ଫୁଲବାଣୀ : ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦ୍ଭାବନା ସଭାଗୃହରେ କନ୍ଧମାଳ ଜିଲ୍ଲାପାଳ ଆଶିଷ ଇଶ୍ଵର ପାଟିଲଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ବାସ୍ଥ୍ୟ ସମିତିର କାର୍ଯ୍ୟନିର୍ବାହୀ କମିଟି ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି ।ଜିଲ୍ଲା ସ୍ବାସ୍ଥ୍ୟ ମିଶନ ପ୍ରକଳ୍ପ ପରିଚାଳକ ମନୋରଞ୍ଜନ ସାହୁ ପାଓ୍ବାର ପଏଣ୍ଡ ମାଧ୍ୟମରେ ଗତ ଜିଲ୍ଲା ସ୍ବାସ୍ଥ୍ୟ ସମିତି କାର୍ଯ୍ୟନିର୍ବାହୀ କମିଟି ବୈଠକର ବିବରଣୀ ସମ୍ପର୍କରେ ଆଲୋଚନା କରିବା ସହିତ ଜିଲ୍ଲାପାଳଙ୍କ ଦ୍ବାରା ଅନୁମୋଦନ କରାଯାଇଥିଲା। ଆଲୋଚନାରୁ ଜଣାପଡ଼ିଛି ଯେ, ଫୁଲବାଣୀ ପୌରପରିଷଦର ମହାପ୍ରୟାଣ ଗାଡ଼ି ମରାମତି ବାବଦରେ ବେଶି ଖର୍ଚ୍ଚ ହେଉଥିବାରୁ ୧୦୮ ଆମ୍ବୁଲାନ୍ସକୁ ମହାପ୍ରୟାଣ ଗାଡ଼ି ଭାବେ ବ୍ୟବହାର କରାଯିବ । ଜିଲ୍ଲା ସଦର ମହକୁମା ଚିକିତ୍ସାଳୟର ଜଣେ ଡ୍ରଇଭରଙ୍କୁ ସେହି ଗାଡ଼ି ପାଇଁ ଅବସ୍ଥାପିତ କରାଯିବ । ସେଥିପାଇଁ ଆବଶ୍ୟକ ଖର୍ଚ୍ଚ ଜିଲ୍ଲାପାଳଙ୍କ ଅନୁମୋଦନ କ୍ରମେ ରେଡ୍କ୍ରସ୍ ପାଣ୍ଠିରୁ ଭରଣା କରାଯିବ। ଜିଲ୍ଲା ସଦର ମହକୁମା ନିକଟରେ କାର୍ଯ୍ୟ କରୁଥିବା ପୁରୁଷ ସ୍ବାସ୍ଥ୍ୟ କର୍ମୀମାନଙ୍କୁ ଜନସ୍ବାର୍ଥ ପାଇଁ ଆଭ୍ୟନ୍ତରୀଣ ଅଞ୍ଚଳକୁ ସ୍ଥାନାନ୍ତର କରାଯିବ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ/ଉପଖଣ୍ଡ ଚିକିତ୍ସାଳୟ ପାଇଁ ହେଲପ ଡେସ୍କ ସେବା ଏବଂ ହସ୍ପିଟାଲ ଡାଏଟ୍ ସର୍ଭିସ୍ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କ ଦ୍ଵାରା ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଚୂଡ଼ାନ୍ତ ହେବା ପର୍ଯ୍ୟନ୍ତ ବୃଦ୍ଧି କରାଯିବ ବୋଲି ଜଣାପଡ଼ିଛି। ସେହିପରି, ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରସବ ହାର, ମାତୃ ଓ ଶିଶୁ ମୃତ୍ୟୁ ହାର, ନବଜାତ ଶିଶୁ ମୃତ୍ୟୁ ହାର, ପୃଷ୍ଟକର ଥଇଥାନ କେନ୍ଦ୍ର, ଶୂନ ରୁ ୬ ବର୍ଷ ବୟସର ଶିଶୁ ଲିଙ୍ଗ ଅନୁପାତ ଉପରେ ଆଲୋଚନାକରାଯାଇଥିଲା। କେଉଁ ସି.ଏଚ୍.ସି.ରେ
ଏକ୍ସ-ରେ କରାଯାଉନାହିଁ ଏବଂ କ’ଣ ପାଇଁ କରାଯାଉନାହିଁ ଜିଲ୍ଲାପାଳ ପଚାରି ବୁଝିଥିଲେ ।
ଉକ୍ତ ବୈଠକରେ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡା. ବିଜୟ କୁମାର ପଣ୍ଡାଙ୍କ ସମେତ ସମସ୍ତ ବିଭାଗର ଚିକିତ୍ସା ଅଧିକାରୀ, ଜିଲ୍ଲା ଆୟୁର୍ବେଦ ଚିକିତ୍ସା ଅଧିକାରୀ, ଜିଲ୍ଲା ହୋମିଓପାଥ୍ ଚିକିତ୍ସା ଅଧିକାରୀ, ଅକ୍ଷଣ ଯନ୍ତ୍ରୀ, ଗ୍ରମ୍ୟ ଜଳ ଯୋଗାଣ ଓ ପରିମଳ ଏବଂ ରାସ୍ତା ଓ କୋଠାବାଡ଼ି, ଜିଲ୍ଲା ଶିକ୍ଷା ଅଧିକାରୀ, ଜିଲ୍ଲା ପଞ୍ଚାୟତ ଅଧିକାରୀ, ନିର୍ବାହୀ ଅଧିକାରୀ, ଫୁଲବାଣୀ ପୌରପରିଷଦ, ଜିଲ୍ଲା ସଦର ମହକୁମା ଚିକିତ୍ସାଳୟର ସମସ୍ତ ଅଧିକାରୀ ଏବଂ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଯୋଗଦେଇଥିଲେ ।
