ଦ୍ବାଦଶ ଶ୍ରେଣୀ ବୋର୍ଡ ରେଜଲ୍ଟରେ ମିଶିପାରେ ନବମରୁ ଏକାଦଶ ଶ୍ରେଣୀର ମାର୍କ

add-all

ନୂଆଦିଲ୍ଲୀ : ଏଣିକି ଦ୍ବାଦଶ ଶ୍ରେଣୀ ରେଜଲ୍ଟରେ ମିଶିପାରେ ନବମରୁ ଏକାଦଶ ପର୍ଯ୍ୟନ୍ତ ମାର୍କ। ଏନେଇ ଏକ ପ୍ରସ୍ତାବ ଦେଇଛି ରାଷ୍ଟ୍ରୀୟ ଶୈକ୍ଷିକ ଅନୁସନ୍ଧାନ ଏବଂ ପ୍ରଶିକ୍ଷଣ ପରିଷଦ (NCERT)। ରିପୋର୍ଟରେ ଦ୍ୱାଦଶ ବୋର୍ଡ ପରୀକ୍ଷା ଫଳାଫଳରେ ନବମ, ଦଶମ ଏବଂ ଏକାଦଶ ଶ୍ରେଣୀର ମାର୍କ ଅନ୍ତର୍ଭୁକ୍ତ କରିବାକୁ ପରିଷଦ ପରାମର୍ଶ ଦେଇଛି।
ଛାତ୍ରଛାତ୍ରୀଙ୍କ ନବମ ଶ୍ରେଣୀରୁ ପ୍ରଦର୍ଶନ ସେମାନଙ୍କ ଦ୍ବାଦଶ ଶ୍ରେଣୀ ବୋର୍ଡ ରେଜଲ୍ଟକୁ ଯଥେଷ୍ଟ ପ୍ରଭାବିତ କରିବ ବୋଲି ପରିଷଦ କହିଛି। କିନ୍ତୁ ଏଥିରେ ପୂର୍ଣ୍ଣ ମାର୍କ ଯୋଗ କରାଯିବ ନାହିଁ। ନୂଆ ଢାଞ୍ଚା ଅନୁସାରେ, ପ୍ରତ୍ୟେକ ଶ୍ରେଣୀର ପରିକ୍ଷାଫଳର କିଛି ପ୍ରତିଶତ ଦ୍ୱାଦଶ ବୋର୍ଡ ପରୀକ୍ଷା ଫଳରେ ଯୋଗ କରାଯିବ
ରିପୋର୍ଟରେ ଦର୍ଶାଯାଇଛି ଯେ, ଚୂଡ଼ାନ୍ତ ମାର୍କରେ ନବମ ଶ୍ରେଣୀ ପରୀକ୍ଷା ଫଳରୁ 15 ପ୍ରତିଶତ, ଦଶମ ଶ୍ରେଣୀରୁ 20 ପ୍ରତିଶତ ଏବଂ ଏକାଦଶ ଶ୍ରେଣୀରୁ 25 ପ୍ରତିଶତ ଏବଂ ଅବଶିଷ୍ଟ 40 ପ୍ରତିଶତ +2 ମାର୍କରୁ ନିଆଯିବ।
ଏହା ବ୍ୟତୀତ ଦ୍ୱାଦଶ ପରୀକ୍ଷାଫଳକୁ ଗଠନମୂଳକ ଏବଂ ଯୋଗାତ୍ମକ ମୂଲ୍ୟାଙ୍କନରେ ବିଭକ୍ତ କରାଯିବ। ଗଠନମୂଳକ ମୂଲ୍ୟାଙ୍କନରେ ଆତ୍ମ-ଚିନ୍ତନ, ଛାତ୍ରଙ୍କ ପ୍ରଦର୍ଶନ, ଶିକ୍ଷକ ମୂଲ୍ୟାଙ୍କନ, ପରିଯୋଜନା ଏବଂ ସମୂହ ଆଲୋଚନା ଅନ୍ତର୍ଭୂକ୍ତ ହେବ। ସେହିପରି ଯୋଗାତ୍ମକ ମୂଲ୍ୟାଙ୍କନରେ ପାରମ୍ପରିକ ପରୀକ୍ଷା ଉପରେ କେନ୍ଦ୍ରିତ ହେବ।
ବୈଷୟିକ ଏବଂ ଦକ୍ଷତା ଭିତ୍ତିକ ବିଷୟଗୁଡ଼ିକୁ ବାଧ୍ୟତାମୂଳକ କରିବା ଉପରେ ମଧ୍ୟ ରିପୋର୍ଟରେ ଦର୍ଶାଯାଇଛି। ପ୍ରସ୍ତାବିତ ବିଷୟଗୁଡ଼ିକରେ ତଥ୍ୟ ପରିଚାଳନା, କୋଡିଂ, ପ୍ରୟୋଗ ବିକାଶ, କୃତ୍ରିମ ବୁଦ୍ଧି, ସଙ୍ଗୀତ, କଳା ଏବଂ ହସ୍ତଶିଳ୍ପ ଅନ୍ତର୍ଭୁକ୍ତ, ଯାହା ଜାତୀୟ ଶିକ୍ଷା ନୀତି 2020 (NEP 2020) ସହ ଜଡିତ।
NCERT ରିପୋର୍ଟରେ କହିଛି ଯେ, ଦ୍ୱାଦଶ ପରୀକ୍ଷା ଫଳକୁ ନେଇ ଏହି ଢାଞ୍ଚା PARAKH (ପର୍ଫରମାନ୍ସ ଆସେସମେଣ୍ଟ, ରିଭ୍ୟୁ ଆଣ୍ଡ ଆନାଲିସିସ୍ ଅଫ୍ ନଲେଡ୍ ଫର୍ ହିଷ୍ଟୋରିକ୍ ଡେଭଲପମେଣ୍ଟ) ଦ୍ୱାରା ଦାଖଲ କରାଯାଇଛି। PARAKH ହେଉଛି NCERTର ଏକ ୟୁନିଟ୍। ସମଗ୍ର ଦେଶରେ ସ୍କୁଲ ବୋର୍ଡ ପରୀକ୍ଷାକୁ ଏକ ସମାନ ଢାଞ୍ଚାରେ ଆଣିବା ପାଇଁ ଗତ ବର୍ଷ PARAKH ଗଠନ କରାଯାଇଥିଲା।

ad-week
Leave A Reply

Your email address will not be published.