ଆପ୍‌ର ନିର୍ବାଚନୀ ପ୍ରଚାର ମଙ୍ଗ ଧରିବେ ସୁନୀତା

add-all

ନୂଆଦିଲ୍ଲୀ : ପ୍ରଚାର ମୈଦାନକୁ ଓହ୍ଲାଇବେ ସୁନୀତା କେଜ୍ରିଓ୍ୱାଲ। ଆମ୍‌ ଆଦମୀ ପାର୍ଟିର ନିର୍ବାଚନୀ ପ୍ରଚାରର ମଙ୍ଗ ଧରିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ପତ୍ନୀ। ଏଥିପାଇଁ ଆପ୍‌ ପକ୍ଷରୁ ତାଙ୍କୁ ମିଳିଛି ବଡ଼ ଦାୟିତ୍ୱ।
ଗତ ମାସରେ ଇଣ୍ଡିଆ ବ୍ଲକ୍ ରାଲିରେ ଆଖିଦୃଶିଆ ଭାଷଣ ଦେଇ ରାଜନୈତିକ ଲଢ଼େଇରେ ଏଣ୍ଟ୍ରି କରିଥିଲେ ସୁନୀତା କେଜ୍ରିଓ୍ୱାଲ। ଏବେ ଦିଲ୍ଲୀ ତଥା ଅନ୍ୟାନ୍ୟ ରାଜ୍ୟରେ ଲୋକସଭା ନିର୍ବାଚନ ପାଇଁ ଆମ୍ ଆଦମୀ ପାର୍ଟିର ସେ ନେତୃତ୍ୱ ନେବେ। ଆପ୍‌ର ପୂର୍ବ ଦିଲ୍ଲୀ ପ୍ରାର୍ଥୀ କୂଲଦୀପ କୁମାରଙ୍କ ସମର୍ଥନରେ ସୁନୀତା କେଜ୍ରିୱାଲ ଆଜି ଦେଶର ରାଜଧାନୀରେ କରିବେ ମେଗା ରୋଡ୍ ଶୋ’।
ଦଳର ସୂତ୍ରରୁ ପ୍ରକାଶ ଯେ, ଆପ୍‌ର ପ୍ରଚାର ଅଭିଯାନକୁ ବୃଦ୍ଧି କରିବା ପାଇଁ ସୁନୀତା କେଜ୍ରିୱାଲ ଧୀରେ ଧୀରେ ଦଳରେ ଏକ ବଡ଼ ଭୂମିକା ଗ୍ରହଣ କରୁଛନ୍ତି। ଏଭଳି ସ୍ଥିତିରେ ଦଳକୁ ଏକାଠି ରଖିବା ପାଇଁ ଶ୍ରୀମତୀ କେଜ୍ରିୱାଲ ହେଉଛନ୍ତି ସର୍ବୋତ୍ତମ ବ୍ୟକ୍ତି। ଦଳର କର୍ମୀଙ୍କ ଉପରେ ତାଙ୍କର ଉପସ୍ଥିତି ଏକ ସକରାତ୍ମକ ପ୍ରଭାବ ପକାଇଛି ବୋଲି ଆପ୍‌ ମନ୍ତ୍ରୀ ‌‌ସୌରଭ ଭରଦ୍ୱାଜ କହିଛନ୍ତି।
ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରୀକୁ ବିରୋଧ କରି ତାଙ୍କ ପତ୍ନୀ ସୁନୀତା କେଜ୍ରିୱାଲ ଆଜି ପ୍ରଚାର ମୈଦାନକୁ ଓହ୍ଲାଇବେ। କେଜ୍ରିଓ୍ୱାଲଙ୍କ ପାଇଁ ଆଶୀର୍ବାଦ ଏବଂ ଆପ୍‌ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିବା ପାଇଁ ସେ ପ୍ରଚାର କରିବେ। ସେ ଦିଲ୍ଲୀ, ପଞ୍ଜାବ, ଗୁଜୁରାଟ ଏବଂ ହରିଆଣାର ଲୋକଙ୍କଠାରୁ ଆଶୀର୍ବାଦ ଲୋଡିବେ ବୋଲି ଗତକାଲି ଦିଲ୍ଲୀ ମନ୍ତ୍ରୀ ଅତିଶୀ ଘୋଷଣା କରିଥିଲେ।
କହିରଖୁ ଯେ, ଗତ ମାସରେ ସୁନୀତା କେଜ୍ରିଓ୍ୱାଲ ଦିଲ୍ଲୀ ଓ ରାଞ୍ଚିରେ ଇଣ୍ଡିଆ ବ୍ଲକର ମେଗା ରାଲିରେ ସାମିଲ ହୋଇଥିଲେ। ଏଥିରେ ସେ ଭାଗ ନେଇ କେନ୍ଦ୍ର ସରକାରଙ୍କୁ କଡା ଟାର୍ଗେଟ କରିଥିଲେ। ବିରୋଧୀ ଶାସିତ ରାଜ୍ୟଗୁଡିକୁ ହଇରାଣ କରିବା ପାଇଁ ବିଜେପି କେନ୍ଦ୍ରୀୟ ଏଜେନ୍ସିଗୁଡିକର ଦୂରୁପଯୋଗ କରୁଥିବା ସେ ଅଭିଯୋଗ କରିଥିଲେ।

ad-week
Leave A Reply

Your email address will not be published.