ଅର୍ଣ୍ଣବ ବାତ୍ୟାରେ ଧ୍ୱଂସ ହୋଇଛି ଜଳସେଚନ ବ୍ୟବସ୍ଥା, ଚିନ୍ତାରେ ଇନ୍ଦ୍ରଗଡ଼ର ଚାଷୀ : ତୁରନ୍ତ ସମାଧାନ ପାଇଁ ଦାବୀ

kalipuja

କନ୍ଧମାଳ : ଅର୍ଣ୍ଣବ ବାତ୍ୟାର ପ୍ରଭାବରେ କନ୍ଧମାଳ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଚାଷ ଓ ଜଳସେଚନ ବ୍ୟବସ୍ଥା ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିବାବେଳେ ଏବେ ଚାଷୀଙ୍କ ଚିନ୍ତା ବଢ଼ାଇଛି ରାଇକିଆ ବ୍ଲକ ଇନ୍ଦ୍ରଗଡ଼ ପଞ୍ଚାୟତର ଜଳସେଚନ ସମସ୍ୟା। ବାତ୍ୟାରେ ଏହି ପଞ୍ଚାୟତର ଜଳସେଚନ ବ୍ୟବସ୍ଥା ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବାରୁ ଚାଷ ଜମିକୁ ପାଣି ମିଳିବା ନେଇ ଅନିଶ୍ଚିତତା ଦେଖାଦେଇଛି। ଫଳରେ ବିନ୍ସ ଓ ଧାନ ଚାଷ ବଞ୍ଚାଇବା ଚାଷୀଙ୍କ ପାଇଁ ବଡ଼ ଆହ୍ୱାନ ପାଲଟିଛି। ଏହି ଗୁରୁତର ସମସ୍ୟାକୁ ନେଇ କନ୍ଧମାଳ ଜିଲ୍ଲା ବିଜେପି ସଭାପତି ପଣ୍ଡିତ ବିଶମାଝିଙ୍କ ନିର୍ଦ୍ଦେଶକ୍ରମେ ବିଜେପି ଜିଲ୍ଲା ସମ୍ପାଦିକା ପୁଷ୍ପାଞ୍ଜଳି ତ୍ରିପାଠୀ ଓ ନଗର ସାଧାରଣ ସମ୍ପାଦକ ଅରୁଣ ପ୍ରଧାନଙ୍କ ସମେତ ଏକ ପ୍ରତିନିଧି ମଣ୍ଡଳୀ ଜିଲ୍ଲା ଉଠା ଜଳସେଚନ କାର୍ଯ୍ୟାଳୟରେ ପହଞ୍ଚି ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଇନ୍ଦ୍ରଗଡ଼ ପଞ୍ଚାୟତର ଚାଷୀଙ୍କୁ ଯଥାଶୀଘ୍ର ଜଳସେଚନ ସୁବିଧା ଯୋଗାଇ ଦେବା ସହ ବିନ୍ସ ଓ ଧାନ ଫସଲକୁ ନଷ୍ଟ ହେବାରୁ ରକ୍ଷା କରିବା ଉପରେ ପ୍ରତିନିଧି ମଣ୍ଡଳୀ ଗୁରୁତ୍ୱାରୋପ କରିଥିଲେ। ଜଳସେଚନ ପ୍ରକଳ୍ପକୁ ପୁନଃ କାର୍ଯ୍ୟକ୍ଷମ କରିବା ପାଇଁ ଆବଶ୍ୟକ ବିଦ୍ୟୁତ ସଂଯୋଗ ତୁରନ୍ତ ବ୍ୟବସ୍ଥା କରିବାକୁ ଜିଲ୍ଲାସ୍ତରୀୟ ଅଧିକାରୀ ଙ୍କୁ ଭେଟି ଦାବି ଜଣାଇଥିଲେ। ଏଥିସହ ଚାଷୀଙ୍କ ଫସଲ ସୁରକ୍ଷାକୁ ଦୃଷ୍ଟିରେ ରଖି ଅତିଶୀଘ୍ର ଜଳ ଯୋଗାଣ ଆରମ୍ଭ କରିବା ପାଇଁ ଅତିରିକ୍ତ ଜିଲ୍ଲାପାଳଙ୍କ ନିକଟରେ ମଧ୍ୟ ଦାବି ଉପସ୍ଥାପନ କରିଥିଲେ। ଚାଷୀଙ୍କ କହିବା ଅନୁଯାୟୀ, ଚାଷର ଏହି ଗୁରୁତ୍ୱପୂର୍ଣ୍ଣ ସମୟରେ ଜଳସେଚନ ବ୍ୟବସ୍ଥା ଅଚଳ ରହିଲେ ଫସଲ ଉପରେ ଏହାର ଗୁରୁତର ପ୍ରଭାବ ପଡ଼ିବା ଆଶଙ୍କା ରହିଛି। ତେଣୁ କେବଳ ଆଲୋଚନା ଓ ଆଶ୍ୱାସନାରେ ସୀମିତ ନ ରଖି କ୍ଷତିଗ୍ରସ୍ତ ଜଳସେଚନ ପ୍ରକଳ୍ପର ତୁରନ୍ତ ମରାମତି, ବିଦ୍ୟୁତ ସଂଯୋଗ ଏବଂ ଜଳ ଯୋଗାଣ ଆରମ୍ଭ କରିବାକୁ ଚାଷୀ ମହଲରୁ ଦାବି ହେଉଛି। ବାତ୍ୟାରେ କ୍ଷତିଗ୍ରସ୍ତ ଜଳସେଚନ ବ୍ୟବସ୍ଥା କେବେ ସ୍ୱାଭାବିକ ହେବ ଏବଂ ଚାଷୀଙ୍କ ଫସଲ କିପରି ବଞ୍ଚିବ, ଏବେ ତାହା ହିଁ ସବୁଠାରୁ ବଡ଼ ପ୍ରଶ୍ନ।

ad-week
Leave A Reply

Your email address will not be published.