ଦାରିଙ୍ଗବାଡ଼ି ବ୍ଲକ ପ୍ରାଥମିକ ଶିକ୍ଷକ ସମୂହ ଛୁଟିରେ ରହିବା ସହ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା…
ଦାରିଙ୍ଗବାଡ଼ି(୧୪/୯) : ଦାରିଙ୍ଗବାଡ଼ି ବ୍ଲକର କାର୍ଯ୍ୟରତ ପ୍ରାଥମିକ ଶିକ୍ଷକମାନେ ସମୂହ ଛୁଟିରେ ରହିବା ସହ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ବସି ସେମାନଙ୍କ ଦାବିକୁ ନେଇ ଆନ୍ଦୋଳନକୁ ଜୋରଦାର କରିଛନ୍ତି। ପୂର୍ବରୁ ବିଭିନ୍ନ ପଞ୍ଚାୟତର ବିଭିନ୍ନ ବର୍ଗର ଶତାଧିକ ଶିକ୍ଷକ ବିଭିନ୍ନ ଦାବି ନେଇ ଦୀର୍ଘଦିନ ଧରି ରାଜ୍ୟ ସରକାରଙ୍କ ନିକଟରେ ଫେରାଦ ହେବା ସହ ଦାବି ପୂରଣ ପାଇଁ ବାରମ୍ବାର ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ହେଲେ ରାଜ୍ୟ ସରକାର ଶିକ୍ଷକଙ୍କ ଦାବି ପୂରଣ କରିବାରେ ଟାଳଟୁଳ ନୀତି ଅବଲମ୍ବନ କରୁଥିବା ନେଇ ଶିକ୍ଷକ ମହଲରେ ଅସନ୍ତୋଷ ପ୍ରକାଶ କରିଥିଲେ। ବର୍ତ୍ତମାନ ଶିକ୍ଷକମାନେ ଛାତ୍ରଛାତ୍ରୀଙ୍କ ଶିକ୍ଷାଦାନକୁ ବାଧ୍ୟ ହୋଇ ବନ୍ଦ କରିବା ସହ ଅନିର୍ଦ୍ଦିଷ୍ଟ କାଳ ପାଇଁ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ସେମାନଙ୍କ ଦାବିଗୁଡ଼ିକ ମଧ୍ୟରେ ମୁଖ୍ୟତଃ ରାଜ୍ୟରେ ସରକାର ସମସ୍ତ ଠିକା ନିଯୁକ୍ତି ଉଚ୍ଛେଦ କରିଥବାରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ କାର୍ଯ୍ୟରତ କନିଷ୍ଠ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ନିୟମିତ କରିବା ସହ ଶିକ୍ଷାକର୍ମୀ ଓ ଶିକ୍ଷା ସହାୟକ ମାନଙ୍କ ଠିକା କାର୍ଯ୍ୟକାଳକୁ ଇନ୍କ୍ରିମେଣ୍ଟ ପ୍ରଦାନ କରିବା। ସେହି ଅବଧିକୁ ମୂଳ ଚାକିରିରେ ଗଣନା କରିବା ସହ, ଗଣଶିକ୍ଷକ, ଏକ୍ସ କ୍ୟାଡର ଶିକ୍ଷକ, କଳା ଓ କ୍ରୀଡ଼ା ଶିକ୍ଷକମାନଙ୍କୁ ନିୟମିତ ଶିକ୍ଷକର ମାନ୍ୟତା ପ୍ରଦାନ କରାଯିବା, ସମସ୍ତ ବର୍ଗର ପ୍ରାଥମିକ ଶିକ୍ଷକମାନଙ୍କୁ କେନ୍ଦ୍ରୀୟ ହାରରେ ବେତନ ଦେବା, ନୂତନ ପେନ୍ସନ୍ ଯୋଜନାକୁ ଉଚ୍ଛେଦ କରି ପୁରୁଣା ପେନ୍ସନ୍ ବ୍ୟବସ୍ଥା ପୁନଃ ପ୍ରଚଳନ କରିବା ଆଦି ଦାବି କରିଛନ୍ତି। ଦାରିଙ୍ଗବାଡ଼ି ବ୍ଲକ ମିଳିତ ଶିକ୍ଷକ ସଂଘର ସଭାପତି ଯାମିନୀକାନ୍ତ ପଡ୍ରା, ସଂପାଦକ ସଂଗ୍ରାମ କୁମାର ନାୟକଙ୍କ ସହିତ କୈଳାଶ ପ୍ରଧାନ, ରଜତ ସିଂ, ରମେଶ ପ୍ରଧାନ, ନବୀନ ସାହୁ, ପବିତ୍ର କାର୍ଜିଙ୍କ ନେତୃତ୍ୱରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସାମିଲ ହୋଇଛନ୍ତି ।
