ଜିଲ୍ଲାର ଶିକ୍ଷା ବିଭାଗରେ ୧୬୯ ଜଣ କନିଷ୍ଠ ସହାୟକଙ୍କୁ ନିଯୁକ୍ତି ପତ୍ର ଆବଣ୍ଟନ

add-all

ଛତ୍ରପୁର : ଓଡିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିନରେ ଗଞ୍ଜାମ ଜିଲ୍ଲାର ନବନିଯୁକ୍ତ ୧୬୯ଜଣ କନିଷ୍ଠ ସହାୟକ ମାନଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କରାଯାଇଛି । ଛତ୍ରପୁର ଜିଲ୍ଲା ପରିଷଦ ଋଷିକୂଲ୍ଯା ସମ୍ମିଳନୀ କକ୍ଷ ଠାରେ ବୁଧବାର ଆୟୋଜିତ ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ଯୋତି ପରିଡାଙ୍କ ଅଧ୍ୟକ୍ଷତାରେ ଏହି ନିଯୁକ୍ତି ପତ୍ର ଜିଲ୍ଲାର ମାନ୍ୟବର ବିଧାୟକ ମାନଙ୍କ ଦ୍ବାରା ପ୍ରଦାନ କରାଯାଇଛି । ଗଞ୍ଜାମ ଜିଲ୍ଲା ପ୍ରଶାସନ ଦ୍ବାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ କବି ସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ, ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ, ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ, ବ୍ରହ୍ମପୁର ବିଧାୟକ କେ ଅନୀଲ କୁମାର, ଚିକିଟି ବିଧାୟକ ମନୋରଞ୍ଜନ ଦ୍ଯାନସାମନ୍ତରାୟ, ସାନ ଖେମୁଣ୍ଡି ବିଧାୟକଙ୍କ ପ୍ରତିନିଧି ଅତୁଲ୍ୟ ସ୍ବାଇଁ ମଞ୍ଚାସୀନ ରହି ନିଜ ନିଜ ବକ୍ତବ୍ୟରେ ଅବଗତ କରାଇଥିଲେ ଯେ, ଜିଲ୍ଲାରେ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବାକୁ ହେଲେ ଜିଲ୍ଲାର ବିଦ୍ୟାଳୟ ମାନଙ୍କରେ ଖାଲି ପଡିଥିବା ପଦ ଗୁଡିକ ପୂରଣ ହେବା ଜରୁରୀ । ଚିକିଟି ଅଞ୍ଚଳରେ ତେଲୁଗୁ ଶିକ୍ଷକ ନିଯୁକ୍ତି ସହିତ ଅନ୍ୟାନ୍ୟ ଆନୁସଙ୍ଗୀକ ବ୍ୟବସ୍ଥା ଗୁଡିକୁ ସଜାଡିବାର ରହିଛି । କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ ଜଣାଇଥିଲେଯେ, ନବ ନିଯୁକ୍ତ ମାନଙ୍କୁ ପ୍ରଦାନ କରାଯାଇଥିବା ପଦବୀର ଗୁରୁତ୍ବ ବୁଝି ଗୁରୁ ଦାୟିତ୍ବକୁ ସେମାନେ ସୁଚାରୁ ରୂପେ ସମ୍ପାଦିତ କରିବେ ।

ଶିକ୍ଷା ବିଭାଗର ସୁନାମ ଯେପରି ହେବ ତାହାକୁ ଦୃଷ୍ଟିରେ ରଖି ନବ ନିଯୁକ୍ତ ଯୁବକ ଯୁବତୀ ନିଜର ପ୍ରତିଭାକୁ ପ୍ରତିପାଦନ କରିବେ । ଛାତ୍ର ଓ ଶିକ୍ଷକ ମଧ୍ୟରେ କୌଣସି ମତ ପାର୍ଥକ୍ୟ ରହିବ ନାହିଁ ସେହିଭଳି ପରିବେଶ ସୃଷ୍ଟିକରି ସମ୍ପର୍କ ସୁଦୃଢ କରିବାକୁ ପ୍ରେରଣା ଦେଇଥିଲେ । ଗଞ୍ଜାମ ଜିଲ୍ଲା ଓଡିଶାରେ ଯେମିତି ଏକ ନମ୍ବର ଜିଲ୍ଲା ଭାବେ ନିଜର ମାନ ବୃଦ୍ଧି କରିବ ସେ ଦିଗରେ ଚେଷ୍ଟା କରନ୍ତୁ ବୋଲି ମତ ରଖିଥିଲେ । ଏଠାରେ ପ୍ରକାଶ ଥାଉକି ଜିଲ୍ଲାର ଶିକ୍ଷା ବିଭାଗ ନିମନ୍ତେ ୧୮୪ ଜଣ ପ୍ରାର୍ଥୀଙ୍କ ଚୟନ ହୋଇଥିଲା , ତନ୍ମଧ୍ୟରୁ ୧୬୯ ଜଣ ପ୍ରାର୍ଥୀ କାଉନସେଲିଂ କୁ ଆସିଥିଲେ । ବଳକା ପ୍ରାର୍ଥୀଙ୍କୁ ପରବର୍ତ୍ତୀ ପର୍ଯ୍ୟାୟରେ ନିଯୁକ୍ତି ପତ୍ର ପ୍ରଦାନ କରାଯିବ । ଏହି କାର୍ଯ୍ୟକ୍ରମର ଜିଲ୍ଲା ଶିକ୍ଷାଧିକାରୀ ଅମିତା ପଟ୍ଟନାୟକ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ସହକାରୀ ଜିଲ୍ଲା ଶିକ୍ଷାଧିକାରୀ ରାଜେଶ କୁମାର ପ୍ରଧାନ, ଓଡିଶା ଶିକ୍ଷା ସେବା ଅଧିକାରୀଗଣ, ସମସ୍ତ ପ୍ରଧାନ ଶିକ୍ଷକଗଣ, ସମସ୍ତ ବ୍ଲକ୍ ଶିକ୍ଷାଧିକାରୀ ଏବଂ ସଂପୃକ୍ତ ଜିଲ୍ଲା ସ୍ତରୀୟ ଅଧିକାରୀଗଣ ଉପସ୍ଥିତ ଥିଲେ ।

ad-week
Leave A Reply

Your email address will not be published.