ଦିନ ଦ୍ୱିପହରେ ହେଉଛି ଲୁଟ ଫିରିଙ୍ଗିଆରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ…

youtube

ଝାମ୍ପି ନେଲେ ୭୩ ହଜାର ଟଙ୍କା…

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଅଞ୍ଚଳରେ ଗତ କିଛିଦିନ ହେଲା ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡିଛି। ଦିନ ଦ୍ୱିପହରରେ ଜନଗହଳି ପୂର୍ଣ୍ଣ ବଜାର ମଧ୍ୟରେ ଜଣେ ବ୍ୟକ୍ତିଙ୍କ ଠାରୁ ଦୁଇଜଣ ଦୁର୍ବୃତ୍ତ ଏକ ପଲସର ଗାଡ଼ିରେ ଆସି ଏକ ବ୍ୟାଗରେ ଥିବା ୭୩ ହଜାର ଟଙ୍କା ଲୁଟିନେଇ ଆଖୁପିଛୁଳାକେ ଫେରାର ହେବାରେ ସକ୍ଷମ ହୋଇଛନ୍ତି। ତେବେ ଲୁଟର ଶିକାର ହୋଇଥିବା ବ୍ୟକ୍ତି ଜଣକ ଫିରିଙ୍ଗିଆ ପଞ୍ଚାୟତ ଅଧୀନ ଶିତକାପଟି ଗାଁର ଜୁରିଙ୍ଗା କହଁର ବୋଲି ଜଣାପଡିଛି। ଏନେଇ ଲୁଟର ଶିକାର ହୋଇଥିବା ଜୁରିଙ୍ଗା ଫିରିଙ୍ଗିଆ ଥାନାରେ ଏକ ଲିଖୂତ ଅଭିଯୋଗ କରିବା ପରେ ପୋଲିସ ଏକ ଡକାୟତି ମାମଲା ରୁଜୁକରି ତଦନ୍ତ ଜାରି ରଖିଛି । ପ୍ରାପ୍ତ ସୂଚନା ଅନୁଯାୟୀ ଶିତକାପଟି ଗାଁର ଜୁରିଙ୍ଗା କହଁର ଫିରିଙ୍ଗିଆ ୟୁକୋ ବ୍ୟାଙ୍କରୁ ୫୦ହଜାର ଟଙ୍କା ଓ ଥାନା ରାସ୍ତାରେ ଥିବା ଉତ୍କଳ ଗ୍ରାମ୍ୟ ବ୍ୟାଙ୍କରୁ ବ୍ୟାଙ୍କରୁ ୨୨ହଜାର ଟଙ୍କା ଉଠାଇ ଥିଲେ। ପରେ ପଞ୍ଚାୟତ କାର୍ଯ୍ୟାଳୟରୁ ଭତ୍ତା ବାବଦରେ ହଜାରେ ଟଙ୍କା ଉଠାଇ ତାଙ୍କର ନିଜ ସାଇକେଲରେ ଘରକୁ ଯିବା ଲାଗି ବାହାରିଥିଲେ। ତେବେ ସାଇକେଲରେ ପମ୍ପ କମଥିବାରୁ ଉତ୍କଳ ଗ୍ରାମୀଣ ବ୍ୟାଙ୍କ ନିକଟରେ ଥିବା ଏକା ସାଇକେଲ ମରାମତି ଦୋକାନରେ ଟଙ୍କା ଭର୍ତ୍ତି ବ୍ୟାଗକୁ ସାଇକେଲର ହେଣ୍ଡେଲରେ ଝୁଲାଇ ସାଇକେଲ ଚକରେ ପମ୍ପ ଦେବା ସମୟରେ ହଠାତ ଦୁଇଜଣ ଯୁବକ ଏକ ପଲସର ବାଇକରେ ଆସି ସାଇକେଲ ହେଣ୍ଡେଲରେ ଝୁଲା ହୋଇଥିବା ଟଙ୍କାକୁ ବ୍ୟାଗ ସହ ଝାମ୍ପି ନେଇ ଫେରାର ହୋଇଯାଇଥିଲେ । ତେବେ ଥାନା ଠାରୁ ମାତ୍ର ପାଞ୍ଚସହ ମିଟର ଦୂରରେ ଏଭଳି ଘଟଣାକୁ ଘଟି ଥିବାରୁ ଅଞ୍ଚଳବାସୀ ପୋଲିସର ନିଷ୍କ୍ରିୟତାକୁ ଦାୟୀ କରିଛନ୍ତି। ସେପଟେ ଅପରାଧିଙ୍କ କାର୍ଯ୍ୟକଳାପ ରୋକିବା ଲାଗି ସହରର ବିଭିନ୍ନ ଜାଗାରେ ସିସି ଟିଭି ଲଗାଯାଇଛି। କିନ୍ତୁ ଗତ କିଛିମାସ ତଳେ ହୋଇଥିବା ଥାନା ପୋଡି ସମୟରେ ଥାନା ପରିସରରେ ଥିବା ସିସି ଟିଭି କଣ୍ଟ୍ରୋଲ ରୁମରେ ଲାଗିଥିବା ଯନ୍ତ୍ରାଂଶ ପୋଡି ଯାଇଥିବାରୁ ଦୀର୍ଘ ୧୦ମାସ ହେଲା ସମସ୍ତ ସିସିଟିଭି ବନ୍ଦ ହୋଇ ପଡ଼ିରହିଛି । ସହରରେ ପୋଲିସ କୌଣସି ପେଟ୍ରୋଲିଙ୍ଗ ହେଉନଥିବାରୁ ଚୋରି ହାରି କାର୍ଯ୍ୟକଳାପ ବଢ଼ିବାରେ ଲାଗିଛି ଏବଂ ଆଗକୁ ସାଧାରଣ ନିର୍ବାଚନ ଅଛି ଯଦି ଏହିପରି ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ଘଟେ ତେବେ ଜନ ସାଧାରଣ ଘରୁ ବାହାରିବା ସୁରକ୍ଷୀତ ମଣିବେ ନାହିଁ ବୋଲି ସର୍ବସାଧାରଣରେ ଚର୍ଚ୍ଚା ହେଉଛି। ତେବେ ଅପରାଧିକ କାର୍ଯ୍ୟକଳାପ ଉପରେ ରୋକ ଲଗାଇବା ଲାଗି ପୋଲିସ ପ୍ରଶାସନ କି ପଦକ୍ଷେପମାନ ନେବ ଦେଖିବାକୁ ବାକି ରହିଲା l

Leave A Reply

Your email address will not be published.