ହାତରେ ଠେଙ୍ଗାଧରି ଚେତାବନୀ ଦେଲେ ମହିଳା

add-all

କଟକ : ‘ଗାଁ ରାସ୍ତା ଅବସ୍ଥା ଶୋଚନୀୟ। ପାଣି ଓ ଆଲୋକ ସମସ୍ୟାର ବି’ ସମାଧାନ କରାଯାଉ ନାହିଁ। ବର୍ଷବର୍ଷ ଧରି ପ୍ରଶାସନକୁ ଗୁହାରି କରି ନୟାନ୍ତ ହେଲୁଣି। ଆଉ ନିର୍ବାଚନରେ ଭୋଟ ଦେବୁନି।’ ହାତରେ ଠେଙ୍ଗାଧରି ଏହିଭଳି ଚେତାବନୀ ଦେଇଛନ୍ତି କଟକ ଜିଲ୍ଲା ମାହାଙ୍ଗା ବ୍ଲକ୍‌ ଅନ୍ତର୍ଗତ ଶ୍ରୀକୃଷ୍ଣପୁର ପଞ୍ଚାୟତ ୧, ୨ ଓ ୫ ନମ୍ବର ୱାର୍ଡର ବାସିନ୍ଦା। ଏହି ଅଞ୍ଚଳ ମାହାଙ୍ଗା ବିଧାନସଭା ଓ କେନ୍ଦ୍ରାପଡା ଲୋକସଭା କ୍ଷେତ୍ରରେ ରହିଛି। ମାହାଙ୍ଗା ବ୍ଲକ୍‌ କାର୍ଯ୍ୟାଳୟରୁ ଶ୍ରୀକୃଷ୍ଣପୁର ପଞ୍ଚାୟତ ଅନ୍ତର୍ଗତ ଶ୍ରୀକୃଷ୍ଣପୁର ଗ୍ରାମର ୧ ଓ ୨ ନମ୍ବର ୱାର୍ଡ ଏବଂ ଅଡ଼ମମହେଶପୁର (ଚଡ଼େଇପୁଟିଆ) ୫ ନମ୍ବର ୱାର୍ଡର ଦୂରତା ମାତ୍ର ୩୦୦ ମିଟର୍‌। ହେଲେ ଗ୍ରାମକୁ ଭଲ ରାସ୍ତାଟିଏ ନାହିଁ। ଗ୍ରାମବାସୀ ବାରମ୍ବାର ଜିଲ୍ଲାପାଳଙ୍କଠାରୁ ଆରମ୍ଭ କରି ବିଡିଓ ଓ ପ୍ରଶାସନିକ ଅଧିକାରୀଙ୍କ ପର୍ଯ୍ୟନ୍ତ ଦୃଷ୍ଟି ଆକର୍ଷଣ କରିଥିଲେ ବି ସୁଫଳ ମିଳିପାରି ନ ଥିବା ଅଭିଯୋଗ କରିଛନ୍ତି। ଭଲ ରାସ୍ତା ନ ଥିବାରୁ ଗାଁ ଭିତରକୁ ଆମ୍ବୁଲାନ୍ସ ଆସିପାରୁ ନାହିଁ। ଦମକଳ ଗାଡ଼ି ବି’ ଗାଁ ଭିତରକୁ ଯାଇପାରୁ ନାହିଁ।
ବର୍ଷାଦିନେ ଗ୍ରାମବାସୀ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଗ୍ରାମରେ ପାନୀୟ ଜଳର କୌଣସି ବ୍ୟବସ୍ଥା ନାହିଁ। ଗାଁ ଲୋକେ ନିକଟସ୍ଥ ଗୋବରୀ ନଦୀର ଜଳକୁ ପାନୀୟଜଳ ଭାବେ ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି। ଏଥିଯୋଗୁଁ ସେମାନେ ବିଭିନ୍ନ ପେଟରୋଗରେ ପୀଡ଼ିତ ହେଉଥିବା ଅଭିଯୋଗ କରିଛନ୍ତି। ପଞ୍ଚାୟତର ବଭିନ୍ନ ସ୍ଥାନରେ ଆଲୋକ ବ୍ୟବସ୍ଥା କରାଯାଇଥିଲା ବେଳେ ଏହି ଗ୍ରାମରେ ଠିକ୍‌ ଭାବେ ଆଲୋକୀକରଣ କରାଯାଇ ନାହିଁ। ନାମକୁମାତ୍ର ଗ୍ରାମର ଦୁଇ, ତିନିଟି ସ୍ଥାନରେ ଲାଇଟ୍‌ ଲଗାଯାଇଥିବାରୁ ବହୁ ସ୍ଥାନ ଅନ୍ଧାର ରହୁଛି। ଏହାର ପ୍ରତିବାଦରେ ଗ୍ରାମବାସୀ ଆଗାମୀ ସାଧାରଣ ନିର୍ବାଚନରେ ଭୋଟ୍‌ ବର୍ଜନ କରିବାକୁ ନିଷ୍ପତ୍ତି ନେବା ସହିତ କୌଣସି ଦଳର ନେତା ଓ କର୍ମୀଙ୍କୁ ଗାଁ ଭିତରକୁ ପୂରାଇ ଦେବେ ନାହିଁ ବୋଲି ଗାଁ ମୁଣ୍ଡରେ ବ୍ୟାନର୍‌ ମାରି ଚେତାବନୀ ଦେଇଛନ୍ତି।

ad-week
Leave A Reply

Your email address will not be published.