିବା, ଉତମମାନର ଖାଦ୍ୟ ଗ୍ରହଣ, ସୁସ୍ଥ ଜୀବନ ପାଇଁ ବ୍ୟାୟାମ ଓ ଯୋଗ କରିବା ଉପରେ ଆଲୋକପାତ କରିଥିଲେ । ଏଥିସହ ଜଙ୍ଗଲ ସଂରକ୍ଷଣ ସହ ବୃକ୍ଷରୋପଣ ଉପରେ ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ କିଶାନ ସମ୍ମାନ ନିଧି ଯୋଜନାରେ କେନ୍ଦ୍ର ସରକାର ଚାଷୀମାନଙ୍କୁ ବର୍ଷକୁ ୩ ଟି କିସ୍ତିରେ ବର୍ଷକୁ ୨ ହଜାର ଟଙ୍କା ଲେଖାଏଁ ମୋଟ ୬ ହଜାର ଟଙ୍କା ପ୍ରତ୍ସାହନ ପ୍ରଦାନ କରୁଥିବାରୁ ଚାଷୀମାନେ ପଞ୍ଜିକରଣ କରି ଏହାର ଲାଭ ନେବାକୁ ପରାମର୍ଶ ଦେଇଥିଲେ । ଏ ଅବସରରେ ସିନ୍ଧ୍ରିମାଳ କସ୍ତୁରିବା ଗାନ୍ଧି ବାଳିକା ଉଚ୍ଚ ବିଦ୍ୟାଳୟରେ ଝୋଟି, ବକ୍ତୃତା, ଋକ୍ଟ୍ରନା ପ୍ରତିଯୋଗୀତାରେ ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀ ଓ ଝୋଟି ଏବଂ କୁଇଜ ପ୍ରତିଯୋଗୀତାରେ ଯୋଗ୍ୟ ବିବେଚିତ ଗ୍ରାମବାସୀଙ୍କୁ ପୁରସ୍କୃତ କରାଯାଇଥିଲା । ଏଥିରେ ପଂଚାୟତର ବିଭିନ୍ନ ଗ୍ରାମର କୃଷକ, ସ୍ୱୟଂ ସହାୟକ ଦଳର ସଦସ୍ୟା ଓ ଗ୍ରାମବାସୀମାନେ ଅଂଶ ଗ୍ରହଣ କରିଥିଲେ ।
