୨୩୪ଟି ଗୋଷ୍ଠି ଜଙ୍ଗଲ ସମ୍ୱଳ ଅଧିକାରର ସ୍ୱୀକୃତି ପ୍ରଦାନ କରିବା ନିମନ୍ତେ ସ୍ମାରକ ପତ୍ର ପ୍ରଦାନ

ମାଲକାନଗିରି, ୨୨।୮ ମାଲକାନଗିରି ଜିଲ୍ଲାର ୨୩୪ଟି ଗୋଷ୍ଠି ଜଙ୍ଗଲ ସମ୍ୱଳ ଅଧିକାରର ସ୍ୱୀକୃତି ପ୍ରଦାନ କରିବା ନିମନ୍ତେ ଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ କରିଛି ଜିଲ୍ଲା ମହା ଗ୍ରାମସଭା କମିଟି । ସୂଚନା ଅନୁଯାୟୀ ଅନୁସୂଚିତ ଜନଜାତି ତଥା ଅନ୍ୟାନ୍ୟ ପାରମ୍ପରିକ ବନବାସୀ ଜଙ୍ଗଲ ଅଧିକାର ସ୍ୱୀକୃତି ଆଇନ ୨୦୦୬ ଅନୁଯାୟୀ ମାଲକାନଗିରି ଜିଲ୍ଲାର ୨୩୪ଟି ଗ୍ରାମକୁ ଗୋଷ୍ଠି ଜଙ୍ଗଲ ସମ୍ୱଳ ଅଧିକାର ସାବ୍ୟସ୍ତ ଓ ସ୍ୱୀକୃତି ପ୍ରଦାନ କରିବାକୁ ଦାବି ହୋଇ ଆସୁଥିବା ବେଳେ ଆଜି ଜିଲ୍ଲା ମହା ଗ୍ରାମସଭା କମିଟି ପକ୍ଷରୁ ଏନେଇ ଏକ ସ୍ମାରକ ପତ୍ର ପ୍ରଦାନ କରି ଏହା କାର୍ଯ୍ୟକାରୀ କରିବାକୁ ଅପିଲ କରା ଯାଇଛି । ଏହି ଆଇନ ଅନୁସୂଚିତ ଜନଜାତି ମାନଙ୍କର ଅଧିକୃତ ଜମି ଏବଂ ଜଙ୍ଗଲ ଅଧିକାରର ନଥିଭୂକ୍ତ କରିବା ନିମନ୍ତେ ଏକ ଲୋକାଭିମୁଖି ଆଇନ । ମାଲକାନଗିରି ଜିଲ୍ଲାର ୨୩୪ଟି ରାଜସ୍ୱ ଗ୍ରାମର ଗ୍ରାମସଭା, ଜଙ୍ଗଲ ଅଧିକାର ଆଇନ ୨୦୦୬ ଓ ସଂଶୋଧୀତ ନିୟମ ୨୦୧୨, ଅନୁଯାୟୀ ଗୋଷ୍ଠି ଜଙ୍ଗଲ ସମ୍ୱଳ ଅଧିକାରର ମାନ୍ୟତା ଓ ଅଧିକାର ପ୍ରଦାନ ନିମନ୍ତେ ଜିଲ୍ଲା ସ୍ତରୀୟ କମିଟି ଏବଂ ଏଫ୍‍.ଆର୍‍.ଏ. କକ୍ଷ ପ୍ରତି ଅନେକ ଆଭିମୁଖ୍ୟ ସତ୍ତ୍ୱେ, ଏହି ଜଙ୍ଗଲ ଅଧିକାର ଆଇନର କାର୍ଯ୍ୟକାରିତା ବିଷୟରେ କୌଣସି ସନ୍ତୋଷଜନକ ପ୍ରତିକ୍ରିୟା କିମ୍ୱା କାର୍ଯ୍ୟାନୁଷ୍ଠାନ ପାଇନାହୁଁ ବୋଲି ଏହି କମିଟି ପକ୍ଷରୁ ପ୍ରକାଶ କରାଯାଇଛି । ତେବେ ଏହାକୁ ନେଇ ଆଜି ଦିଆଯାଇଥିବା ସ୍ମାରକ ପତ୍ରରେ ମୁଖ୍ୟ ଦାବି ଗୁଡିକ ହେଉଛି, ଜିଲ୍ଲାସ୍ତରୀୟ କମିଟି ଦ୍ୱାରା ବିଗତ ୨୩.୦୨.୨୦୨୪ ତାରିଖରେ ଅନୁମୋଦନ କରାଯାଇଥିବା ୧୪୧ଟି ଗୋଷ୍ଠି ଜଙ୍ଗଲ ସମ୍ୱଳ ଅଧିକାରକୁ ସ୍ୱୀକୃତି ଏବଂ ସାବ୍ୟସ୍ତ କରିବା ସହିତ ଗୋଷ୍ଠି ଜଙ୍ଗଲ ଅଧିକାର ପଟ୍ଟା ଓ ଗୋଷ୍ଠି ଜଙ୍ଗଲ ସମ୍ୱଳ ଅଧିକାର ପଟ୍ଟା ପ୍ରଦାନ କରାଯାଉ । ଜିଲ୍ଲସ୍ତରୀୟ କମିଟି ଦ୍ୱାରା ବିଗତ ୧୮.