ପୀଡ଼ିତାଙ୍କ ଘରେ ପହଞ୍ଚି ବିବୃତି ରେକର୍ଡ କଲା ସିବିଆଇ ଟିମ୍‌

add-all

କୋଲକାତା: କୋଲକାତା ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ହୋଇଥିବା ଭଙ୍ଗାରୁଜା ଘଟଣାରେ ଏବେ ସୁଦ୍ଧା ସମୁଦାୟ ୩୭ ଜଣଙ୍କୁ ଗିରଫ କରାଯାଇ ସାରିଲାଣି। ଅଗଷ୍ଟ ୧୪ ତାରିଖ ରାତିରେ ଘଟିଥିବା ଭଙ୍ଗାରୁଜା ଘଟଣାର ଯାଞ୍ଚ ପାଇଁ କୋଲକାତା ପୁଲିସ ଏକ ୧୫ ଜଣିଆ ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ (ଏସଆଇଟି) ଗଠନ କରିଛି। ଏହି ସମୟରେ ସିବିଆଇ ଟିମ୍ ପୀଡିତାଙ୍କ ଘରେ ପହଞ୍ଚି ସେମାନଙ୍କ ବିବୃତି ରେକର୍ଡ କରିଛି।
କୋଲକାତାରେ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ପୁଲିସ କମିସନରଙ୍କୁ ସିବିଆଇ ଜେରା କରିବା ଆବଶ୍ୟକ ବୋଲି ବରିଷ୍ଠ ଟିଏମ୍‌ସି ନେତା ସୁଖେନ୍ଦୁ ଶେଖର ରାୟ ଦାବି କରିବା ପରେ ଏହାକୁ ନେଇ ଟିଏମ୍‌ସିରେ ବି‌ବାଦ ଆରମ୍ଭ ହୋଇଛି। ଦଳରେ ଅନ୍ୟ ଏକ ଗୋଷ୍ଠୀ ରାୟଙ୍କ ଏଭଳି ଆଭିମୁଖ୍ୟକୁ ବିରୋଧ କରିଛି। ବରିଷ୍ଠ ନେତା କୁନାଲ ଘୋଷ ଏହି ମାମଲାରେ ରାୟଙ୍କୁ କଡ଼ା ସମାଲୋଚନା କରିଛନ୍ତି। ତାଙ୍କର ଆଭିମୁଖ୍ୟ ମାମଲାକୁ ଅଧିକ ଜଟିଳ କରିବ ଏବଂ ଏଭଳି ପ୍ରସ୍ତାବ ଗ୍ରହଣୀୟ ନୁହେଁ ବୋଲି ଘୋଷ କହିଛନ୍ତି। ତେବେ ରାୟ ପୁଲିସ କମିସନରଙ୍କୁ ଜେରା ହେଲେ ହିଁ ତଦନ୍ତ ପ୍ରକ୍ରିୟାରେ ସ୍ବଚ୍ଛତା ଜାରି ରହିବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।
ଦୁଷ୍କର୍ମ ଓ ହତ୍ୟା ମାମଲାର ତଦନ୍ତ ଦାୟିତ୍ୱ ସିବିଆଇ ନେଇଥିବାରୁ ରାୟ ଏହାକୁ ସ୍ବାଗତ କରିବା ସହ ପୀଡ଼ିତାଙ୍କୁ ନ୍ୟାୟ ମିଳିବ ବୋଲି କହିଛନ୍ତି। ଆର୍‌ଜି କର ହସ୍ପିଟାଲ କାଣ୍ଡ ନେଇ ଟିଏମ୍‌ସିରେ ବିବାଦ ତେଜୁଥିବାରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଅଡ଼ୁଆ ବଢ଼ିଛି। କୋଲକାତା ପୁଲିସ କମିସନର ବିନୀତ ଗୋୟଲ ଏହି ମାମଲାର ପ୍ରାରମ୍ଭିକ ପର୍ଯ୍ୟାୟରେ ପୁଲିସର ପରିଚାଳନାକୁ ନେଇ ସମାଲୋଚନାର ସମ୍ମୁଖୀନ ହେଉଥିବା ବେଳେ ଡାକ୍ତର ସଂଘ ମଧ୍ୟ ଏ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି।

ad-week
Leave A Reply

Your email address will not be published.