କେନାଲରୁ ଯୁବକଙ୍କ ମୃତଦେହ ଉଦ୍ଧାର

add-all

ପିପିଲି: ପିପିଲି ପୌରାଞ୍ଚଳ ଅନ୍ତର୍ଗତ ଶିଶୁ ଉଦ୍ୟାନ ନିକଟ ଦେଇ ଯାଇଥିବା ଡେଲାଙ୍ଗ ଡିଷ୍ଟ୍ରିବ୍ୟୁଟାରୀ କେନାଲ ମଧ୍ୟରୁ ଜଣେ ଯୁବକଙ୍କ ମୃତଦେହକୁ ପୁଲିସ ଜବତ କରିଛି। ମୃତକଙ୍କ ନାମ ବିପିନ ସେଠୀ(୩୫) ଓ ତାଙ୍କ ଘର ପୁରୀ ଜିଲା ଗଡ଼ିଶାଗଦା ଥାନା ଅନ୍ତର୍ଗତ ଗଡ଼ିଶାଗଦା ନଈକୂଳପାଟଣା ଗ୍ରାମରେ ହୋଇଥିବା ସୂଚନା ମିଳିଛି। ଏନେଇ ପିପିଲି ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବାବେଳେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପୁରୀ ପଠାଇ ପୁଲିସ ଘଟଣାର ତଦନ୍ତ ଚଳାଇଛି।
ସୂଚନା ଅନୁଯାୟୀ, ପିପିଲି ପୌରାଞ୍ଚଳ ଅନ୍ତର୍ଗତ ଜୟପୁରଶାସନ ଗ୍ରାମ୍ୟଛକ ନିକଟରେ ଥିବା ଏକ ଗ୍ୟାରେଜ୍‌‌ରେ ବିପିନ ୬ବର୍ଷ ଧରି ମେକାନିକ୍‌‌ ଭାବେ କାମ କରୁଥିଲେ। ଗତକାଲି ତାଙ୍କ ଭଉଣୀ ରାକ୍ଷୀ ବାନ୍ଧିବା ପାଇଁ ସେଠାକୁ ଯାଇଥିବାବେଳେ ବିପିନଙ୍କୁ ପାଇନଥିଲେ। ଯେତେ ଫୋନ୍‌‌ କଲେ ମଧ୍ୟ ବିପିନ୍‌‌ ଫୋନ୍‌‌ ଉଠାଇନଥିଲେ। ତେବେ ମଙ୍ଗଳବାର ସକାଳେ ଶିଶୁ ଉଦ୍ୟାନ ନିକଟ ଦେଇ ଯାଇଥିବା ଡେଲାଙ୍ଗ ଡିଷ୍ଟ୍ରିବ୍ୟୁଟାରୀ କେନାଲ ବନ୍ଧରେ ବିପିନ୍‌‌ଙ୍କ ବାଇକ୍‌‌ ଥୁଆ ହୋଇଥିବାବେଳେ ବାଇକ୍‌‌ ନିକଟରେ ତଥା କେନାଲ ପାହାଚରେ ତାଙ୍କ ପ୍ୟାଣ୍ଟ, ସାର୍ଟ, ଚପଲ ଓ ମୋବାଇଲ୍‌‌ ଆଦି ଥୁଆ ହୋଇଥିବାର ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ଖବର ପାଇ ପରିବାର ଲୋକଙ୍କ ସମେତ ପିପିଲି ପୁଲିସ ସେଠାରେ ପହଞ୍ଚି ଅଗ୍ନିଶମ ବାହିନୀ ସହାୟତାରେ କେନାଲ ମଧ୍ୟରେ ଦୀର୍ଘ ସମୟ ଧରି ଖୋଜା ଖୋଜି କରିବା ପରେ ବିପିନଙ୍କ ମୃତଦେହକୁ ପାଣିମଧ୍ୟରୁ ଉଦ୍ଧାର କରିଥିଲେ। ଏନେଇ ମୃତକଙ୍କ ବାପା ରାଜକିଶୋର ସେଠୀଙ୍କ ଲିଖିତ ରିପୋର୍ଟ ଆଧାରରେ ପିପିଲି ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ଘଟଣାର ତଦନ୍ତକାରୀ ଅଧିକାରୀ ତଥା ଏଏସ୍‌‌ଆଇ ସୁମନ୍ତ କୁମାର ସାହୁ ମୃତଦେହକୁ ପଞ୍ଚନାମା କରିବା ପରେ ବ୍ୟବଚ୍ଛେଦ ପାଇଁ ପୁରୀ ପଠାଇ ଘଟଣାର ତଦନ୍ତ ଚଳାଇଥିବା ସୂଚନା ମିଳିଛି।

ad-week
Leave A Reply

Your email address will not be published.