ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ବିଶ୍ଵ ପରିବେଶ ଦିବସ ପାଳିତ

add-all

ବ୍ରହ୍ମପୁର, ୦୫/୦୬ : ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ଆଞ୍ଚଳିକ କାର୍ଯ୍ୟାଳୟ ବ୍ରହ୍ମପୁର ପକ୍ଷରୁ ବିଶ୍ଵ ପରିବେଶ ଦିବସ ପାଳିତ ହୋଇଯାଇଛି। ଶିଳ୍ପ ତାଲିମ ଅନୁଷ୍ଠାନ, ବ୍ରହ୍ମପୁରର ଅଡିଟୋରିୟମରେ ଅନୁଷ୍ଠିତ ଏହି ବର୍ଣ୍ଣାଢ଼୍ୟ କାର୍ଯ୍ୟକ୍ରମରେ ପରିବେଶ ସୁରକ୍ଷା ଉପରେ ସଚେତନତା ସୃଷ୍ଟି ପାଇଁ ଅନେକ ଅଭିନବ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।

ପ୍ରତି ବର୍ଷ ଜୁନ ମାସ ୫ ତାରିଖକୁ ବିଶ୍ଵ ପରିବେଶ ଦିବସ ଭାବେ ପାଳନ କରାଯାଉଥିବା ବେଳେ, ଏହାକୁ ଆହୁରି ସଚେତନଧର୍ମୀ କରିବା ପାଇଁ କାର୍ଯ୍ୟାଳୟ ପକ୍ଷରୁ ଗତ ୨ତାରିଖ ଠାରୁ ଅଞ୍ଚଳର ୩୦୦ରୁ ଉର୍ଦ୍ଧ୍ବ ସ୍କୁଲ ଏବଂ କଲେଜ ପିଲାମାନଙ୍କୁ ନେଇ ଚିତ୍ରାଙ୍କନ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା।

ଚଳିତ ବର୍ଷ ପ୍ରତିଯୋଗିତାରେ ‘ଜମି ପୁନରୁଦ୍ଧାର, ମରୁଭୂମି ଓ ମରୁଡ଼ିର ମୁକାବିଲା’ ବିଷୟବସ୍ତୁ ଉପରେ ଆଧାରିତ ଚିତ୍ର ଆଙ୍କି ସମୁହ ଜମି ଓ ଇକୋ ସିଷ୍ଟମର ପୁନରୁଦ୍ଧାର, ପରିବେଶର ବିବିଧତାକୁ ରକ୍ଷା କରିବା ଏବଂ ଜଳବାୟୁ ପରିବର୍ତ୍ତନ ସହିତ ମୁକାବିଲା କରି ଜନସଚେତନତା ସୃଷ୍ଟି କରିବା ମୁଖ୍ୟ ଲକ୍ଷ୍ୟ ରହିଥିଲା। ଏକ ଦୀର୍ଘସ୍ଥାୟୀ ଭବିଷ୍ୟତ ସୁନିଶ୍ଚିତ କରିବା ତଥା ଯୁବପିଢିଙ୍କୁ ପରିବେଶ ସୁରକ୍ଷାର ଗୁରୁତ୍ବ ଉପରେ ବାର୍ତ୍ତା ଦେବା ଲକ୍ଷ୍ୟରେ ସଚେତନତା ରାଲିର ଆୟୋଜନ ମଧ୍ଯ କରାଯାଇଥିଲା। ଏଥିରେ ସରକାରୀ ପଦାଧିକାରୀ, ବେସରକାରୀ ଅନୁଷ୍ଠାନ, ଛାତ୍ରଛାତ୍ରୀ ତଥା ଶିଳ୍ପାନୁଷ୍ଠାନ ଗୁଡିକର ପ୍ରତିନିଧି ମାନେ ଭାଗନେଇ ପରିବେଶ ସୁରକ୍ଷା ଉପରେ ଗୁରୁତ୍ୱାରୋପ କରିଥିଲେ।

କାର୍ଯ୍ୟକ୍ରମରେ ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ସନ୍ନି ଖୋଖର, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଆଞ୍ଚଳିକ ଅଧିକାରୀ ଦିପକ କୁମାର ସାହୁ, ଟାଟା ଷ୍ଟିଲ ସ୍ପେଶିଆଲ ଇକୋନୋମିକ ଜୋନ ପ୍ରକଳ୍ପ ମୁଖ୍ୟ ସୌରଭ ସୁଗନ୍ଧ, ଟାଟା ଷ୍ଟିଲ ଫେରୋ ଆଲଏଜ ପ୍ଲାଣ୍ଟ ମୁଖ୍ୟ ଅଟଲା ରାମବାବୁ ଓ ଟାଟା ଷ୍ଟିଲ ଫାଉଣ୍ଡେସନର ଗୋପାଳପୁର ୟୁନିଟ୍ ମୁଖ୍ୟ ରକି ମାର୍ଟିନ ଆଦି ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.