୦୫.୨୦୨୩ ତାରିଖରେ ଅନୁମେଦନ କରା ଯାଇଥିବା ୯୩ଟି ଗୋଷ୍ଠି ଜଙ୍ଗଲ ସମ୍ୱଳ ଅଧିକାରକୁ ସ୍ୱୀକୃତି ଏବଂ ସାବ୍ୟସ୍ତ କରିବା ସହିତ ଗୋଷ୍ଠି ଜଙ୍ଗଲ ଅଧିକାର ପଟ୍ଟା ଓ ଗୋଷ୍ଠି ଜଙ୍ଗଲ ସମ୍ୱଳ ଅଧିକାର ପଟ୍ଟା ନଥିପତ୍ର ପ୍ରଦାନ କରାଯାଉ । ଏଥିସହ କାଲିମେଳା ବ୍ଲକ ଅନ୍ତର୍ଗତ ମାନ୍ୟମକୋଠା ପଞ୍ଚାୟତର ଗୁଣ୍ଠାୱାଡା, ସାଇଲୁର, ରାମଚନ୍ଦ୍ରପୁର ଗ୍ରାମକୁ ଦୀର୍ଘ ଦିନରୁ ଉପଖଠ ସ୍ତରୀୟ କମିଟି, ମାଲକାନଗିରି ନିକଟରେ ସଂଶୋଧନ କରିବା ନାମରେ ପଡ଼ି ରହିଛି, ତାକୁ ଉପଖଠ ସ୍ତରୀୟ କମିଟି ଓ ଜିଲ୍ଲା ସ୍ତରୀୟ କମିଟି ଦ୍ୱାରା ଅନୁମୋଦନ କରାଯାଇ ଗୋଷ୍ଠି ଜଙ୍ଗଲ ସମ୍ୱଳର ଅଧିକାର ସହ ସ୍ୱୀକୃତି ପ୍ରଦାନ କରାଯାଉ । ମାଲକାନଗିରି ଜିଲ୍ଲାର ବିଭିନ୍ନ ଆଦିବାସୀ ବହୁଳ ଗ୍ରାମ ଗୁଡିକର ଗୋଷ୍ଠି ଜଙ୍ଗଲ ଅଧିକାର ଦରଖାସ୍ତ ଗୁଡିକ ଉପଖଠ ସ୍ତରୀୟ ଜଙ୍ଗଲ ଅଧିକାର କମିଟିକୁ ନ ଯାଇ ତହସିଲ କାର୍ଯ୍ୟାଳୟ ଗୁଡିକରେ ଯାଞ୍ଚ ପାଇଁ ବର୍ଷ ବର୍ଷ ହୋଇ ପଡିରହିଛି । ତାହାକୁ ତରାନ୍ୱିତ କରି ଆଦିବାସୀଙ୍କୁ ନିଜ ଗୋଷ୍ଠି ଜଙ୍ଗଲ ସମ୍ୱଳ ଅଧିକାର ଜନିତ ପଟ୍ଟା ପ୍ରଦାନ କରାଯାଉ ବୋଲି ଦାବି ଉଲ୍ଲେଖ ରହିଛି । ତେବେ ଯଦି ଏହି ଦାବି ଗୁଡିକୁ ଅଣଦେଖା କରାଯାଏ ଏବଂ ଜଙ୍ଗଲ ଅଧିକାର ଆଇନ ଅଧିନରେ ଅଧିକାରକୁ ସାବ୍ୟସ୍ତ ଏବଂ ସ୍ୱୀକୃତିର ବ୍ୟବସ୍ଥା ଅବହେଳିତ ହୋଇ ରହିଥାଏ, ତେବେ ଆଗାମୀ ଦିନରେ ଆନ୍ଦୋଳନ କରିବାକୁ ଏହି କମିଟି ପ୍ରକାଶ କରିଛି । ଏହି ସ୍ମାରକ ପତ୍ର ଦେବା ସମୟରେ କାଲିମେଳା ମହା ଗ୍ରାମସଭା କମିଟି ସଭାପତି ଇଶ୍ଵର ମାଡକାମୀ ନେତୃତ୍ଵ ନେଇଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ସୂର୍ଯ୍ୟ ନାରାୟଣ ନାୟକ, ଜୟନ୍ତୀ ବୁରୁଦା, ଚୁମୁକି ବେହେରା, ସମସ୍ତ ପଞ୍ଚାୟତର ସରପଞ୍ଚ, ଓ ମହା ଗ୍ରାମସଭାର ଶତାଧିକ ସଦସ୍ୟ ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.