ନକଲି ଇ-ଚାଲାଣ ଜରିଆରେ ପ୍ରାୟ ୬ ଲକ୍ଷ ଟଙ୍କାର ସାଇବର ଠକେଇ : ଅନ୍ତଃରାଜ୍ୟ ମାମଲାର ପର୍ଦ୍ଦାଫାଶ ସହ ମୁମ୍ବାଇରୁ ଅଭିଯୁକ୍ତ ଗିରଫ କଲା ରାଉରକେଲା ପୋଲିସ

ବିରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲା ରାଉରକେଲା ପୋଲିସକୁ ସାଇବର ଅପରାଧ ରୋକିବା କ୍ଷେତ୍ରରେ ମିଳିଛି ଏକ ବଡ଼ ସଫଳତା। ନକଲି ଟ୍ରାଫିକ୍ ଇ-ଚାଲାଣ (Fake Traffic E-Challan) ମେସେଜ୍ ଆଳରେ ଏପିକେ (APK) ଆପ୍ ଆଧାରିତ ଏକ ବଡ଼ଧରଣର ସାଇବର ଠକେଇର ପର୍ଦ୍ଦାଫାଶ କରିବା ସହ ଏଥିରେ ସମ୍ପୃକ୍ତ ଥିବା ଅଭିଯୁକ୍ତଙ୍କୁ ମହାରାଷ୍ଟ୍ରର ମୁମ୍ବାଇରୁ ଗିରଫ କରିଛି ରାଉରକେଲା ପୋଲିସ। ଏହି ସାଇବର ଠକେଇ ଜରିଆରେ ଜଣେ ରାଉରକେଲା ବାସିନ୍ଦାଙ୍କ ଆକାଉଣ୍ଟରୁ ପ୍ରାୟ ୬ ଲକ୍ଷ ଟଙ୍କା ଲୁଟି ନିଆଯାଇଥିଲା।
ମିଳିଥିବା ସୂଚନା ଅନୁଯାୟୀ, ଅଭିଯୁକ୍ତମାନେ ରାଉରକେଲାର ଜଣେ ବ୍ୟକ୍ତିଙ୍କ ମୋବାଇଲକୁ ଏକ ନକଲି ଟ୍ରାଫିକ୍ ଇ-ଚାଲାଣର ମେସେଜ୍ ପଠାଇଥିଲେ। ସେ ସେହି ମେସେଜ୍ଟିକୁ ସରକାରୀ RTO (ଆର.ଟି.ଓ.) ସୂଚନା ଭାବି ଭ୍ରମରେ ପଡ଼ିଯାଇଥିଲେ ଏବଂ ସେଥିରେ ଥିବା ଏକ ଅଜ୍ଞାତ ଲିଙ୍କ୍ ଉପରେ କ୍ଲିକ୍ କରିଥିଲେ। ଲିଙ୍କ୍ରେ କ୍ଲିକ୍ କରିବା ମାତ୍ରେ ତାଙ୍କ ଫୋନ୍ରେ ଏକ ସନ୍ଦେହଜନକ APK ଫାଇଲ୍ ଡାଉନଲୋଡ୍ ହୋଇଯାଇଥିଲା। ଏହାପରେ ସାଇବର ଠକମାନେ ତାଙ୍କ ଫୋନର ନିୟନ୍ତ୍ରଣ ନିଜ ହାତକୁ ନେଇଯାଇଥିଲେ। ଫଳରେ ପୀଡ଼ିତଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୬ଟି ଅନଧିକୃତ ୟୁପିଆଇ (UPI) କାରବାର ମାଧ୍ୟମରେ ମୋଟ ₹୫,୯୯,୫୮୮.୫୩ (ପ୍ରାୟ ୬ ଲକ୍ଷ) ଟଙ୍କା ଗାଏବ ହୋଇଯାଇଥିଲା।
