ତିନିରଥର ୪୨ ଚକ ନିର୍ମାଣ ଶେଷ

add-all

ପୁରୀ: ରଥ ନିର୍ମାଣ ପ୍ରକ୍ରିୟାରେ ଗୁରୁବାର ଥିଲା ବ୍ୟସ୍ତବହୁଳ ଦିନ। ମୁଖ୍ୟ ବିଶ୍ୱକର୍ମା ମୁହାଁଟରେ ବିନ୍ଧ ଅନୁକୂଳ କରିବା ସହ ବଡ଼ଦାଣ୍ଡରେ ରଥର ଦଣ୍ଡା ଅନୁକୂଳ ହୋଇଥିଲା। ପୁଣି ଯନ୍ତା ଗାଡ଼ରେ ପଡି ତିନି ରଥର ଶେଷ ସିଙ୍ଗଜା ପ୍ରସ୍ତୁତ ହୋଇଛି। ଜୁଲାଇ ୭ରେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା । ରଥଯାତ୍ରା ଯେତିକି ନିକଟତର ହେଉଛି ସେତିକି ରଥଖଳା ଚଳଚଞ୍ଚଳ ହେଉଛି । ତିନିରଥର ୪୨ ଗୋଟି ଚକର ନିର୍ମାଣ ଶେଷ ହୋଇଛି ।

ସେହିପରି ରଥ ନିର୍ମାଣ ଅଗ୍ରଗତିରେ ତିନି ରଥର ମୋଟ ୨୧ ଗୋଟି ଅଖ ନିର୍ମାଣ ଶେଷ ହୋଇଛି । ତିନି ରଥର ନିର୍ମାଣ ଶେଷ ହୋଇଥିବା ଆଗ, ପଛ ଦୁଇଟି ଲେଖାଏଁ ମୁହାଁଟର ଅନୁକୂଳ ପୂଜା ହୋଇ ବିନ୍ଧ କାର୍ଯ୍ୟ ଆରମ୍ଭ ହେବ । ଏଥିସହ ତିନି ରଥର ପାଞ୍ଚଦଣ୍ଡାର ଅନୁକୂଳ ପୂଜା ହୋଇ ଦଣ୍ଡାଗୁଡ଼ିକର ଚଉପଟ କାର୍ଯ୍ୟ ଆରମ୍ଭ ହେବ । ଅନ୍ୟପଟେ ଭୋଇ ସେବକମାନେ ୪୨ ତୁମ୍ବରେ ୬୭୨ ଅର ପିଟିଂ ସାରିଛନ୍ତି। ଏଥିସହ ରଥ ନିର୍ମାଣ ଅନୁଧ୍ୟାନ କମିଟିର ସଦସ୍ୟମାନେ ରଥ ଖଳାରେ ବୁଲି କାର୍ଯ୍ୟ ଅନୁଧ୍ୟାନ କରିଛନ୍ତି।

ଆଜି ନନ୍ଦିଘୋଷ ରଥର ପାଞ୍ଚ ଦଣ୍ଡାର ଅନୁକୂଳ ପୂଜା ହୋଇ ଚଉପଟ କାର୍ଯ୍ୟ ଆରମ୍ଭ ହେବ । ଶୀତଳଷଷ୍ଠୀ ପୂର୍ବରୁ ତିନି ରଥର ୨୧ଟି ଅଖ ଓ ୪୨ଟି ଚକ କାର୍ଯ୍ୟ ସମ୍ପନ୍ନ କରାଯାଇ ଚକ ଅଖ ସଂଯୋଗ କରାଯିବ ବୋଲି କହିଛନ୍ତି ବିଶ୍ୱକର୍ମା ମହାରଣା । ସେହିପରି ରଥ ଖଳାର କୋଣଗୁଜରେ ଅଳଙ୍କରଣ କାର୍ଯ୍ୟ ଜାରି ରହିଛି। ରୂପକାର ସେବକଙ୍କ ଦ୍ୱାରା ସିଂହବିରାଳ ମୂର୍ତ୍ତି ଖୋଦେଇ ଚାଲିଛି।

ad-week
Leave A Reply

Your email address will not be published.