ଅଭିଯୋଗ ପାଇବା ପରେ ରାଉରକେଲା ସାଇବର ପୋଲିସ ତୁରନ୍ତ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ତଦନ୍ତକାରୀ ଦଳ ବ୍ୟାଙ୍କ କାରବାରର ଗତିପଥ ଅନୁସନ୍ଧାନ କରି ଜାଣିବାକୁ ପାଇଥିଲେ ଯେ ଠକେଇ ହୋଇଥିବା ଏହି ବିପୁଳ ପରିମାଣର ଟଙ୍କା ସିଧାସଳଖ ବିଭିନ୍ନ ବ୍ୟାଙ୍କର କ୍ରେଡିଟ୍ କାର୍ଡ ବିଲ୍ ପୈଠ କରିବା ପାଇଁ ବ୍ୟବହୃତ ହୋଇଥିଲା। ଟଙ୍କାର ଏହି ଟ୍ରାଞ୍ଜାକସନ୍ ଲିଙ୍କ୍କୁ ଆଧାର କରି ପୋଲିସ ଚଢ଼ାଉ କରି ମୁମ୍ବାଇରୁ ଅଭିଯୁକ୍ତକୁ କାବୁ କରିବାରେ ସଫଳ ହୋଇଥିଲା।
ଅଧିକ ଯାଞ୍ଚ ଏବଂ ପଚରାଉଚରା ବେଳେ ଜଣାପଡ଼ିଛି ଯେ ଏହା କୌଣସି ସାଧାରଣ ଘଟଣା ନୁହେଁ, ବରଂ ଏକ ବଡ଼ ଅନ୍ତଃରାଜ୍ୟ ସାଇବର ଅପରାଧର ଅଂଶବିଶେଷ। ହରିୟାଣା, ମହାରାଷ୍ଟ୍ର, ଦିଲ୍ଲୀ ଏବଂ ପଶ୍ଚିମବଙ୍ଗ (କୋଲକାତା) ଭଳି ବିଭିନ୍ନ ରାଜ୍ୟରେ ପଞ୍ଜୀକୃତ ହୋଇଥିବା ଅନେକ ସାଇବର ଅପରାଧ ମାମଲାରେ ଏହି ଅଭିଯୁକ୍ତର ସଂପୃକ୍ତି ଥିବା ଜଣାପଡ଼ିଛି। ବିଭିନ୍ନ ରାଜ୍ୟରେ ଏପର୍ଯ୍ୟନ୍ତ ପ୍ରାୟ ₹୧୮.୭ ଲକ୍ଷ ଟଙ୍କାର ଠକେଇ କାରବାର ସହ ଏହି ଅଭିଯୁକ୍ତର ସିଧାସଳଖ ସମ୍ପର୍କ ରହିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।
ପୋଲିସର ସତର୍କ ସୂଚନା: ଏହି ବଡ଼ ସଫଳତା ସହ ରାଉରକେଲା ପୋଲିସ ସାଧାରଣ ଜନତାଙ୍କୁ ସାଇବର ଠକେଇରୁ ବର୍ତ୍ତିବା ପାଇଁ ଅନେକ ସତର୍କତାମୂଳକ ପରାମର୍ଶ ଦେଇଛି:
- WhatsApp, SMS କିମ୍ବା କୌଣସି ଅଜଣା ନମ୍ବରରୁ ଆସୁଥିବା ସନ୍ଦେହଜନକ ଲିଙ୍କ୍ କିମ୍ବା APK ଫାଇଲ୍ ଉପରେ କଦାପି କ୍ଲିକ୍ କରନ୍ତୁ ନାହିଁ।
- ନିଜ ନାମରେ କୌଣସି ଟ୍ରାଫିକ୍ ଚାଲାଣ କିମ୍ବା ଫାଇନ୍ ଅଛି କି ନାହିଁ, ତାହା କେବଳ ସରକାରୀ ପରିବହନ ୱେବ୍ସାଇଟ୍ (parivahan.gov.in) ଜରିଆରେ ହିଁ ଯାଞ୍ଚ କରନ୍ତୁ।
- ଯଦି ଆପଣ କୌଣସି ସାଇବର ଠକେଇର ଶିକାର ହେଉଛନ୍ତି, ତେବେ ବିଳମ୍ବ ନକରି ତୁରନ୍ତ ୧୯୩୦ ନମ୍ବର କିମ୍ବା ସ୍ଥାନୀୟ ସାଇବର ପୋଲିସ ଷ୍ଟେସନରେ ଅଭିଯୋଗ କରନ୍ତୁ।
